ଓଡ଼ିଶାଲାଇଭ୍ ବ୍ୟୁରୋ

ମାଣ୍ଡିଆ ଚାଷର ପ୍ରଚାର ଏବଂ ପ୍ରସାର ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ମାଣ୍ଡିଆରୁ ପ୍ରସ୍ତୁତ ସୁଆଦିଆ ଖାଦ୍ୟ ପ୍ରତି ରାଜ୍ୟ ତଥା ଦେଶ ବିଦେଶରେ ଲୋକଙ୍କୁ ଆକୃଷ୍ଟ କରିବା ଲାଗି ପଦକ୍ଷେପ ନିଆଯାଉଛି। ଏହି କ୍ରମରେ ଆସନ୍ତା ନଭେମ୍ବର ମାସ ୧୦ ତାରିଖ ମାର୍ଗଶିର ମାସ ପ୍ରଥମ ଗୁରୁବାର ଦିନକୁ ‘ମାଣ୍ଡିଆ ଦିବସ’ ଭାବେ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହା ପୂର୍ବରୁ ଏକ ସ୍ଵତନ୍ତ୍ର ମାସ୍କଟ ଉନ୍ମୋଚନ କରାଯାଇଛି। ଏହି ମାସ୍କଟର ନାଁ ରହିଛି ‘ମିଲି’।

ପୁଷ୍ଟିରେ ଭରପୁର ମାଣ୍ଡିଆରୁ ପ୍ରସ୍ତୁତ ବିସ୍କୁଟ, କେକ୍, ପିଠା, ଛତୁଆଠାରୁ ଆରମ୍ଭ କରି ଅନେକ ଖାଦ୍ୟ ପାଟିକୁ ଯେତିକି ସୁଆଦିଆ ଶରୀର ପାଇଁ ମଧ୍ୟ ସେତିକି ହିତକର। ମାଣ୍ଡିଆ ଉତ୍ପାଦନ ଏହାର ପ୍ରଚାର ପ୍ରସାର କରିବା ‘ମାଣ୍ଡିଆ ଦିବସ’ର ଏକ ମାତ୍ର ଲକ୍ଷ୍ୟ। ମାଣ୍ଡିଆ ଦିବସ ପାଳନ କରିବା ପୂର୍ବରୁ ମାସ୍କଟ ‘ମିଲି’କୁ ଉନ୍ମୋଚନ କରିଛି କୃଷି ଓ କୃଷକ ସଶକ୍ତିକରଣ ବିଭାଗ। ଏବେ ମାଣ୍ଡିଆର ପ୍ରଚାର ଏବଂ ପ୍ରସାର କରିବ ମାସ୍କଟ ‘ମିଲି’। ଆସନ୍ତା ୨୦୨୩ ଜାନୁଆରି ମାସରେ ହେବାକୁ ଥିବା ପୁରୁଷ ହକି ବିଶ୍ଵ କପ୍ ଅବସରରେ ମଧ୍ୟ ମାଣ୍ଡଆର ପ୍ରଚାର ପ୍ରସାର କରାଯିବ।

କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ବିଭାଗ ସଚିବ ଅରବିନ୍ଦ କୁମାର ପାଢ଼ୀ ‘ମିଲି’ର ଭିନ୍ନ ଭିନ୍ନ ଦୁଇଟି ଫଟୋ ଟୁଇଟ୍ କରିଛନ୍ତି। ଗୋଟିଏ ଫଟୋରେ ମିଲି ଏକ ସମ୍ବଲପୁରୀ ଶାଢ଼ି ପିନ୍ଧି ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ଥାଳି ଧରିଥିବାବେଳେ ଅନ୍ୟ ଏକ ଫଟୋରେ ଭାରତୀୟ ହକି ଟିମର ଜର୍ସି ପିନ୍ଧିଥିବା ଦେଖିବାକୁ ମିଳିଛି।

ମାଣ୍ଡିଆରେ ପ୍ରଚୁର ପରିମାର ପୋଷଣ ଶକ୍ତି ରହିଥିବାରୁ ଏହାର ଚାଷ ନିମନ୍ତେ ରାଜ୍ୟ ସରକାର ଅଧିକ ଗୁରୁତ୍ଵ ଦେଉନ୍ତି। ଆଗରୁ ମାଣ୍ଡିଆ ଚାଷ ପାଇଁ ଆଯାଉଥିବା ପ୍ରୋତ୍ସାହନ ରାଶିକୁ ୩ ବର୍ଷ ପରିବର୍ତ୍ତେ ୫ ବର୍ଷକୁ ବୃଦ୍ଧି କରାଯାଇଛି। ଏହା ସହିତ ହେକ୍ଟର ପିଛା ୧୦ ହଜାର ଟଙ୍କା ବଦଳରେ ୨୬,୫୦୦ ଟଙ୍କା ପ୍ରଦାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ମାଣ୍ଡିଆ ଚାଷ ମାଧ୍ୟମରେ ମହିଳାମାନଙ୍କୁ ମଧ୍ୟ ସ୍ଵାବଲମ୍ବୀ କରିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି।

ଓଡ଼ିଶା ମିଲେଟସ୍ ମିଶନ ପକ୍ଷରୁ ମାଣ୍ଡିଆର ପ୍ରଚାର ପ୍ରସାର ନିମନ୍ତେ ମଧ୍ୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନଙ୍କୁ ଯୋଡ଼ା ଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ମିଲେଟସ ଶକ୍ତି ଆଉଲେଟ ଓ ମିଲେଟସ୍ କାଫେ ଖୋଲାଯାଉଛି।

Tags: #InternationalYearOfMilets #Millets #MilletsDay #MascotMili #MiletDivas #MiletOdisha

Comment