ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ଭବିଷ୍ୟନିଧି ପାଣ୍ଠି ନିୟାମକ ଓ ବିକାଶ କର୍ତ୍ତୃପକ୍ଷର (ପିଏଫଆରଡିଏ) ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ଦୀପକ ମହାନ୍ତି। ଏନେଇ ମଙ୍ଗଳବାର କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସୁପ୍ରୀତମ ବନ୍ଦୋପଧ୍ୟାୟ ୨୦୨୩ ଜାନୁଆରି ମାସରେ ଅବସର ନେବାପରେ ଏହି ପଦବୀ ଖାଲି ପଡ଼ିଥିଲା। ଏବେ ସେହି ସ୍ଥାନରେ ଦୀପକ ମହାନ୍ତିଙ୍କୁ ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି।

ଭାରତରେ ଜଣେ ଦକ୍ଷ ଅର୍ଥନୀତିଜ୍ଞ ଭାବେ ଦୀପକ ମହାନ୍ତି ଜଣାଶୁଣା। ସେ ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦେଶକ ଭାବେ ଦାୟିତ୍ୱ ତୁଳାଇଥିଲେ। ବ୍ୟାଙ୍କିଂ ନିୟମାବଳୀ, ରିସ୍କ ମ୍ୟାନେଜମେଣ୍ଟ, ବ୍ୟାଙ୍କିଂ ଅଡିଟ୍ ତଥା ଯାଞ୍ଚ ଆଦି କ୍ଷେତ୍ରରେ ସେ କାର୍ଯ୍ୟ କରିଛନ୍ତି। ଏହାଛଡ଼ା ସେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର (ଆଇଏମଏଫ) ବରିଷ୍ଠ ପରାମର୍ଶଦାତା ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।

କେନ୍ଦ୍ର ସରକାର ୨୦୨୦ ମସିହାରେ ଦୀପକ ମହାନ୍ତିଙ୍କୁ ପିଏଫଆରଡିଏର ପୂର୍ଣ୍ଣକାଳୀନ ସଦସ୍ୟ ଭାବେ ମନୋନୀତ କରିଥିଲେ। ସେ ପିଏଫଆରଡିଏର ଅର୍ଥନୀତି ବିଭାଗର ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ।

କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଏବେ ଦୀପକ ମହାନ୍ତିଙ୍କ ସ୍ଥାନରେ ମମତା ଶଙ୍କରଙ୍କୁ ପିଏଫଆରଡିଏର ପୂର୍ଣ୍ଣକାଳୀନ ସଦସ୍ୟ ଭାବେ ମନୋନୀତ କରିଛନ୍ତି । ସେ ହେଉଛନ୍ତି ୧୯୯୩ ବ୍ୟାଚର ଭାରତୀୟ ଅର୍ଥନୀତି ସେବା ଅଧିକାରୀ।

ପିଏଫଆରଡିଏ ବା Pension Fund Regulatory and Development Authority କ’ଣ ?

ଭାରତରେ ଉଭୟ ସରକାରୀ ଓ ବେସରକାରୀ ପେନସନ ବ୍ୟବସ୍ଥାର ନିୟନ୍ତ୍ରଣ ଏବଂ ବିକାଶ ଲକ୍ଷ୍ୟରେ ୨୦୦୩ ମସିହାରେ ପିଏଫଆରଡିଏର ଗଠନ କରାଯାଇଥିଲା। ଏହା ଆରମ୍ଭରେ ସରକାରୀ କର୍ମଚାରୀଙ୍କ ପାଇଁ ଗଠନ ହୋଇଥିଲା, କିନ୍ତୁ ପରେ ଏହାର ସେବାକୁ ବ୍ୟାପକ କରାଯାଇଥିଲା। ଏଥିରେ ବେସରକାରୀ ସଂସ୍ଥା ଓ ବିଦେଶରେ କାର୍ଯ୍ୟ କରୁଥିବା ଭାରତୀୟଙ୍କ ପେନସନକୁ ମଧ୍ୟ ଅନ୍ତର୍ଭୁକ୍ତ କରଯାଇଥିଲା।

Tags: #PFRDA #Chairperson #DeepakMohanty #CentralFinanceMinistry #India

Comment