ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଚାଲିଛି ଷ୍ଟିୟରିଂ ଛାଡ଼ ଆନ୍ଦୋଳନ। ବୁଧବାରଠାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଏବେ ତୀବ୍ର ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ଭୁବନେଶ୍ଵର ନିକଟସ୍ଥ ତମାଣ୍ଡୋ ଛକରେ ଦୁଇ ଡ୍ରାଇଭର ଗୋଷ୍ଠୀ ମୁହାଁମୁହିଁ ହୋଇଥିବାର ଦେଖିବାକୁ ମିଳିଛି। ଏହି ଗଣ୍ଡଗୋଳକୁ ରୋକିବା ପାଇଁ ପୋଲିସ ଲାଠି ଚାର୍ଜ କରିଥିଲା। ଏହା ଦ୍ଵାରା ସେଠାରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା।

ବୁଧବାର ସକାଳୁ ଡ୍ରାଇଭରମାନେ ତମାଣ୍ଡୋଠାରେ ଓଡ଼ିଶା ତଥା ରାଜ୍ୟ ବାହାରର ଟ୍ରକଗୁଡ଼ିକୁ ଅଟକାଇଥିଲେ। ଏଥିଲାଗି ଏକାଧିକ ଟ୍ରକ ରାସ୍ତା କଡ଼ରେ ଠିଆ ହୋଇଥିବାର ଦେଖିବାକୁ ମିଳିଥିଲା। ଏଥିରେ ବାହାର ରାଜ୍ୟର ଡ୍ରାଇଭରମାନେ ଅସନ୍ତୋଷ ପ୍ରକାଶ କରିଥିଲେ।

ଗୁରୁବାର କିଛି ବାହାର ରାଜ୍ୟରେ ଡ୍ରାଇଭର ଟ୍ରକ ନେଇ ଯିବାକୁ ଉଦ୍ୟମ କରିଥିଲେ। ଏହାପରେ ଆନ୍ଦୋଳନରତ ଡ୍ରାଇଭର ଓ ବାହାର ରାଜ୍ୟର ଡ୍ରାଇଭରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଡ୍ରାଇଭରମାନଙ୍କ ଏହି ଗଣ୍ଡଗୋଳକୁ ରୋକିବା ପାଇଁ ପୋଲିସ ଲାଠି ଚାର୍ଜ କରିଥିଲା।

ଅନ୍ୟପଟେ ଡ୍ରାଇଭର ଆନ୍ଦୋଳନର ତାତି ଏବେ ବିଧାନସଭାରେ ପହଞ୍ଚିଛି। ଆନ୍ଦୋଳନକୁ ନେଇ ଗୃହରେ ବିରୋଧୀ ସରକାରଙ୍କୁ ଘେରିଛନ୍ତି। ତେବେ ଡ୍ରାଇଭର ଆନ୍ଦୋଳନକୁ ନେଇ ରୁଲିଂ ଦେଇଛନ୍ତି ବାଚସ୍ପତି। ଡ୍ରାଇଭରଙ୍କ ସହ ଆଲୋଚନା କରିବା ପାଇଁ ସେ ରାଜ୍ୟ ପରିବହନ ମନ୍ତ୍ରୀଙ୍କୁ ନିର୍ଦେଶ ଦେଇଛନ୍ତି। ଡ୍ରାଇଭରଙ୍କ ସହ ଅଲୋଚନା କରି ଶୁକ୍ରବାର ଗୃହରେ ଉତ୍ତର ରଖିବାକୁ ସେ ମନ୍ତ୍ରୀଙ୍କୁ କହିଛନ୍ତି।

ଓଡ଼ିଶାର ହଜାର ହଜାର ଡ୍ରାଇଭର ୧୦ ଦଫା ଦାବିନେଇ ରାସ୍ତାକୁ ଓହ୍ଲାଇ ପ୍ରଦର୍ଶନ କରୁଛନ୍ତି। ସେମାନେ ନିଜ ପାଇଁ ଉଚିତ ଦରମା, ଚାକିରି ସୁରକ୍ଷା, ବୀମା ଓ ପେନ୍‌ସନ୍ ଭଳି ଦାବି ନେଇ ଆନ୍ଦୋଳନ କରୁଛନ୍ତି। ଦାବି ପୂରଣ ନହେଲେ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଏହି ଆନ୍ଦୋଳନ ଚାଲିବ ବୋଲି ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

Tags: #DriverStrike #OdishaDriverMahasangha #Protest #CommercialVehicles #Odisha

Comment