ଓଡ଼ିଶାଲାଇଭ୍ ବ୍ୟୁରୋ
ଆମେରିକାର ସିଲିକନ ଭ୍ୟାଲି ବ୍ୟାଙ୍କରେ ଆର୍ଥିକ ସଂକଟ ଦେଖାଦେବା ପରେ ସାଧାରଣ ଲୋକମାନଙ୍କ ଭିତରେ ବ୍ୟାଙ୍କର ଟଙ୍କା ଜମା ରଖିବାକୁ ନେଇ ଉଠିଛି ଅନେକ ପ୍ରଶ୍ନ।
ଆର୍ଥିକ ବ୍ୟବସ୍ଥାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ହେଉଛି ବ୍ୟାଙ୍କିଙ୍ଗ ବ୍ୟବସ୍ଥା। ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ ଘରୋଇ ବ୍ୟାଙ୍କ ମାଧ୍ୟମରେ ଗୋଟିଏ ଦେଶର ଆର୍ଥିକ କାରବାର ହୋଇଥାଏ। କିନ୍ତୁ ପରିଚାଳନାଗତ ତ୍ରୁଟି, ଦେଶ ତଥା ବିଶ୍ୱ ଅର୍ଥନୈତିକ ସଂକଟର ପ୍ରଭାବ ଯୋଗୁଁ ବ୍ୟାଙ୍କ କାରବାର ପ୍ରଭାବିତ ହୋଇଥାଏ। ଆର୍ଥିକ ଝଟ୍କାକୁ କିଛି ବ୍ୟାଙ୍କ ସମ୍ଭାଳି ନିଅନ୍ତି ଆଉ କିଛି ଟଳମଳ ହୋଇ ଭୁଶୁଡ଼ି ମଧ୍ୟ ପଡ଼ନ୍ତି। ବିଶ୍ଵ ଅର୍ଥନୈତିକ ଇତିହାସରେ ଏମିତି ଘଟଣା ଅନେକ ଥର ଦେଖିବାକୁ ମିଳିଛି।
୧୭ ଶହ ଶତାବ୍ଦୀରୁ ବ୍ୟାଙ୍କ ଦେବାଳିଆ ହେବାର ଇତିହାସ ରହିଛି। ଆମେରିକା ଭଳି ବୃହତ ଅର୍ଥନୀତିରେ ମଧ୍ୟ ଏ ସଂକଟ ବହୁତ ଥର ସୃଷ୍ଟି ହୋଇଛି। ୟୁରୋପର ଅନେକ ଦେଶ ଏବଂ ରୁଷ ବି ଏଭଳି ସଂକଟରେ ପଡ଼ିଛନ୍ତି। ୨୦୦୮ରେ ସବୁଠାରୁ ବଡ଼ ବିପର୍ଯ୍ୟୟ ଆମେରିକାରେ ହୋଇଥିଲା ଓ ଏହାର ପ୍ରଭାବ ବିଶ୍ଵର ଅନ୍ୟ ଦେଶକୁ ବ୍ୟାପିଥିଲା।
ବ୍ୟାଙ୍କଗୁଡ଼ିକ କେମିତି ଚାଲେ? ସେମାନେ କେଉଁଠୁ ଟଙ୍କା ଆଣନ୍ତି? ଲାଭ କରୁଥିବା ବ୍ୟାଙ୍କ କେମିତି ଡୁବିଯାଏ? ଯଦି ବ୍ୟାଙ୍କ ଡୁବିଯାଏ, ତେବେ ଜମାକର୍ତ୍ତାମାନଙ୍କ ଜମାରାଶି ସୁରକ୍ଷିତ ରୁହେ କି ନାହିଁ? ଏମିତି ଅନେକ ପ୍ରଶ୍ନ ଆମ ମନରେ ସୃଷ୍ଟି ହୁଏ। ଆମେରିକାର ସିଲିକନ ଭ୍ୟାଲି ବ୍ୟାଙ୍କ ଓ ସିଗ୍ନେଚର ବ୍ୟାଙ୍କ ଡୁବିଯିବା ପରେ ଏ ସବୁ ପ୍ରଶ୍ନଗୁଡ଼ିକର ପ୍ରାସଂଗିକତା ହଠାତ ବହୁତ ବଢ଼ିଯାଇଛି।
କେମିତି ଆୟ କରନ୍ତି ବ୍ୟାଙ୍କ?
ବ୍ୟାଙ୍କଗୁଡ଼ିକ ସାଧାରଣତଃ ସେମାନଙ୍କ ବ୍ୟବସାୟ ଗ୍ରାହକଙ୍କ ଜମା ଉପରେ ହିଁ ନିର୍ଭର କରନ୍ତି। ଗ୍ରାହକମାନେ ବ୍ୟାଙ୍କରେ ସାଧାରଣତଃ ସେଭିଙ୍ଗ ଆକାଉଣ୍ଟ (ସ୍ଥାୟୀ ଜମା) ଏବଂ କରେଣ୍ଟ ଆକାଉଣ୍ଟରେ (ଚଳନ୍ତି ଜମା) ଟଙ୍କା ରଖିଥାନ୍ତି। ଆଉ କେତେକ ବ୍ୟକ୍ତି ଫିକ୍ସ ଡିପୋଜିଟ୍ କରିଥାନ୍ତି। ଏହି ଅର୍ଥକୁ ବ୍ୟାଙ୍କ ଋଣ ଆକାରରେ ବିଭିନ୍ନ ସଂସ୍ଥା ଏବଂ ବ୍ୟକ୍ତିଙ୍କୁ ପ୍ରଦାନ କରେ। ପର୍ସନାଲ ଲୋନ୍, ହାଉସିଂ ଲୋନ୍, ଅଟୋ ମୋବାଇଲ ଲୋନ୍, ବ୍ୟବସାୟ ଋଣ – ଏମିତି ଅନେକ ପ୍ରକାରର ଋଣ ବ୍ୟାଙ୍କମାନେ ଦିଅନ୍ତି। ଜମା ଉପରେ ଗ୍ରାହକମାନଙ୍କୁ ବାର୍ଷିକ ୪ରୁ ୬ ପ୍ରତିଶତ ଯାଏଁ ସୁଧ ମିଳୁଥିବା ବେଳେ ପର୍ସନାଲ ଲୋନ୍ ପାଇଁ ଧାରକକୁ ୧୭ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଦେବାକୁ ପଡ଼ିଥାଏ। ଏଥିରୁ ହିଁ ବ୍ୟାଙ୍କ ପ୍ରଚୁର ଲାଭ କରନ୍ତି।
କେବଳ ଋଣ ନୁହେଁ, ବ୍ୟାଙ୍କର ବିଭିନ୍ନ ଦେୟଯୁକ୍ତ ସୁବିଧା ରହିଛି। ଏଥିପାଇଁ ଗ୍ରାହକମାନଙ୍କୁ କମିଶନ ଓ ଅର୍ଥ ଦେବାକୁ ପଡ଼େ। ଡ୍ରାଫ୍ଟ୍, ଚେକ୍, ଡେବିଟ୍ କାର୍ଡ ପାଇଁ ମଧ୍ୟ ଗ୍ରାହକଙ୍କୁ ଅର୍ଥ ଦେବାକୁ ପଡ଼େ। ଏଥିରୁ ବ୍ୟାଙ୍କଗୁଡ଼ିକ ଆୟ କରନ୍ତି। ଲକର ସୁବିଧା ନେଉଥିବା ଲୋକଙ୍କୁ ମଧ୍ୟ ଦେୟ ଦେବାକୁ ପଡ଼ିଥାଏ।
ଦେୟଯୁକ୍ତ ସୁବିଧା ବ୍ୟତୀତ ବ୍ୟାଙ୍କଗୁଡ଼ିକ ଜମାପୁଞ୍ଜିକୁ ବିଭିନ୍ନ କ୍ଷେତ୍ରରେ ନିବେଶ କରନ୍ତି। ସରକାରୀ ବଣ୍ଡ୍ କିଣନ୍ତି। ଷ୍ଟକ ମାର୍କେଟରେ ନିବେଶ କରନ୍ତି। ସରକାରଙ୍କ ପାଇଁ ବି ବଣ୍ଡ୍ କିଣନ୍ତି। ଏଥିରୁ ବ୍ୟାଙ୍କଗୁଡ଼ିକ ବିଶେଷ ଲାଭ କରନ୍ତି। ବ୍ୟାଙ୍କଗୁଡ଼ିକ ଫରେନ୍ ଏକ୍ସଚେଞ୍ଜ ଏଜେଣ୍ଟ ଭଳି କାମ କରନ୍ତି। ବିଦେଶକୁ ଟଙ୍କା ପଠାଇବା ଉପରେ ଅତିରିକ୍ତ ଦେୟ ଦେବାକୁ ପଡ଼େ। ଏହି ଦେୟରୁ ହିଁ ବ୍ୟାଙ୍କର ଆୟ ହୁଏ। ଇନସ୍ୟୁରାନ୍ସ ଓ ମ୍ୟୁଚୁଆଲ ଫଣ୍ଡସ ବିକ୍ରିର ଏଜେଣ୍ଟ ଭାବେ ଏମାନେ ମଧ୍ୟ ଆୟ କରନ୍ତି।
ବ୍ୟାଙ୍କର ଆୟ କମେ କାହିଁକି?
ବିଭିନ୍ନ ଉତ୍ସରୁ ବ୍ୟାଙ୍କଗୁଡ଼ିକ ବହୁତ ଲାଭ କରିଥାନ୍ତି। କିନ୍ତୁ ବେଳେ ବେଳେ ଏମିତି ଘାଟା ହୁଏ ତାହା ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ସମ୍ଭାଳିବା କଷ୍ଟକର ହୋଇଯାଏ। ଯେତେବେଳେ ବ୍ୟାଙ୍କ ପାଖରେ ପଇସା ସରିଯାଏ ଓ ଆସିବା ବି ବନ୍ଦ ହୋଇଯାଏ ସେତେବେଳେ ବିଭିନ୍ନ ଅସୁବିଧା ଦେଖାଦେଇଥାଏ। ବ୍ୟାଙ୍କ କର୍ତ୍ତୃପକ୍ଷ ସାହାଯ୍ୟ ପାଇଁ ହାତ ଟେକି ଦିଅନ୍ତି ଆଉ ନିଜକୁ ଦେବାଳିଆ ଘୋଷଣା କରିବା ପାଇଁ ଆବେଦନ କରନ୍ତି।
ଗୋଟିଏ ବ୍ୟାଙ୍କ ୫୦ ପ୍ରତିଶତରୁ ଅଧିକ ଆୟ କେବଳ ଋଣରୁ ହିଁ କରେ। ବାକି ଆୟ ଷ୍ଟକମାର୍କେଟ, ବଣ୍ଡ୍ କିଣିବା, ବ୍ରୋକରିଂରୁ ହୁଏ। ଏମିତି ସ୍ଥିତି ହୁଏ ବ୍ୟାଙ୍କ ଋଣ ଦେଇ ଚାଲନ୍ତି, କିନ୍ତୁ ଆଦାୟ ସେହି ଅନୁସାରେ ହୁଏ ନାହିଁ। ଯେତେବେଳେ ଅନାଦେୟ ବଢ଼ିବାରେ ଲାଗେ ସେତେବେଳେ ବ୍ୟାଙ୍କର ନନ୍ ପର୍ଫର୍ମିଂ ଆସେଟ ବଢ଼ିବାରେ ଲାଗେ। ବ୍ୟାଙ୍କର ସ୍ଵାସ୍ଥ୍ୟ ଖରାପ ହେବାରେ ଲାଗେ। ନୂଆ ଲୋନ୍ ଦିଆଯାଇ ପାରେନି ଏବଂ ବ୍ୟାଙ୍କର ଆୟ କମିବାରେ ଲାଗେ।
ବେଳେ ବେଳେ ଦେଶର ଆର୍ଥିକ ସ୍ଥିତି ଦୁର୍ବଳ ହେଲେ ବ୍ୟାଙ୍କ ବି ଦୁର୍ବଳ ହୁଅନ୍ତି। ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ସରକାର ସୁଧହାର ବଢ଼ାଇଥାନ୍ତି। ରିଜର୍ଭ ବ୍ୟାଙ୍କ ଦୁଇ ପ୍ରକାର ସୁଧ ସ୍ଥିର କରନ୍ତି। ଗୋଟିଏ ରେପୋ ଅନ୍ୟଟି ରିଭର୍ସ ରେପୋ। ରିଜର୍ଭ ବ୍ୟାଙ୍କ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକୁ ଯେଉଁ ସୁଧହାରରେ ଋଣ ଦିଅନ୍ତି ତାକୁ ରେପୋରେଟ୍ ବୋଲି କୁହାଯାଏ। ଯେତେବେଳେ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ ବଢ଼ାଇବା ସହ ରିଭର୍ସ ରେପୋ କମାନ୍ତି ସେତେବେଳେ ବ୍ୟାଙ୍କଗୁଡ଼ିକ ଅସୁବିଧାରେ ପଡ଼ନ୍ତି। ସୁଧହାର ବଢ଼ିଗଲେ ଏହାର ସିଧା ପ୍ରଭାବ ଗ୍ରାହକମାନଙ୍କ ଉପରେ ପଡ଼େ। ସୁଧ ହାର ବଢ଼ିଗଲେ ଋଣ ନେଉଥିବା ଲୋକଙ୍କ ସଂଖ୍ୟା କମିଯାଏ।
ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ରିଜର୍ଭ ବ୍ୟାଙ୍କ କ୍ୟାସ୍ ରିଜର୍ଭ ରେସିଓକୁ ବି ନିୟନ୍ତ୍ରିଣ କରେ। ଏହାକୁ ବଢ଼ାଇଦେଲେ ବ୍ୟାଙ୍କଗୁଡ଼ିକର ହାତ ଛୋଟ ହୋଇଯାଏ। ଅର୍ଥାତ ବ୍ୟାଙ୍କଗୁଡ଼ିକ ରିଜର୍ଭ ବ୍ୟାଙ୍କରେ ରଖୁଥିବା ଜମାର ପରିମଣ ବଢ଼ାଇ ଦିଆଯାଏ। ଏହି ଅର୍ଥକୁ ବ୍ୟାଙ୍କ ନା ଋଣ ଦେଇ ପାରିବେ ନା ନିବେଶ କରି ପାରିବେ। ବ୍ୟାଙ୍କ ପାଖରେ ଋଣ ଦେବା ପାଇଁ ଉପଲବ୍ଧ ଅର୍ଥର ପରିମାଣ କମିଯାଏ।
ସେହିପରି ଷ୍ଟାଚ୍ୟୁଟାରି ଲିକ୍ୟୁଡିଟି ରିଜର୍ଭ ପାଇଁ ମଧ୍ୟ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦିଷ୍ଟ ପରିମାଣର ନଗଦ, ସୁନା ଓ ବଣ୍ଡ୍ ଆକାରରେ ରଖିବାକୁ ପଡ଼େ। ଏହା ବଢ଼ିଗଲେ ସ୍ଵାଭାବିକ ଭାବେ ବ୍ୟାଙ୍କ ପାଖରେ ଋଣ ଦେବାକୁ ଉପଲବ୍ଧ ଅର୍ଥ କମିଯାଏ।
ବ୍ୟାଙ୍କରେ ଆର୍ଥିକ ସଙ୍କଟ କେତେବେଳେ ଦେଖାଦିଏ?
ବ୍ୟାଙ୍କଗୁଡ଼ିକ ଲୋନ୍ ଦେବାରେ ଲାଗନ୍ତି। ବେଳେ ବେଳେ କୌଣସି ବ୍ୟକ୍ତି କିମ୍ବା ପ୍ରତିଷ୍ଠାନର ସମ୍ପତ୍ତି ଆକଳନ ଓ ଋଣ ସୁଝିବାର ଶକ୍ତି ଆକଳନ କରି ପାରନ୍ତି ନାହିଁ ବ୍ୟାଙ୍କ। ଅସାଧୁ କର୍ମଚାରୀଙ୍କ ଯୋଗୁ ବି ଅଯୋଗ୍ୟ ଲୋକଙ୍କୁ ଋଣ ଦିଆ ହୋଇଥାଏ। ଏହି ଋଣ ସବୁ ଆଉ ଆଦାୟ ହୋଇ ପାରେନାହିଁ। ଧୀରେ ଧୀରେ ବ୍ୟାଙ୍କର ଋଣ ଅନାଦେୟ ହୋଇ ଏନପିଏ ବଢ଼ିବାରେ ଲାଗେ। କିଛି ଲୋକ ଋଣ ନେଇ ଆଦୌ ଫେରାନ୍ତି ନାହିଁ। ମେହୁଲ ଚୋଖସୀ, ବିଜୟ ମାଲ୍ୟା ଏବଂ ନୀରବ ମୋଦି ଏହାର ବଡ଼ ଉଦାହରଣ।
ଟଙ୍କା କମି କମି ଏମିତି ସ୍ଥିତି ହୁଏ ଗୋଟିଏ ବି ଋଣ ଦେବା ସ୍ଥିତିରେ ବ୍ୟାଙ୍କ ରହେନାହିଁ। ଜମାକାରୀମାନଙ୍କୁ ମଧ୍ୟ ସେମାନଙ୍କ ଆବଶ୍ୟକତା ସମୟରେ ଅର୍ଥ ଫେରାଇ ପାରେନି ବ୍ୟାଙ୍କ। ଲାଭଜନକ ଷ୍ଟକରେ ନିବେଶ ବି କରିପାରେନି। ବେଳ ଖରାପ ଥିଲେ ବ୍ୟାଙ୍କକୁ ସବୁଆଡୁ ସମସ୍ୟା ଆସିକି ପହଞ୍ଚେ। ଗୋଟିଏ ପଟେ ବ୍ୟାଙ୍କର ଅର୍ଥ ବଜାରରେ ପଡ଼ିରହିଥାଏ। ଅନ୍ୟ ପଟେ ଯଦି ନିବେଶରେ କ୍ଷତି ହୁଏ ଏବଂ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରି ନ ହୁଏ ତେବେ ବ୍ୟାଙ୍କ ଟଳମଳ ହୁଏ। ଯଦି ସବୁ ଗ୍ରାହକ ଏକାଥରକେ ଟଙ୍କା ମାଗିବାକୁ ଆସି ଯାଆନ୍ତି ସେତେବେଳେ ବ୍ୟାଙ୍କ ପାଖରେ କିଛି ରାସ୍ତା ନ ଥାଏ। ଏଭଳି ପରିସ୍ଥିତିରେ ବ୍ୟାଙ୍କ କର୍ତ୍ତୃପକ୍ଷ ହାତ ଟେକି ଦିଅନ୍ତି। ଠିକ୍ ଏମିତି ହିଁ ଆମେରିକାର ସିଲିକନ୍ ଭ୍ୟାଲି କ୍ଷେତ୍ରରେ ହୋଇଛି।
ବ୍ୟାଙ୍କ ଡୁବିଗଲେ ଗ୍ରାହକ କେମିତି ପାଇବେ ଟଙ୍କା?
ଆମ ଦେଶରେ କିଛି ଜାତୀୟକରଣ ବ୍ୟାଙ୍କ ଓ ବହୁତ ପ୍ରାଇଭେଟ୍ ବ୍ୟାଙ୍କ ରହିଛି। ଦୁର୍ଗତି କାହା ସହିତ ବି ଘଟିପାରେ। ତେଣୁ ଗ୍ରାହକଙ୍କ ସ୍ଵାର୍ଥ ରକ୍ଷା ପାଇଁ ଭାରତ ସରକାର ଏକ ବୀମାର ବ୍ୟବସ୍ଥା କରିଛନ୍ତି। ଯଦି ବ୍ୟାଙ୍କ ଡୁବିଯାଏ ବା ଦେବାଳିଆ ଘୋଷିତ ହୁଏ ତେବେ ଗ୍ରାହକଙ୍କୁ ସର୍ବାଧିକ ୫ ଲକ୍ଷ ଟଙ୍କା ଯାଏଁ ଜମା ରାଶି ମିଳିବ। ଏସବୁ ବ୍ୟବସ୍ଥା କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣାଧୀନ ଡିପୋଜିଟ୍ ଇନସ୍ୟୁରାନ୍ସ ଆଣ୍ଡ କ୍ରେଡିଟ ଗ୍ୟାରେଣ୍ଟି କର୍ପୋରେସନ- ଡିଆଇସିଜିସି ଦେଖାଶୁଣା କରିଥାନ୍ତି।
ଯଦି କୌଣସି ବ୍ୟାଙ୍କ ଦେବାଳିଆ ହୋଇଯାଏ ତେବେ ଡିଆଇଜିସି ସମସ୍ତ ଜମାକାରୀଙ୍କର ହିସାବ କରନ୍ତି। ବ୍ୟାଙ୍କର ସମ୍ପତ୍ତି ହିସାବ କରନ୍ତି। ଯଦି ବ୍ୟାଙ୍କ ପାଖରେ କିଛି ବି ଟଙ୍କା ନ ଥାଏ ତେବେ ଜମାକାରୀଙ୍କୁ ସର୍ବନିମ୍ନ ରାଶି ଡିଆଇଜିସି ହିଁ ପ୍ରଦାନ କରନ୍ତି। ତେବେ ଜଣେ ଜମାକାରୀ ଯଦି ୫ ଲକ୍ଷ ଟଙ୍କା ରଖିଥାଏ ତେବେ ୫ ଲକ୍ଷ ହିଁ ମିଳିବ। ଯଦି ଜଣେ ୫କୋଟି ବି ରଖିଥିବ ତେବେ ସେହି ୫ ଲକ୍ଷ ହିଁ ମିଳିବ। କହିବାକୁ ଗଲେ ୫ ଲକ୍ଷ ଟଙ୍କା ଯାଏଁ ଜମା ରଖୁଥିବା କ୍ଷୁଦ୍ର ଜମାକାରୀଙ୍କ ଜମା ଶତପ୍ରତିଶତ ସୁରକ୍ଷିତ ରହିବ। ଏଥିପାଇଁ ଭାରତ ସରକାର ବ୍ୟବସ୍ଥା କରିଛନ୍ତି।
Tags: #SiliconValleyBank #StartupCompany #Deposit #WorldEconomy