ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ରାସନ କାର୍ଡ ସହ ଆଧାର କାର୍ଡ ଲିଙ୍କ କରିବାର ସମୟସୀମାକୁ ବଢ଼ାଇଛନ୍ତି କେନ୍ଦ୍ର ସରକାର। ଏବେ ୨୦୨୩ ସେପ୍ଟେମ୍ବର ମାସ ୩୦ ତାରିଖ ଯାଏଁ ଏହି ଦୁଇ କାର୍ଡକୁ ଲିଙ୍କ କରି ହେବ। ଦେଶର ଗରିବ ଲୋକଙ୍କ ସ୍ଵାର୍ଥକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ କେନ୍ଦ୍ର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ରାସନ କାର୍ଡ ସହ ଆଧାର ଲିଙ୍କ କରିବା ପାଇଁ ପୂର୍ବରୁ ଜୁନ ୩୦ ତାରିଖର ସମୟସୀମା ନିର୍ଦ୍ଧାରିତ ହୋଇଥିଲା। ଏ ଯାଏଁ ଆହୁରି ଅନେକ ଲୋକ ଏହି ଦୁଇ କାର୍ଡକୁ ସଂଯୋଗ କରିନଥିବାରୁ ଏବେ ଏହାର ସମୟସୀମାକୁ ଆହୁରି ୩ ମାସ ଯାଏଁ ବଢ଼ାଯାଇଛି।

ଦେଶରେ କିଛି ଲୋକଙ୍କ ପାଖରେ ଏକାଧିକ ରାସନ କାର୍ଡ ଥିବାରୁ ଉପୁଜୁଥିବା ସମସ୍ୟାର ସମାଧାନ କରିବା ପାଇଁ କେନ୍ଦ୍ର ସରକାର ଏହା ସହ ଆଧାର କାର୍ଡ ଲିଙ୍କ କରିବାକୁ ନିଷ୍ପତ୍ତି ନେଇଥିଲେ। ୨୦୨୨ ମସିହା ଅଗଷ୍ଟ ମାସ ୧ ତାରିଖରୁ ଏହି ଦୁଇ କାର୍ଡର ସଂଯୋଗୀକରଣ ଆରମ୍ଭ ହୋଇଥିଲା।

 

ଭାରତରେ ସାଧରଣ ଖାଉଟି ବିଶେଷ କରି ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ଲୋକମାନଙ୍କୁ ରାସନ କାର୍ଡ ଦ୍ଵାରା ଚାଉଳ, ଗହମ ଆଦି ଖାଦ୍ୟ ଶସ୍ୟ ଶସ୍ତାରେ ମିଳେ। ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ଦେଶରେ ଲୋକମାନଙ୍କ ଖାଦ୍ୟ ନିରାପତ୍ତାକୁ ବଜାୟ ରଖିବାରେ ଏହି କାର୍ଡ ବିଶେଷ ଉପଯୋଗୀ ହୋଇଥାଏ।

Tags: #RationCard-AadhaarLink #AadhaarCard #FoodSecurity #FoodDistribution

 

Comment