ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ) ସୁଧହାରକୁ ବଢ଼ାଇଛନ୍ତି କେନ୍ଦ୍ର ସରକାର। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଇପିଏଫ ଖାତାଧାରୀଙ୍କୁ ପୂର୍ବ ବର୍ଷ ତୁଳନାରେ ୦.୦୫ ପ୍ରତିଶତ ଅଧିକ ସୁଧ ମିଳିବ। ଏହାଫଳରେ ଇପିଏଫ ସୁଧହାର ୮.୧୦ ପ୍ରତିଶତରୁ ବଢ଼ି ଏବେ ୮.୧୫ ପ୍ରତିଶତରେ ପହଞ୍ଚିଛି। ଏନେଇ ସୋମବାର କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ସୁଧହାର ବୃଦ୍ଧି ଫଳରେ ଇପିଏଫ ଆକାଉଣ୍ଟ ଖୋଲିଥିବା ଦେଶର ୬ କୋଟିରୁ ଅଧିକ କର୍ମଚାରୀ ଉପକୃତ ହେବେ। ଏହି ବର୍ଦ୍ଧିତ ସୁଧ ପୂର୍ବ ଆର୍ଥିକବର୍ଷ ଆରମ୍ଭରୁ ପିଛିଲା ଭାବେ ଲାଗୁ ହେବ।

ଚଳିତ ବର୍ଷ ମାର୍ଚ୍ଚ ୨୮ ତାରିଖରେ ଭବିଷ୍ୟନିଧି ପାଣ୍ଠି ସଂଗଠନର (ଇପିଏଫଓ) ସେଣ୍ଟ୍ରାଲ ବୋର୍ଡ ଅଫ ଟ୍ରଷ୍ଟିସ୍ ବୈଠକରେ ଇପିଏଫ ସୁଧହାର ବୃଦ୍ଧିକୁ ନେଇ ସୁପାରିସ କରାଯାଇଥିଲା। ପରେ ଏହାକୁ ଅନୁମୋଦନ ପାଇଁ କେନ୍ଦ୍ର ସରକାରଙ୍କ ପାଖକୁ ପଠାଯାଇଥିଲା।

ଏହାପରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ଧାରା ୬୦ (କ) ଅନୁସାରେ ଇପିଏଫ ସୁଧହାର ବୃଦ୍ଧି ପ୍ରସ୍ତାବକୁ ଗୃହୀତ କରାଯାଇଛି। ଏବେ ଏ ସମ୍ପର୍କିତ ସରକାରୀ ନିର୍ଦେଶକୁ ସବୁ ଆଞ୍ଚଳିକ କର୍ମଚାରୀ ଭବିଷ୍ୟନିଧି କାର୍ଯ୍ୟାଳୟକୁ ଜଣାଇଦିଆଯାଇଛି।

ଏହା ପୂର୍ବରୁ ୨୦୨୨ ମସିହାରେ କେନ୍ଦ୍ର ସରକାର ଇପିଏଫ ସୁଧହାରକୁ ୦.୪ ପ୍ରତିଶତ କମ କରି ଦେଇଥିଲେ। ଏହାଫଳରେ ବର୍ଷ ୨୦୨୧-୨୨ରେ ସୁଧହାର ୮.୫୦ ରୁ ୮.୧୦ ପ୍ରତିଶତକୁ ଖସିଯାଇଥିଲା। ଏହା ୪୦ ବର୍ଷରେ ସବୁଠୁ କମ ଥିଲା।

Tags: #EmployeesProvidentFund #EPFO #InterestRate #CentralFinanceministry

 

Comment