ଓଡ଼ିଶାଲାଇଭ୍ ବ୍ୟୁରୋ

ଖେଳାଳିଙ୍କୁ ମିଲେଟ୍ସର ଉପକାରିତା ବିଷୟରେ ସଚେତନ କରିବା ପାଇଁ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀରେ ସ୍ଵତନ୍ତ୍ର ଅଧିବେଶନ।   

କ୍ରୀଡ଼ା କ୍ଷେତ୍ରରେ ଖେଳାଳିମାନଙ୍କ ନ୍ୟୁଟ୍ରିସନ ବା ପୋଷଣର ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ଉତ୍ତମ ପୋଷଣ ସେମାନଙ୍କ ପ୍ରଦର୍ଶନକୁ ଭଲ କରିବାରେ ସହାୟକ ହୋଇଥାଏ। ଖେଳାଳିମାନେ ଉପଯୁକ୍ତ ପୋଷଣ ପାଇଁ ବିଭିନ୍ନ ପ୍ରକାରର ଖାଦ୍ୟ ଗ୍ରହଣ କରିଥାନ୍ତି। ତେବେ ମିଲେଟ୍ସ ସେମାନଙ୍କ ପୋଷଣର ଏକ ବଳିଷ୍ଠ ଉପାଦାନ ହୋଇପାରିବ।

ଖେଳାଳିଙ୍କ ମଧ୍ୟରେ ମିଲେଟ୍ସ ଜାତୀୟ ଖାଦ୍ୟ ଗ୍ରହଣକୁ ଆହୁରି ବ୍ୟାପକ କରିବା ପାଇଁ ଭୁବନେଶ୍ଵରରେ ହୋଇଥିବା ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀରେ ଏକ ସ୍ଵତନ୍ତ୍ର ଅଧିବେଶନ ହୋଇଥିଲା, ଯାହାର ନାଁ ରହିଥିଲା ‘ମିଲେଟ୍ସ ଆଣ୍ଡ ସ୍ପୋର୍ଟସ’। ଏହି ସେସନରେ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ସଚିବ ଆର୍ ଭିନିଲକ୍ରୀଷ୍ଣା ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଖେଳାଳିମାନଙ୍କ ପୋଷଣ ପାଇଁ ମଣ୍ଡିଆର ଉପକାରିତା ବିଷୟରେ ଆଲୋଚନା କରିଥିଲେ।   

ଏହି ସେସନରେ ଅନେକ ଖେଳାଳି, କୋଚ୍ ଏବଂ ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ସ୍ପୋର୍ଟସ ନ୍ୟୁଟ୍ରିସନିଷ୍ଟମାନେ ଯୋଗ ଦେଇଥିଲେ। ଏଠାରେ ଖେଳାଳିଙ୍କ ସ୍ଵାସ୍ଥ୍ୟ ପାଇଁ ମିଲେଟ୍ସର ଆବଶ୍ୟକତା ଏବଂ ସେମାନଙ୍କ ଖାଦ୍ୟରେ ଏହାର ବ୍ୟବହାରକୁ ବଢ଼ାଇବା ପାଇଁ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା।

“ଓଡ଼ିଶା ଏବେ କ୍ରୀଡ଼ା କ୍ଷେତ୍ରରେ ନୂଆ ନୂଆ କୀର୍ତ୍ତିମାନ ସ୍ଥାପନ କରୁଛି। ରାଜ୍ୟର ଖେଳାଳିମାନେ ବିଭିନ୍ନ ଜାତୀୟ ତଥା ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରି ରାଜ୍ୟର ଗୌରବ ବଢ଼ାଉଛନ୍ତି। କ୍ରୀଡ଼ା ପାଇଁ ଉତ୍ତମ ଭିତ୍ତିଭୂମି ସହ ଖେଳାଳିଙ୍କ ଉପଯୁକ୍ତ ପୋଷଣକୁ ଗୁରୁତ୍ଵ ଦେଉଛୁ। ଏଥିପାଇଁ ରାଜ୍ୟର ବିଭିନ୍ନ କ୍ରୀଡ଼ା ଅନୁଷ୍ଠାନରେ ସେମାନଙ୍କ ଡାଏଟରେ ଅନ୍ୟ ପୋଷଣଯୁକ୍ତ ଖାଦ୍ୟ ସହ ଏବେ ମିଲେଟ୍ସକୁ ମଧ୍ୟ ସାମିଲ କରାଯାଇଛି। ମିଲେଟ୍ସ ବା ପୁଷ୍ଟିଶସ୍ୟ ବହୁ ପୁରାତନ କାଳରୁ ପୋଷଣର ଏକ   ମାଧ୍ୟମ ରହିଛି। ଏବେ ଖେଳାଳିମାନେ ମଧ୍ୟ ଏହାକୁ ଧୀରେ ଧୀରେ ଗ୍ରହଣ କରିବା ଆରମ୍ଭ କରୁଛନ୍ତି”, କହିଛନ୍ତି ଆର୍ ଭିନିଲକ୍ରୀଷ୍ଣା।

ସେ ଆହୁରି ମଧ୍ୟ କହିଛନ୍ତି, “ରାଜ୍ୟ ସରକାର ମଣ୍ଡିଆର ଏବେ ପ୍ରଚାର ପ୍ରସାରକୁ ବ୍ୟାପକ କରିଛନ୍ତି। ଗତ ହକି ବିଶ୍ୱକପବେଳେ ଦେଶ ବିଦେଶର ଖେଳାଳିମାନଙ୍କୁ ମିଲେଟଯୁକ୍ତ ଖାଦ୍ୟ ପରଷା ଯାଇଥିଲା। ଏହାସହ କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ମିଶନ ଶକ୍ତି କାଫେରେ ଦର୍ଶକମାନେ ମିଲେଟ୍ସ ଜାତୀୟ ଖାଦ୍ୟର ମଜା ଉଠାଇଥିଲେ। ତେବେ ଖେଳାଳିଙ୍କ ଖାଦ୍ୟଭ୍ୟାସରେ ମିଲେଟ୍ସକୁ ପହଞ୍ଚାଇବା ପାଇଁ ଆମେ ବିଭିନ୍ନ ଯୋଜନା କରିଛୁ। ଏଥିରେ ଆମେ ସଫଳ ହେବୁ ବୋଲି ମୋର ଆଶା।”

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସ୍ପୋର୍ଟସ ନ୍ୟୁଟ୍ରିସନିଷ୍ଟମାନେ ଖେଳାଳିଙ୍କ ପୋଷଣ ପାଇଁ ମିଲେଟ୍ସର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ। ମିଲେଟ୍ସ କିଭଳି ଖେଳାଳିଙ୍କ ପୋଷଣ ସହ ସେମାନଙ୍କ ସ୍ଵାସ୍ଥ୍ୟକୁ ଭଲ ରଖିପାରିବ ସେ ବିଷୟରେ ମଧ୍ୟ ସେମାନେ ଆଲୋକପାତ କରିଥିଲେ।

“ମିଲେଟ୍ସ ବହୁ ପୁରାତନ କାଳରୁ ଲୋକମାନଙ୍କ ପୋଷଣର ଏକ ଗୁରୁତ୍ଵପୂର୍ଣ୍ଣ ଉପାଦନ ରହିଆସିଛି। ଆଗରୁ ଖେଳାଳିମାନେ ପୋଷଣ ପାଇଁ ଏହାର ବହୁଳ ବ୍ୟବହାର କରୁଥିଲେ। ହେଲେ ସମୟକ୍ରମେ ଶରୀରରେ ପ୍ରୋଟିନର ମାତ୍ରା ବଢ଼ାଇବା ପାଇଁ ଅନ୍ୟାନ୍ୟ ଖାଦ୍ୟ ଖେଳାଳିଙ୍କ ଡାଏଟରେ ସାମିଲ ହେବାକୁ ଲାଗିଲା। ଏହି ଖାଦ୍ୟ ଖେଳାଳିଙ୍କ ଶରୀରରେ ପ୍ରୋଟିନକୁ ବଢ଼ାଏ ସତ ହେଲେ ଏହାଦ୍ଵାରା ସେମାନଙ୍କ କିଛି ସ୍ଵାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖାଦେଇଥାଏ। ଏଥିପାଇଁ ମିଲେଟ୍ସ ସେମାନଙ୍କ ପାଇଁ ବହୁତ ଉପଯୋଗୀ ହୋଇପାରିବ”, କହିଛନ୍ତି ହାଇଦ୍ରାବାଦର ଷ୍ଟାରଲାଇଟ ନ୍ୟୁଟ୍ରିସନ ସେଣ୍ଟରର ସ୍ପୋର୍ଟସ ନ୍ୟୁଟ୍ରିସନିଷ୍ଟ ଅଞ୍ଜଳି ଡାଙ୍ଗେ।

ଓଡ଼ିଶାର କ୍ରୀଡ଼ା କ୍ଷେତ୍ରରେ ଆଦିବାସୀ ଖେଳାଳିମାନଙ୍କ ବହୁତ ବଡ଼ ଅବଦାନ ରହିଛି। ସେମାନେ କିଭଳି ମଣ୍ଡିଆ ଜାତୀୟ ଖାଦ୍ୟଗ୍ରହଣ କରି ଉପଯୁକ୍ତ ପୋଷଣ ପାଇଥାନ୍ତି ସେ ବିଷୟରେ ମଧ୍ୟ ଏହି ଅଧିବେଶନରେ ଆଲୋଚନା କରାଯାଇଥିଲା।

“ଖେଳାଳିମାନଙ୍କ ସ୍ଵାସ୍ଥ୍ୟ ଓ ପୋଷଣ ପାଇଁ ମିଲେଟ୍ସର ଉପକାରିତା ବିଷୟରେ ଆମେ ଏହି ଅଧିବେଶନରେ ଜାଣିବାକୁ ପାଇଲୁ। ଅନେକ ଖେଳାଳି ବିଦେଶରେ ଖେଳିଲାବେଳେ ଉପଯୁକ୍ତ ପ୍ରୋଟିନ ପାଇଁ ନିରାମିଷ ଖାଦ୍ୟ ପାଇନାଥାନ୍ତି। ତେବେ ସେମାନେ ନିଜ ସହ ମଣ୍ଡିଆ ଯୁକ୍ତ ଖାଦ୍ୟକୁ ନେଲେ ଏହା ସେମାନଙ୍କ ପୋଷଣର ଆବଶ୍ୟକତା ପୂରା କରିପାରିବ। ଏବେ ଖେଳାଳିମାନଙ୍କୁ ନିଜ ଖାଦ୍ୟରେ ମିଲେଟ୍ସକୁ ସାମିଲ କରିବାର ସମୟ ଆସିଛି”, କହିଛନ୍ତି ଓଡ଼ିଶାର ଜଣାଶୁଣା ଜ୍ୟୁ ଜିତସୁ ଖେଳାଳି ଅନୁପମା ସ୍ଵାଇଁ।        

ଖେଳାଳିମାନେ କେଉଁ ଭଳି ଭାବେ ମିଲେଟ୍ସକୁ ଖାଇବା ଦରକାର ସେ ବିଷୟରେ ମଧ୍ୟ ଏଠାରେ ନ୍ୟୁଟ୍ରିସନିଷ୍ଟମାନେ ପରାମର୍ଶ ଦେଇଥିଲେ। ଏହାସହ ଅଧିବେଶନରେ ହୋଇଥିବା ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ସେମାନେ ଖେଳାଳିମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ।

ଏହି ଅଧିବେଶନରେ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗର ଯୁଗ୍ମ ସଚିବ ରଞ୍ଜିତ ପରିଡ଼ା, ନିର୍ଦେଶକ ସିଦ୍ଧାର୍ଥ ଦାସ, ରାଜ୍ୟର ଖ୍ୟାତନାମା ଭାରତ୍ତୋଳକ କେ ରବି କୁମାର, ସ୍ପୋର୍ଟସ ନ୍ୟୁଟ୍ରିସନିଷ୍ଟ ଲକ୍ଷ୍ମୀଶ୍ରୀ ପାଣ୍ଡରାଲା ପ୍ରମୁଖ ଯୋଗ ଦେଇଥିଲେ। ଏହାସହ ଅନେକ ଖେଳାଳି ଏବଂ କିଟ୍ ଓ ଭୁବନେଶ୍ୱର ସ୍ପୋର୍ଟସ ହଷ୍ଟେଲର ଅନେକ ଛାତ୍ରଛାତ୍ରୀ ଅଧିବେଶନରେ ସାମିଲ ହୋଇଥିଲେ।     

Tags: #InternationalConventiononMillets #Sports&Millets #Nutrition #SportsPersons #DSYS #Odisha

Comment