ଓଡ଼ିଶାଲାଇଭ୍ ବ୍ୟୁରୋ

ଆଗାମୀ ୧୦ ବର୍ଷରେ ମିଲେଟ୍ସକୁ ନେଇ ବିଶ୍ଵରେ ନୀତି ନିର୍ଦ୍ଧାରଣ ପାଇଁ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀରେ ସ୍ଵତନ୍ତ୍ର ଅଧିବେଶନ।   

ଆଜିର ସମୟରେ ସାରା ଦୁନିଆରେ ଖାଦ୍ୟ ଅଭାବକୁ ଦୂର କରିବା ପାଇଁ ମିଲେଟ୍ସ ବା ପୁଷ୍ଟିଶସ୍ୟ ଏକ ବଳିଷ୍ଠ ଉପାଦାନ ହୋଇପାରିବ। ଏହା ଖାଦ୍ୟ ସଙ୍କଟର ମୁକାବିଲା କରିବା ସହ ଲୋକମାନଙ୍କର ପୋଷଣର ଆବଶ୍ୟକତା ମଧ୍ୟ ପୂରଣ କରିପାରିବ। ମିଲେଟ୍ସର ପ୍ରଚାର ପ୍ରସାରକୁ ବ୍ୟାପକ କରିବା ପାଇଁ ନିକଟରେ ଭୁବନେଶ୍ଵରରେ ଆୟୋଜିତ ହୋଇଥିଲା ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ। ମିଲେଟ୍ସକୁ ନେଇ ଆଗାମୀ ୧୦ ବର୍ଷରେ ବିଶ୍ଵରେ କିଭଳି ଭାବେ ନୀତି ନିର୍ଦ୍ଧାରଣ ହେବ ସେନେଇ ଏହି ସମ୍ମିଳନୀରେ ଏକ ସ୍ଵତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା।

ଏହି ସ୍ଵତନ୍ତ୍ର ଅଧିବେଶନକୁ ଓଡ଼ିଶା କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ ପରିଚାଳନା କରିଥିଲେ। ଏଥିରେ ଦେଶ ବିଦେଶର କୃଷି ବୈଜ୍ଞାନିକ, ବିଭିନ୍ନ କୃଷି ଅନୁଷ୍ଠାନର ବିଶିଷ୍ଟ ବ୍ୟକ୍ତି ତଥା ପଲିସି ମେକରମାନେ ଯୋଗ ଦେଇଥିଲେ। ଏଠାରେ ମିଲେଟ୍ସର ପ୍ରଚାର ପ୍ରସାରକୁ ବଢ଼ାଇବା ପାଇଁ ଆବଶ୍ୟକ ପଡ଼ୁଥିବା ନୀତି ଓ ପଦକ୍ଷେପଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା।

“ଆମେ ଏବେ ୨୦୨୩କୁ ମିଲେଟ୍ସର ଅନ୍ତର୍ଜାତୀୟ ବର୍ଷ ଭାବେ ପାଳନ କରୁଛୁ। ହେଲେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ମିଲେଟ୍ସର ପ୍ରଚାର ପ୍ରସାରକୁ ବ୍ୟାପକ କରିବା ପାଇଁ ବହୁତ ଆଗରୁ ପ୍ରୟାସ ଆରମ୍ଭ କରିଛି। ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟର ମିଲେଟ୍ସ ଉତ୍ପାଦନ ମଧ୍ୟ ବଢ଼ିଛି। ମିଲେଟ୍ସ ଚାଷକୁ ଚାଷୀମାନଙ୍କ ମଧ୍ୟରେ ଲୋକପ୍ରିୟ କରିବା ପାଇଁ ସେମାନଙ୍କୁ ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ସହ ଯୋଡ଼ା ଯାଇଛି। ଏହି ଅଧିବେଶନରେ ଆଲୋଚନା ହୋଇଥିବା ନୀତି ଓ ପଦକ୍ଷେପଗୁଡ଼ିକ ମିଲେଟ୍ସର ଉତ୍ପାଦନ ଓ ବ୍ୟବହାରକୁ ଆହୁରି ବଢ଼ାଇବ ବୋଲି ମୋର ବିଶ୍ଵାସ”, କହିଛନ୍ତି ଡକ୍ଟର ଅରବିନ୍ଦ କୁମାର ପାଢ଼ୀ।

ସେ ଏହି ଅଧିବେଶନରେ ମିଲେଟ୍ସ ଚାଷ କ୍ଷେତ୍ରରେ ଦେଖାଯାଉଥିବା ସମସ୍ୟାଗୁଡ଼ିକ ବିଷୟରେ କହିବା ସହ ଏହାର ସମାଧାନ ପାଇଁ ଆହ୍ୱାନ ଦେଇଥିଲେ। ମଣ୍ଡିଆ ଚାଷୀମାନଙ୍କ ଉତ୍ପାଦକୁ ବଜାରରେ ପହଞ୍ଚାଇ ସେମାନଙ୍କୁ ଉପଯୁକ୍ତ ମୂଲ୍ୟ ମିଳିବା ଦିଗରେ ଏଠାରେ ଆଲୋଚନା କରାଯାଇଥିଲା।

ସେହିପରି ଏହି ଅଧିବେଶନରେ ଯୋଗ ଦେଇଥିବା କୃଷି ବୈଜ୍ଞାନିକମାନେ ମିଲେଟ୍ସ ଚାଷ ଉପରେ ଏବେ ହେଉଥିବା ଅନୁସନ୍ଧାନ ବିଷୟରେ ଚର୍ଚ୍ଚା କରିଥିଲେ। ଏହାସହ ମିଲେଟ୍ସ ପାଇଁ ଜରୁରୀ ଥିବା ବ୍ରାଣ୍ଡିଂର ଆବଶ୍ୟକତା ଉପରେ ମଧ୍ୟ ଏଠାରେ ଚର୍ଚ୍ଚା କରାଯାଇଥିଲା। ଅନ୍ୟପଟେ ଏଠାରେ କେନ୍ଦ୍ର କୃଷି ମନ୍ତ୍ରାଳୟ ଅଧୀନସ୍ଥ କମିଶନ ଫର ଅଗ୍ରିକଲ୍ଚରାଲ୍ କଷ୍ଟସ୍ ଆଣ୍ଡ ପ୍ରାଇସର (ସିଏସିପି) ଅଧ୍ୟକ୍ଷ ପ୍ରଫେସର ବିଜୟ ପାଲ ଶର୍ମା ମିଲେଟ୍ସକୁ ନେଇ କେନ୍ଦ୍ର ସରକାର କରିଥିବା ବିଭିନ୍ନ ଯୋଜନା ଓ ପଦକ୍ଷେପ ଉପରେ ଆଲୋଚନା କରିଥିଲେ।

“ମିଲେଟ୍ସ ଚାଷକୁ ଆହୁରି ବ୍ୟାପକ କରିବା ପାଇଁ ଗତ ୧୦ ବର୍ଷରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଅନେକ ପଦକ୍ଷେପ ନେଇଛନ୍ତି। ମିଲେଟ୍ସ ଉତ୍ପାଦ ଉପରେ ଦିଆଯାଉଥିବା ଏମଏସପି ଏହି ସମୟ ମଧ୍ୟରେ ୨ରୁ ୩ ଗୁଣ ବଢ଼ିଛି। ଦେଶରୁ ବାହାରକୁ ମିଲେଟ୍ସ ରପ୍ତାନି ମଧ୍ୟ ବୃଦ୍ଧି ପାଇଛି”, କହିଥିଲେ ପ୍ରଫେସର ବିଜୟ ପାଲ ଶର୍ମା।

ସେ ଆହୁରି ମଧ୍ୟ କହିଥିଲେ, “ମିଲେଟ୍ସ କ୍ଷେତ୍ରରେ ଏହାର ଚାଷ ଏବଂ ବଜାରକୁ ନେଇ ସମସ୍ୟା ରହି ଆସିଛି। ସେ ସବୁକୁ ଦୂର କରିବା ପାଇଁ ଏବେ ବିଭିନ୍ନ ପଦକ୍ଷେପ ନିଆଯାଉଛି। ବିଶେଷ କରି ମିଲେଟ୍ସର ପ୍ରାଇସିଂ ପଲିସିକୁ ଦେଶରେ ସୁଦୃଢ଼ କରାଯାଇଛି। ସରକାର ଏବେ ଚାଷୀମାନଙ୍କଠାରୁ ଅଧିକ ମାତ୍ରାରେ ମଣ୍ଡିଆ କିଣୁଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟମାନଙ୍କ ମିଳିତ ପଦକ୍ଷେପ ମିଲେଟ୍ସର ପ୍ରଚାର ପ୍ରସାରକୁ ବଢ଼ାଇପାରିବ।”

ଅନ୍ୟପଟେ ମିଲେଟ୍ସର ବ୍ୟବହାରକୁ ସାରା ବିଶ୍ଵରେ କିଭଳି ବଢ଼ାଯାଇପାରିବ ସେ ବାବଦରେ ଅଧିବେଶନରେ ମିଳିତ ଜାତିସଂଘର ଫୁଡ୍ ଆଣ୍ଡ ଏଗ୍ରିକଲ୍ଚର ଅର୍ଗାନାଇଜେସନର (ଏଫଏଓ) ଭାରତରେ ପ୍ରତିନିଧି ତାକାୟୁକି ହାଗିୱାରା ଆଲୋଚନା କରିଥିଲେ।

“ଜଳବାୟୁ ପରିବର୍ତ୍ତନ ଏବଂ ଅନ୍ୟାନ୍ୟ କାରଣରୁ ଏବେ ସାରା ବିଶ୍ଵରେ ଖାଦ୍ୟ ସଙ୍କଟ ଦେଖା ଦେଇଛି। ଅନେକ ଛୋଟ ଛୋଟ ବିକାଶଶୀଳ ଦେଶ ଏହାର ଶିକାର ହେଉଛନ୍ତି। ଖାଦ୍ୟ ଅଭାବ ଯୋଗୁଁ ସେଠାକର ଶିଶୁ ଓ ଲୋକଙ୍କ ମଧ୍ୟରେ ପୋଷଣର ଅଭାବ ଦେଖା ଗଲାଣି। ହେଲେ ମିଲେଟ୍ସ ଏବେ ଦୁନିଆରେ ଦେଖାଦେଇଥିବା ଏହି ସମସ୍ୟାକୁ ବହୁଳ ମାତ୍ରାରେ କମ କରିପାରିବ”, କହିଥିଲେ ତାକାୟୁକି ହାଗିୱାରା।

ସେ ଆହୁରି ମଧ୍ୟ କହିଥିଲେ, “ମିଲେଟ୍ସର ପ୍ରଚାର ପ୍ରସାର ଯେଉଁଭଳି ଭାବରେ ଭାରତରେ ଖାସ କରି ଓଡ଼ିଶାରେ କରାଯାଉଛି, ତାହା ଅନ୍ୟ କୌଣସି ସ୍ଥାନରେ ହେଉ ନାହିଁ। ଏହି ପରିପ୍ରେକ୍ଷୀରେ ଆମେ ମିଲେଟ୍ସକୁ ବିଶ୍ଵ ସ୍ତରରେ ପହଞ୍ଚାଇ ପାରିଲେ ଏହା ଚାଷୀଙ୍କ ଆୟ ବଢ଼ାଇବା ସହ ଦେଶର ଆର୍ଥିକ ବିକାଶରେ ସହାୟକ ହୋଇପାରିବ।”

ଓଡ଼ିଶା ମିଲେଟ୍ସ ମିଶନର ଏକ ରିପୋର୍ଟକୁ ଉନ୍ମୋଚନ ଅଧିବେଶନରେ କରାଯାଇଥିଲା। ଏଥିରେ ମିଲେଟ୍ସର ପ୍ରଚାର ପ୍ରସାର ପାଇଁ ଓଡ଼ିଶା ମିଲେଟ୍ସ ମିଶନ ନେଇଥିବା ପଦକ୍ଷେପ ଗୁଡ଼ିକ ଉଲ୍ଲେଖ ରହିଛି। ଏହି ଅଧିବେଶନରେ କେନ୍ଦ୍ର କୃଷି ମନ୍ତ୍ରାଳୟର ଯୁଗ୍ମ ସଚିବ ଶୁଭା ଠାକୁର, ଓଡ଼ିଶା କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦେଶାଳୟର ନିର୍ଦେଶକ ପ୍ରେମ ଚନ୍ଦ୍ର ଚୌଧରୀ, ଆଇଆଇଏମଆର ହାଇଦ୍ରାବାଦର ନିର୍ଦେଶକ ଡକ୍ଟର ସି. ତାରା ସତ୍ୟବତୀ ପ୍ରମୁଖ ଯୋଗ ଦେଇଥିଲେ।

Tags: #InternationalConventiononMillets #PolicyRoadmap #Millets #Nutrition #FoodSecurity #FAO #DSYS #Odisha

Comment