ଓଡ଼ିଶାଲାଇଭ୍ ବ୍ୟୁରୋ

ଡିଜେ ଆଜେକ୍ସ ଓରଫ ଅକ୍ଷୟ ମହାରଣାଙ୍କ ମୃତ୍ୟୁକୁ ନେଇ ଖୋଳତାଡ଼ ଜାରି ରଖିଛି ପୋଲିସ। ଏବେ ଏହି ଘଟଣାରେ ଆସିଛି ନୂଆ ମୋଡ଼। ଆଜେକ୍ସଙ୍କ ମୃତ୍ୟୁ ପଛରେ ତ୍ରିକୋଣୀୟ ପ୍ରେମ ଏବଂ ବ୍ରେକଅପ୍ ଦାୟୀ ବୋଲି କୁହାଯାଉଛି। ପ୍ରେମିକା ସହ ବ୍ରେକଅପ ହେବା ପରେ ଅକ୍ଷୟ ଏହିଭଳି ପଦକ୍ଷେପ ନେଇଥିବା କୁହାଯାଉଛି।

ଆଜେକ୍ସଙ୍କ ମୃତ୍ୟୁ ପରେ ପରିବାର ଲୋକ ଆଜେକ୍ସଙ୍କ ବାନ୍ଧବୀ ଏବଂ ତାଙ୍କ ସାଙ୍ଗଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ମଙ୍ଗଳବାର ଦିନ ଆଜେକ୍ସଙ୍କ ବାନ୍ଧବୀଙ୍କ ବୟାନ ରେକର୍ଡ କରାଯାଇଥିଲା। ତେବେ ଆଜେକ୍ସର ଅନ୍ୟ ଜଣେ ଝିଅ ସହ ସମ୍ପର୍କ ଥିବା ଜାଣିବା ପରେ ସେ ବ୍ରେକଅପ୍ କରି ଦେଇଥିବା କହିଛନ୍ତି।

ଏପରି ଆଜେକ୍ସଙ୍କ ଦୁଇ ବାନ୍ଧବୀ କନଫରେନ୍ସ ଜରିଆରେ ମୁହାଁମୁହିଁ ହୋଇଥିବା କଥା ମଧ୍ୟ ଶୁଣିବାକୁ ମିଳିଛି। ଯାହାର ତଥ୍ୟ ପୋଲିସ ହାତରେ ଲାଗିଥିବା କୁହାଯାଉଛି।

ବ୍ୟବଚ୍ଛେଦ ରିପୋର୍ଟରେ ଶ୍ଵାସରୁଦ୍ଧ ହୋଇ ଡିଜେ ଆଜେକ୍ସଙ୍କର ମୃତ୍ୟୁ ହୋଇଥିବା ଉଲ୍ଲେଖ କରାଯାଇଥିବାବେଳେ ଡିଜିଟାଲ ଏଭିଡେନ୍ସ ଆଧରରେ ତଦନ୍ତ ଚଳାଇଛି ପୋଲିସ।

ଶନିବାର ରାତିରେ ଅକ୍ଷୟ ନିଜ ରୁମକୁ ଶୋଇବାକୁ ଯାଇଥିଲେ। ରବିବାର ସକାଳୁ ଅକ୍ଷୟଙ୍କୁ ଏକ ବେଡସିଟ ସାହାଯ୍ୟରେ ଫ୍ୟାନରେ ଝୁଲିଥିବା ଅବସ୍ଥାରେ ପରିବାର ଲୋକ ଦେଖିଥିଲେ। ସାଙ୍ଗେ ସାଙ୍ଗେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସବୁବେଳେ ବିନଦାସ ଏବଂ ଖୁସି ମିଜାଜରେ ରହୁଥିବା ଡିଜେ ଆଜେକ୍ସ କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ? ମାନସିକ ଚାପ ନା ପ୍ରେମଜନିତ ବ୍ୟାପରକୁ ଆଜେକ୍ସ ଏଭଳି ପଦକ୍ଷେପ ନେଇଛନ୍ତି? ଏଭଳି ଅନେକ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ।

Tags: #DJAJEX #AkshayMaharana #UnnaturalDeath #PostmortemReport #PoliceInvestigation #PopularDJ

Comment