ଓଡ଼ିଶାଲାଇଭ୍ ବ୍ୟୁରୋ

କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ପକ୍ଷରୁ ଆଧାର କାର୍ଡକୁ ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି। ଏବେ ଇପିଏଫଓରେ କୌଣସି କାର୍ଯ୍ୟ ପାଇଁ ଆଧାର କାର୍ଡକୁ ଜନ୍ମ ତାରିଖ ପ୍ରମାଣପତ୍ର ଭାବେ ବ୍ୟବହାର କରିହେବ ନାହିଁ। ଏନେଇ ଇପିଏଫଓ ପକ୍ଷରୁ ସର୍କୁଲାର ଜାରି ହୋଇଛି।

ଇପିଏଫଓର ସର୍କୁଲାର ଅନୁସାରେ ଜନ୍ମ ତାରିଖ ପ୍ରମାଣପତ୍ରର ବୈଧ ଦଲିଲ୍ ତାଲିକାରୁ ଆଧାର କାର୍ଡକୁ ବାଦ ଦିଆଯାଇଛି। ଆଧାର କାର୍ଡକୁ କେବଳ ପରିଚୟ ପତ୍ର ଏବଂ ଆବାସିକ ପ୍ରମାଣପତ୍ର ଭାବରେ ବ୍ୟବହାର କରାଯିବ। ଏହାକୁ ଜନ୍ମ ପ୍ରମାଣପତ୍ର ଭାବେ ବ୍ୟବହାର କରିବା ଉଚିତ୍ ନୁହେଁ ବୋଲି ଇପିଏଫଓ ପକ୍ଷରୁ କୁହାଯାଇଛି।

ତେବେ ଇପିଏଫଓରେ ଜନ୍ମ ତାରିଖ ସଂଶୋଧନ ପାଇଁ ବ୍ୟକ୍ତିଙ୍କ ଜନ୍ମ ପ୍ରମାଣପତ୍ର, ମାଟ୍ରିକ ସାର୍ଟିଫିକେଟ, ବିଶ୍ୱବିଦ୍ୟାଳୟର ମାର୍କସିଟକୁ ବ୍ୟବହାର କରିହେବ। ଏହାବ୍ୟତୀତ ପାସପୋର୍ଟ, ପାନ୍ କାର୍ଡ, ସରକାରୀ ପେନସନ୍ ଏବଂ ମେଡିକାଲ ପ୍ରମାଣପତ୍ର ଆଦିକୁ ଜନ୍ମ ତାରିଖର ପ୍ରମାଣପତ୍ର ଭାବେ ବ୍ୟବହାର କରାଯାଇପାରିବ।

ଜନ୍ମ ତାରିଖ ପରିବର୍ତ୍ତନ ପାଇଁ ଆଧାର କାର୍ଡ ବୈଧ ହେବ ନାହିଁ ବୋଲି ଆଧାର କାର୍ଡର ପରିଚାଳନା ସଂସ୍ଥା ୟୁଆଇଡିଏଆଇ ପକ୍ଷରୁ ଇପିଏଫଓକୁ ଚିଠି କରାଯାଇଥିଲା। ଏହାପରେ ଏହି ନିଷ୍ପତ୍ତି ନିଆଯାଇଛି।

Tags: #EPFO #DateofBirthProof #AADHAARCard #ProvidentFund #UIDAI

Comment