ଓଡ଼ିଶାଲାଇଭ୍ ବ୍ୟୁରୋ

ଆଉ ନାହାନ୍ତି ଲୋକପ୍ରିୟ ଡିଜେ ଆଜେକ୍ସ ଓରଫ ଅକ୍ଷୟ ମହାରଣା। ଭୁବନେଶ୍ୱର ଖାରବେଳନଗର ସ୍ଥିତ ଘରୁ ଅକ୍ଷୟଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅକ୍ଷୟଙ୍କ ମୃତ୍ୟୁ ପାଇଁ ଦୁଇ ଜଣ ଦାୟୀ ରହିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକ। ପୋଲିସ ମାମଲା ରୁଜୁ କରି ଆରମ୍ଭ କରିଛି ତନାଘନା।

ମୃତ୍ୟୁର ଚାରି ଦିନ ପୂର୍ବରୁ ଅକ୍ଷୟ ଜଣେ ସାଙ୍ଗଙ୍କ ଜନ୍ମ ଦିନ ପାର୍ଟିରେ ଯୋଗ ଦେଇଥିଲେ। ଖୁସିରେ ପାର୍ଟିରେ ଯୋଗ ଦେଇ ଫୋଟୋ ଉଠାଇ ଘରକୁ ଫେରିଥିଲେ। ଶନିବାର ରାତିରେ ଅକ୍ଷୟ ନିଜ ରୁମକୁ ଶୋଇବାକୁ ଯାଇଥିଲେ। ରବିବାର ସକାଳୁ ଅକ୍ଷୟଙ୍କୁ ଏକ ବେଡସିଟ ସାହାଯ୍ୟରେ ଫ୍ୟାନରେ ଝୁଲିଥିବା ଅବସ୍ଥାରେ ପରିବାର ଲୋକ ଦେଖିଥିଲେ। ସାଙ୍ଗେ ସାଙ୍ଗେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସବୁବେଳେ ବିନଦାସ ଏବଂ ଖୁସି ମିଜାଜରେ ରହୁଥିବା ଡିଜେ ଆଜେକ୍ସ କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ? ମାନସିକ ଚାପ ନା ପ୍ରେମଜନିତ ବ୍ୟାପରକୁ ଆଜେକ୍ସ ଏଭଳି ପଦକ୍ଷେପ ନେଇଛନ୍ତି? ଏଭଳି ଅନେକ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କିମାରୁଛି।

ତେବେ ଡିଜେ ଆଜେକ୍ସ ଓରଫ ଅକ୍ଷୟଙ୍କ ମୃତ୍ୟୁ ପଛରେ ଜଣେ ଯୁବତୀ ଓ ତାଙ୍କ ସାଙ୍ଗଙ୍କ ସମ୍ପୃକ୍ତି ରହିଥିବା ଖାରବେଳ ନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପରିବାର ଲୋକେ। ଅଭିଯୋଗକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ପୋଲିସ।

ମୃତ ଅକ୍ଷୟଙ୍କ ଦାଦା କହିଛନ୍ତି, ଅକ୍ଷୟ ଭୁବନେଶ୍ୱରର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ସମ୍ପୃକ୍ତ ଯୁବତୀଙ୍କର ଅନ୍ୟ ଜଣଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା। ଏହାକୁ ନେଇ କିଛି ଦିନ ହେଲା ଚିନ୍ତାରେ ରହୁଥିଲେ ଅକ୍ଷୟ। ଏପରିକି ଅକ୍ଷୟଙ୍କୁ ବ୍ଲାକମେଲ କରି ଟଙ୍କା ମଗାଯାଉଥିଲା। କିଛି ଦିନ ତଳେ ଅକ୍ଷୟ ଜଣେ ଯୁବତୀଙ୍କ ପାଖକୁ କିଛି ଟଙ୍କା ପଠାଇଥିବା ସେ ଅଭିଯୋଗ କରିଛନ୍ତି। 

ଅକ୍ଷୟଙ୍କ ପରିବାର ଲୋକଙ୍କ ଅଭିଯୋଗ ଏବଂ ହ୍ୱାଟସଅପ୍ ଚାଟ୍ ଓ ଫୋନ ପେ’ ମେସେଜ ଆଧାରରେ ତଦନ୍ତ କରାଯିବ ବୋଲି ପୋଲିସ କହିଛି।

ସେ ଅକ୍ଷୟ ମହାରଣା ଭାବେ ଯେତିକି ପରିଚିତ ନଥିଲେ ତା’ଠୁ ଅଧିକ ପରିଚିତ ଥିଲେ ଡିଜେ ଆଜେକ୍ସ ନାଁରେ। ତାଙ୍କୁ ସ୍ମାଇଲିଂ ଡିଜେର ଆଖ୍ୟା ମଧ୍ୟ ମିଳିଥିଲା। ଯୁବପିଢିଙ୍କ ମଧ୍ୟରେ ସେ ବେଶ୍ ଲୋକପ୍ରିୟ ଥିଲେ। ପ୍ରାୟ ୧୦ ବର୍ଷ ଧରି ଯୁବପିଢ଼ିଙ୍କ ମନୋରଞ୍ଜନ କରି ଆସୁଥିଲେ ଅକ୍ଷୟ। ଓଡ଼ିଆ ଗୀତକୁ ନିଜ ଅନ୍ଦାଜରେ ପରିବେଷଣ କରି ରାଜ୍ୟ ତଥା ରାଜ୍ୟ ବାହାରେ ବେଶ୍ ଲୋକପ୍ରୟିତା ହାସଲ କରିଥିଲେ ଡିଜେ ଆଜେକ୍ସ।

ସବୁବେଳେ ବିନଦାସ, ଖୁସି ମିଜାଜ ଆଜେକ୍ସଙ୍କର ହସ ହସ ମୁହଁ ସମସ୍ତଙ୍କୁ ଆନନ୍ଦିତ କରୁଥିଲା। ତେବେ କାହିଁକି ଅକ୍ଷୟ ଏଭଳି ନିଷ୍ପତ୍ତି ନେଲେ ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ।

Tags: #DJAJEX #AkshayMaharana #UnnaturalDeath #PoliceInvestigation #PopularDJ

LEAVE A REPLY

Please enter your comment!
Please enter your name here