ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ପାନ୍ କାର୍ଡ ସହ ଆଧାର ସଂଯୋଗ କରିବାର ଶେଷ ତାରିଖ ମାର୍ଚ୍ଚ ୩୧କୁ ଧାର୍ଯ୍ୟ କରାଯାଇଛି। ଏହି ଅବଧି ଭିତରେ ଯଦି କୌଣସି ବ୍ୟକ୍ତି ନିଜର ପାନ୍-ଆଧାର ସଂଯୋଗ ନକରିବେ, ତେବେ ପାନ୍ କାର୍ଡ ବ୍ଲକ ହୋଇଯିବ। ଏନେଇ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ସୂଚନା ଦିଆଯାଇଛି।

ସିବିଡିଟି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଯଦି ବିନା ଆଧାର ସଂଯୋଗରେ କୌଣସି ବ୍ୟକ୍ତିଙ୍କ ପାନ୍ କାର୍ଡ ବ୍ଲକ ହୋଇଯିବ, ତେବେ ସେମାନଙ୍କୁ ଆୟକର ରିଟର୍ଣ୍ଣ ଦାଖଲରେ ସମସ୍ୟା ହେବ। ଏହାଛଡ଼ା ସେମାନେ ଟିକସ ସମ୍ବନ୍ଧୀୟ ଲାଭ ପାଇବାରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବେ।

“ଭାରତରେ ମୋଟ ୬୧ କୋଟି ପାନ୍ କାର୍ଡଧାରୀଙ୍କ ମଧ୍ୟରୁ ଏ ପର୍ଯ୍ୟନ୍ତ ପ୍ରାୟ ୪୮ କୋଟି ପାନ୍-ଆଧାର ସଂଯୋଗ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଅନେକ ପାନ୍ କାର୍ଡ ଆଧାର ସହିତ ସଂଯୋଗ ହୋଇନାହିଁ, କିନ୍ତୁ ମାର୍ଚ୍ଚ ୩୧ ଶେଷ ସୁଦ୍ଧା ଏହି କାର୍ଯ୍ୟ ଶେଷ ହେବ ବୋଲି ଆଶା କରାଯାଉଛି। ଏହାପରେ ଆଧାର ସଂଯୋଗ ହୋଇ ନଥିବା ପାନ୍ କାର୍ଡ ବ୍ଲକ ହୋଇଯିବ”, ସିବିଡିଟି ଅଧ୍ୟକ୍ଷ ନୀତିନ ଗୁପ୍ତା।

ପୂର୍ବରୁ ଭାରତ ସରକାର ଏହି ପାନ୍-ଆଧାର ଲିଙ୍କ ପାଇଁ ୨୦୨୨ ଡିସେମ୍ବର ୩୧କୁ ଶେଷ ତାରିଖ ଘୋଷଣା କରିଥିଲେ। ଏହାପରେ ଏହି ଅବଧିକୁ ୩ ମାସ ଯାଏଁ ବୃଦ୍ଧି କରି ମାର୍ଚ୍ଚ ୩୧ ତାରିଖ କରି ଦେଇଥିଲେ। ଏହା ଉପରେ ୧୦୦୦ ଟଙ୍କାର ଜୋରିମାନା ଧାର୍ଯ୍ୟ କରିଥିଲେ କେନ୍ଦ୍ର ସରକାର।

ଏବେ ମାର୍ଚ୍ଚ ୩୧ ତାରିଖ ଯାଏଁ ଲୋକମାନେ ଜୋରିମାନା ଦେଇ ପାନ୍-ଆଧାର ଲିଙ୍କ କରିପାରିବେ। ଯଦି ଉଭୟ ଆଧାର ଏବଂ ପାନ୍‌କାର୍ଡରେ ଟିକସଦାତାଙ୍କ ନାମ ଏବଂ ଜନ୍ମ ତାରିଖ ସମାନ ଥିବା ତେବେ ଯାଇ ଏହି ଲିଙ୍କ ହୋଇପାରିବ।

Tags: #PAN-AADHAARLink #PANCard #AADHAARCard #CBDT #IncomeTaxDept #India

Comment