ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଷ୍ଟିଶସ୍ୟ ଉତ୍ପାଦନ ଏବଂ ଏହାର ଚାଷ ପ୍ରୋତ୍ସାହନ ଦିଗରେ ନୂଆ ପରିଚୟ ହାସଲ କରିଛି ଓଡ଼ିଶା। ଓଡ଼ିଶାର ସଫଳ ମାଣ୍ଡିଆ ଯାତ୍ରା ଏବେ ବିଶ୍ଵ ଦେଖିବ।

ପ୍ରଥମଥର ଓଡ଼ିଶାରେ ଆୟୋଜିତ ହେଉଛି ମିଲେଟ୍ସ ବା ପୁଷ୍ଟିଶସ୍ୟ ସମ୍ବନ୍ଧୀୟ ଏକ ଅନ୍ତର୍ଜାତୀୟ ସମ୍ମିଳନୀ। ନଭେମ୍ଵର ୯ ଏବଂ ୧୦ ତାରିଖରେ ଭୁବନେଶ୍ୱରର ଜନତା ମଇଦାନଠାରେ ହେବ ଦୁଇ ଦିନିଆ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ ୨୦୨୩।

ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀର ବିଷୟବସ୍ତୁ ରହିଛି ‘ଆଧୁନିକ ଯୁଗର ଆହ୍ୱାନ ନିମନ୍ତେ ପ୍ରାଚୀନ ଶସ୍ୟ-ମିଲେଟ୍ସ’। ଏଥିରେ କେନିୟା, ଇଜିପ୍ଟ, ତାଞ୍ଜାନିଆ, ନେପାଳ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଜୋର୍ଡାନ ଭଳି ବିଭିନ୍ନ ଦେଶରୁ ପ୍ରାୟ ୩୦୦ ପ୍ରତିନିଧି ଏହି ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ସମ୍ମିଳନୀରେ ମିଲେଟ୍ସ ଚାଷ ଏବଂ ପ୍ରକ୍ରିୟାକରଣରେ କୃଷକମାନଙ୍କ ସଂପୃକ୍ତି ଉପରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଏଥିସହିତ ମିଲେଟ୍ସ ସମ୍ବନ୍ଧୀୟ ବିଭିନ୍ନ ବୈଷୟିକ ଅଧିବେଶନ, ବି-ଟୁ-ବି ବୈଠକ, ଅନ୍ତର୍ଜାତୀୟ ଖାଦ୍ୟ ମେଳା, କୁଇଜ ପ୍ରତିଯୋଗିତା, ରନ୍ଧନ ପ୍ରତିଯୋଗିତା ଆଦିର ଆୟୋଜନ କରାଯିବ।

ଏହି ସମ୍ମିଳନୀରେ ମିଳିତ ଜାତିସଂଘର ବିଭିନ୍ନ ସଂସ୍ଥା ଯଥା- ଖାଦ୍ୟ ଏବଂ କୃଷି ସଙ୍ଗଠନ, ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ, ଇଣ୍ଟରନ୍ୟାସନାଲ ଫଣ୍ଡ ଫର ଏଗ୍ରିକଲଚରାଲ ଡେଭେଲପମେଣ୍ଟ, ଦକ୍ଷିଣ-ପୂର୍ବ ଏସିଆ ଏବଂ ମଧ୍ୟପ୍ରାଚ୍ୟ ଦେଶର କୃଷି ପରାମର୍ଶଦାତା, ଭାରତରେ ଅବସ୍ଥାପିତ ବିଭିନ୍ନ ଦେଶର ଦୂତାବାସ ଅଧିକାରୀ, ବିଭିନ୍ନ ରାଜ୍ୟର କୃଷି ସଚିବ ଯୋଗ ଦେବେ।   

୨୦୨୩ – ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ବର୍ଷ

୨୦୨୧ ମସିହା ମାର୍ଚ୍ଚ ମାସରେ ମିଳିତ ଜାତିସଂଘ ପକ୍ଷରୁ ଏହାର ୭୫ତମ ସାଧାରଣ ପରିଷଦ ଅଧିବେଶନରେ ‘୨୦୨୩’କୁ ‘ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ବର୍ଷ’ ଭାବେ ଘୋଷଣା କରାଯାଇଥିଲା। ମିଲେଟ୍ସ ବା ପୁଷ୍ଟିଶସ୍ୟର ସ୍ଵାସ୍ଥ୍ୟ ଉପକାରିତା ବିଷୟରେ ଲୋକମାନଙ୍କ ଭିତରେ ସଚେତନତା ଆଣିବା ସହ ଚାଷ କ୍ଷେତରେ ଏହାର ଉତ୍ପାଦନକୁ ଆହୁରି ବୃଦ୍ଧି କରିବା ଏହାର ଲକ୍ଷ୍ୟ।

ଫୁଡ୍ ଆଣ୍ଡ ଏଗ୍ରିକଲଚର୍ ଅର୍ଗାନାଇଜେସନ (ଫାଓ)ର ତଥ୍ୟ ଅନୁସାରେ ସର୍ବାଧିକ ପୁଷ୍ଟିଶସ୍ୟ ଉତ୍ପାଦନରେ ଭାରତ ବିଶ୍ଵରେ ପ୍ରଥମ। ଫାଓର ରିପୋର୍ଟକୁ ଆଧାର କଲେ ଜଣାପଡ଼େ ୨୦୧୬ରୁ ୨୦୨୦ ମଧ୍ୟରେ ଭାରତରେ ପୁଷ୍ଟିଶସ୍ୟର ଉତ୍ପାଦନ ବୃଦ୍ଧି ପାଇଛି। ୨୦୧୬ରେ ଭାରତ ୧୦,୨୮୦ ମେଟ୍ରିକ ଟନ୍, ୨୦୧୭ରେ ୧୧,୫୫୬.୮୯ ମେଟ୍ରିକ ଟନ୍, ୨୦୧୮ରେ ୧୧,୬୩୩.୦୮ ମେଟ୍ରିକ ଟନ୍, ୨୦୧୯ରେ ୧୦,୨୩୫.୮୩ ମେଟ୍ରିକ ଟନ୍ ଏବଂ ୨୦୨୦ରେ ୧୨,୪୮୮.୪୭ ମେଟ୍ରିକ ଟନ୍ ପୁଷ୍ଟିଶସ୍ୟ ଉତ୍ପାଦନ କରିବାର ରେକର୍ଡ କରିଛି।

‘ଓଡ଼ିଶା ମିଲେଟ୍ସ ମିଶନ’ର ଜନ୍ମ

ପୁଷ୍ଟିଶସ୍ୟ କହିଲେ ମାଣ୍ଡିଆ, କାଙ୍ଗୁ, ସୁଆଁ, ଜହ୍ନା ଆଦିକୁ ବୁଝାଏ। ଏହା ଓଡ଼ିଶାର ଏକ ପାରମ୍ପରିକ ଖାଦ୍ୟ। ବିଶେଷ କରି ଏହି ପୁଷ୍ଟିଶସ୍ୟ ପାହାଡ଼ିଆ ଅଞ୍ଚଳରେ ହୋଇଥାଏ। କିନ୍ତୁ ଏହାର ଏତେ ଲୋକପ୍ରିୟତା ନଥିଲା। ତେଣୁ ପୁଷ୍ଟିଶସ୍ୟର ଲୋକପ୍ରିୟତା ବୃଦ୍ଧି ପାଇଁ ୨୦୧୭ରେ ଓଡ଼ିଶା ସରକାର ଆରମ୍ଭ କରିଥିଲେ ‘ଓଡ଼ିଶା ମିଲେଟ୍ସ ମିଶନ’ ବା ‘ଓଡ଼ିଶା ପୁଷ୍ଟିଶସ୍ୟ ମିଶନ’। ଏହାରି ଅଧୀନରେ ପୁଷ୍ଟିଶସ୍ୟ ଚାଷକୁ ସରକାର ପ୍ରୋତ୍ସାହନ ଦେବା ସହିତ ଏହାକୁ ଚାଷଜମିରୁ ଖାଦ୍ୟ ଥାଳି ପର୍ଯ୍ୟନ୍ତ ନେବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ମିଲେଟ୍ସକୁ ନେଇ ଏଭଳି ଏକ ମିଶନ କରିବାରେ ସାରା ଭାରତରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ।

ମାଣ୍ଡିଆ ତଥା ଅନ୍ୟ ପୁଷ୍ଟିଶସ୍ୟ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶାର ସଫଳତାର କାହାଣୀ ଅନ୍ୟ ରାଜ୍ୟ ପାଇଁ ପ୍ରେରଣା ହୋଇଛି। ‘ଓଡ଼ିଶା ମିଲେଟ୍ସ ମିଶନ’ର ମଡେଲକୁ ନୀତି ଆୟୋଗ ପ୍ରଶଂସା କରିବା ସହ ଓଡ଼ିଶାର ମିଲେଟ୍ସ ମଡେଲ ଢାଞ୍ଚାରେ ମାଣ୍ଡିଆ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ଅନ୍ୟ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି।

ରାଜ୍ୟର ୧୭୭ଟି ବ୍ଲକରେ ପୁଷ୍ଟିଶସ୍ୟ ଚାଷ

ଓଡ଼ିଶା ଭଳି ଏକ ଆଦିବାସୀ ବହୁଳ ରାଜ୍ୟରେ ମିଲେଟ୍ସ ବା ପୁଷ୍ଟିଶସ୍ୟ ଏକ ପାରମ୍ପରିକ ଚାଷ। ସାଧାରଣତଃ ଏଠାକାର ପାହାଡ଼ିଆ ଅଞ୍ଚଳଗୁଡ଼ିକରେ ବହୁଳ ଭାବେ ପୁଷ୍ଟିଶସ୍ୟ ଚାଷ ହୋଇଥାଏ। ମାତ୍ର ଏବେ ସମୟ ବଦଳିଛି। ସାରା ରାଜ୍ୟକୁ ବ୍ୟାପିଛି ମିଲେଟ୍ସ। ଓଡ଼ିଶା ମିଲେଟ୍ସ ମିଶନର ତଥ୍ୟ ଅନୁସାରେ ରାଜ୍ୟର ୩୦ଟି ଜିଲ୍ଲାରେ ଏବେ ମୋଟ୍ ୧୭୭ଟି ବ୍ଲକରେ ପୁଷ୍ଟିଶସ୍ୟ ଚାଷ କରାଯାଉଛି। ୧୭୭ଟି ବ୍ଲକ ଅଧୀନରେ ୩୧୦୬ଟି ଗ୍ରାମପଞ୍ଚାୟତରେ ମୋଟ୍ ୨ ଲକ୍ଷ ୫୦ ହଜାର ୯୪୩ ଜଣ ଚାଷୀ ପୁଷ୍ଟିଶସ୍ୟ ଚାଷ କରୁଛନ୍ତି।

ମାଣ୍ଡିଆରୁ ପ୍ରସ୍ତୁତ ହେଉଛି ସୁଆଦିଆ ଖାଦ୍ୟ 

ମାଣ୍ଡିଆରେ ପ୍ରଚୁର ପୋଷଣ ଶକ୍ତି ରହିଛି। ଏଥିରୁ ତିଆରି ଖାଦ୍ୟ ପାଟିକୁ ଯେମିତି ସୁଆଦିଆ, ଦେହ ପାଇଁ ସେମିତି ସ୍ୱାସ୍ଥ୍ୟକର। ତେଣୁ ମାଣ୍ଡିଆ ଓ ଅନ୍ୟ ପୁଷ୍ଟିଶସ୍ୟକୁ ଲୋକପ୍ରିୟ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ସ୍ଵାସ୍ଥ୍ୟ ପାଇଁ ହିତକର ମାଣ୍ଡିଆ ତଥା ଅନ୍ୟ ପୁଷ୍ଟିଶସ୍ୟରୁ ୩୦ରୁ ଅଧିକ ପ୍ରକାର ଖାଦ୍ୟ ପ୍ରସ୍ତୁତ ହେଉଛି। ପାରମ୍ପରିକ ମାଣ୍ଡିଆ ଜାଉ ବ୍ୟତୀତ ମାଣ୍ଡିଆରୁ ଭଳିକି ଭଳି ସୁଆଦିଆ ଆଧୁନିକ ଖାଦ୍ୟ ପ୍ରସ୍ତୁତ ହେଉଛି। ଏହା ମଧ୍ୟରେ ରହିଛି ମାଣ୍ଡିଆ କେକ୍, ରସଗୋଲା, ଗୋଲାପଜାମୁ, ରସାବଳି, ସ୍ୟାଣ୍ଡଓ୍ଵିଚ୍, ବିସ୍କୁଟ୍, ଲଡୁ, ହାଲୱା, ଖିରି, ଉପମା, ଖେଚୁଡି, ବିରିୟାନୀ, ପିଜା, ବରା, ମାଲପୁଆ, ଦୋସା ଏବଂ ପକୁଡ଼ି।

ମହିଳାଙ୍କୁ ସ୍ୱାବଲମ୍ବୀ କରାଇଛି ମିଲେଟ୍ସ

ମହିଳାମାନେ ଏବେ କେବଳ ପରିବାରିକ ଦାୟିତ୍ଵରେ ସୀମିତ ନାହାନ୍ତି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ପୋଷଣ କାର୍ଯ୍ୟକ୍ରମର ଦାୟିତ୍ଵ ମିଳିଛି। ମିଶନ ଶକ୍ତି ସହ ମିଲେଟ୍ସ ମିଶନକୁ ଯୋଡ଼ି ସରକାର ସ୍ଵତନ୍ତ୍ର ଭାବେ ‘ମିଲେଟ୍ ଶକ୍ତି’ ଗଠନ କରିଛନ୍ତି। ଏହା ଜରିଆରେ ମିଶନ ଶକ୍ତିର ମହିଳାମାନଙ୍କ ହାତରେ ଏବେ ବିଭିନ୍ନ ଯୋଜନାରେ ନୂଆ ନୂଆ ଦାୟିତ୍ୱ। ପୁଷ୍ଟିଶସ୍ୟ ଚାଷ ନିମନ୍ତେ ସରକାର ସେମାନଙ୍କୁ ଆବଶ୍ୟକୀୟ ଆଧୁନିକ କୃଷି ଯନ୍ତ୍ରପାତି ଯୋଗାଇ ଦେଉଛନ୍ତି। ପୁଷ୍ଟିଶସ୍ୟ ଚାଷୀମାନେ ଏସ୍‌ଏଚ୍‌ଜି ମହିଳାମାନଙ୍କଠାରୁ ଏହି ଯନ୍ତ୍ରପାତି ଭଡ଼ାରେ ନେଇ ଚାଷ କରୁଛନ୍ତି। ଏହାଦ୍ଵାରା ଭଲ ଅମଳ ସହ ମହିଳାମାନେ ମଧ୍ୟ ପରିଚାଳନା ବାବଦକୁ କିଛି ଅର୍ଥ ରୋଜଗାର କରିପାରୁଛନ୍ତି।

ସେହିପରି ଏସ୍ଏଚଜି ମହିଳାମାନେ ପୁଷ୍ଟିଶସ୍ୟର ପ୍ରାଥମିକ ପ୍ରକ୍ରିୟାକରଣ କେନ୍ଦ୍ର ବା କ୍ଲିନିଂ ସେଣ୍ଟରର ପରିଚାଳନା କରୁଛନ୍ତି। ଏଥିସହ ଆଉ ପାଦେ ଆଗକୁ ଯାଇ ସେମାନେ ମିଲେଟ୍ସରୁ ନାନା ରକମର ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରି ବିଭିନ୍ନ ମେଳା ଏବଂ ସ୍ଵତନ୍ତ୍ର ଭାବେ ‘ମିଲେଟ୍ସ କାଫେ’ ଜରିଆରେ ତାହାକୁ ବିକ୍ରି କରୁଛନ୍ତି। ମିଲେଟ ଶକ୍ତି କାଫେ, ମିଲେଟ୍‌ ଟିଫିନ ସେଣ୍ଟର କରାଯାଇ ମିଲେଟ ଜାତୀୟ ଖାଦ୍ୟକୁ ଏବେ ଲୋକପ୍ରିୟ କରାଯାଉଛି। ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟକୁ ପ୍ରୋତ୍ସାହିତ କରିବାରେ ଓଡ଼ିଶା ମାଇଲଖୁଣ୍ଟ ଅତିକ୍ରମ କରିଛି।

ପିଡିଏସ୍‌ରେ ସାମିଲ୍ ମାଣ୍ଡିଆ

ମାଣ୍ଡିଆ ଭଳି ଏକ ପୁଷ୍ଟିକର ଖାଦ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଏହାକୁ ସାଧାରଣ ବଣ୍ଟନ ବ୍ୟବସ୍ଥା ବା ପିଡିଏସରେ ସାମିଲ୍ କରାଯାଇଛି। ରାଜ୍ୟ ପୁଷ୍ଟିକର କାର୍ଯ୍ୟକ୍ରମ ଅଧୀନରେ ୨୦୨୧ ମସିହାରୁ ପାଇଲଟ୍ ପ୍ରକଳ୍ପ ଭାବେ ରାଜ୍ୟର ୧୪ଟି ଜିଲ୍ଲାରେ ରାସନକାର୍ଡ ହିତାଧିକାରୀଙ୍କୁ ମାଣ୍ଡିଆ ଯୋଗାଇ ଦିଆଯାଉଛି। ପ୍ରତି ରାସନକାର୍ଡଧାରୀଙ୍କୁ ଗୋଟିଏ ମାସ ଚାଉଳ ବଦଳରେ ୨ ଟଙ୍କା ପ୍ରତି କିଲୋରେ ମାଣ୍ଡିଆ ଦିଆଯାଉଛି। ଏହାଦ୍ଵାରା ପ୍ରାୟ ୫୦ ଲକ୍ଷ ରାସନକାର୍ଡ ହିତାଧିକାରୀ ଉପକୃତ ହେଉଛନ୍ତି।

ସାଧାରଣ ବଣ୍ଟନ ବ୍ୟବସ୍ଥା ବ୍ୟତୀତ ସାନ ସାନ ପିଲାମାନଙ୍କ ପୋଷଣ ବୃଦ୍ଧି କ୍ଷେତ୍ରରେ ମଧ୍ୟ ସହାୟ ହୋଇଛି ମାଣ୍ଡିଆ। ମାଣ୍ଡିଆ ଭଳି ପୁଷ୍ଟିଶସ୍ୟରେ ପ୍ରଚୁର ମାତ୍ରାରେ ପୋଷଣ ଶକ୍ତି ଭରି ରହିଛି। ଏଥିଲାଗି ରାଜ୍ୟରେ ସାନ ସାନ ପିଲାଙ୍କ ପୋଷଣ ଆବଶ୍ୟକତା ପୂରଣ ନିମନ୍ତେ ମାଣ୍ଡିଆର ବ୍ୟବହାର କରାଯାଉଛି। କେନ୍ଦୁଝର ଏବଂ ସୁନ୍ଦରଗଡ଼ରେ ଅଙ୍ଗନବାଡ଼ି ଯାଉଥିବା ପିଲାମାନଙ୍କୁ ସକାଳ ଜଳଖିଆରେ ମାଣ୍ଡିଆ ଲଡୁ ମିକ୍ସ ଦିଆଯାଉଛି। ଦିନେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଖାଦ୍ୟ ଥିବା ମାଣ୍ଡିଆ ଏବେ ସହରବାସୀଙ୍କ ପ୍ରମୁଖ ଖାଦ୍ୟ ହୋଇପାରିଛି।

କୃଷି ଓଡ଼ିଶା ୨୦୨୦ରେ ମାସ୍କଟ ଥିଲା ମାଣ୍ଡିଆ

ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ବାର୍ଷିକ ଉତ୍ସବ ଭାବେ ପ୍ରତିବର୍ଷ ରାଜଧାନୀ ଭୁବନେଶ୍ଵରରେ ‘କୃଷି ଓଡ଼ିଶା’ ଅନୁଷ୍ଠିତ ହେଉଛି। ବିଭାଗ ପକ୍ଷରୁ କୃଷି ଓଡ଼ିଶା ୨୦୨୦ ସଂସ୍କରଣରେ ମାଣ୍ଡିଆକୁ ମାସ୍କଟ୍ ଭାବରେ ରଖାଯାଇଥିଲା। ଏହି ପ୍ରଦର୍ଶନୀର ଫୁଡ୍ ଜୋନ୍‌ରେ ମାଣ୍ଡିଆ ତିଆରି ବିଭିନ୍ନ ପାରମ୍ପରିକ ଏବଂ ଆଧୁନିକ ଖାଦ୍ୟର ଷ୍ଟଲ୍ ଲାଗିଥିଲା। ଏଥିରେ ମାଣ୍ଡିଆ ଲଡୁ ଓ ମାଲପୁଆଠାରୁ କେକ୍, କୁକିଜ୍, ପିଜା ଆଦିର ମଜ୍ଜା ନେଇଥିଲେ ଲୋକେ। ଏଥିସହ ମାଣ୍ଡିଆ ମିଶନ ମାଧ୍ୟମରେ ଓଡ଼ିଶା ପାଇଥିବା ବିଶେଷ ସଫଳତା ଲୋକଙ୍କ ନିକଟରେ ପହଞ୍ଚିପାରିଥିଲା।

Tags: #Millets #OdishaMilletsMission #InternationalConventiononMillets #ମାଣ୍ଡିଆ #ଅନ୍ତର୍ଜାତୀୟପୁଷ୍ଟିଶସ୍ୟସମ୍ମିଳନୀ

Comment