ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକପ୍ରିୟ ଓଡ଼ିଆ ଡିଜେ ଆଜେକ୍ସ ଓରଫ ଅକ୍ଷୟ ମହାରଣାଙ୍କ ମୃତ୍ୟୁକୁ ନେଇ ଚାଲିଛି ପୋଲିସର ତନାଘନା। ଦିନକୁ ଦିନ ଆଜେକ୍ସ ମୃତ୍ୟୁ ଘଟଣାରେ ନୂଆ ନୂଆ କଥା ସାମ୍ମାକୁ ଆସୁଛି। ମୃତ୍ୟୁ ପୂର୍ବରୁ ଆଜେକ୍ସ ନିଜ ମୋବାଇଲ, ସମସ୍ତ ବ୍ୟାଙ୍କ ଏଟିଏମର ପାସଓ୍ଵାର୍ଡ ଏବଂ ଇ-ମେଲର ପାସଓ୍ଵାର୍ଡ ଭଉଣୀଙ୍କୁ ଦେଇଥିବା ଗୁରୁବାର ଦିନ ତାଙ୍କ ଭଉଣୀ କହିଛନ୍ତି।

ଡିଜିଟାଲ ତଥ୍ୟ ଆଧାରରେ ସାଇବର ଥାନାର ୫ ଜଣିଆ ଟେକ୍ନିକାଲ ଟିମ ତଦନ୍ତ ଚଳାଇଛି। ଆଜେକ୍ସ ଓ ତାଙ୍କ ବାନ୍ଧବୀଙ୍କ ମୋବାଇଲ ଏବଂ ଇ-ମେଲ ଯାଞ୍ଚ କରି ତଥ୍ୟ ସଂଗ୍ରହରେ ଲାଗି ପଡ଼ିଛି ଏହି ଟିମ୍। କେବଳ ଡିଲିଟ କରାଯାଇଥିବା ମେସେଜ ଏବଂ ଚଟକୁ ରିକଭରି କରିବାକୁ ପ୍ରୟାସ ଜାରି ରହିଛି। ଏହା ତଦନ୍ତରେ ସହାୟକ ହେବ ବୋଲି ପୋଲିସ କହିଛି।

ଗୁରୁବାର ଦିନ ଆଜେକ୍ସଙ୍କ ଭଉଣୀ କହିଛନ୍ତି, ଶନିବାର ରାତିରେ ଆଜେକ୍ସ ତାଙ୍କ ଫୋନକୁ ନିଜ ମୋବାଇଲ, ସମସ୍ତ ବ୍ୟାଙ୍କ ଏଟିଏମର ପାସଓ୍ଵାର୍ଡ ଏବଂ ଇ-ମେଲର ପାସଓ୍ଵାର୍ଡ ପଠାଇଥିଲେ। ଏହା ପରେ ତାଙ୍କ ବାନ୍ଧବୀ ଦେଇଥିବା ଡ୍ରେସ କାଢ଼ି ରଖିବାକୁ ଭଉଣୀକୁ କହିଥିଲେ। ମୃତ୍ୟୁର କିଛି ଦିନ ପୂର୍ବରୁ ଆଜେକ୍ସ ମାନସିକ ଚିନ୍ତାରେ ରହୁଥିଲେ ବୋଲି ତାଙ୍କ ଭଉଣୀ କହିଛନ୍ତି।

ଏହା ପୂର୍ବରୁ ବୁଧବାର ଦିନ ଡିଜେ ଆଜେକ୍ସଙ୍କ ମୃତ୍ୟୁ ପୂର୍ବରୁ ନିଜ ବାନ୍ଧବୀଙ୍କ ପାଖକୁ ପଠାଇଥିବା ଇ-ମେଲ ଏବଂ ଅଡିଓ କ୍ଲିପ ଓ କିଛି ଫଟୋ ପୋଲିସ ହାତରେ ଲାଗିଥିଲା।

ଆଜେକ୍ସଙ୍କ ମନକଥା

ବଭିନ୍ନ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଏହି ଅଡିଓରେ ଆଜେକ୍ସ ନିଜ ମନକଥା କହୁଥିବା ଶୁଣିବାକୁ ମିଳୁଛି। ଏହି ଅଡିଓରେ ସେ ବାରମ୍ବାର ଜିଜ୍ଞାସା ଏବଂ ରଶ୍ମିଙ୍କ ନାଁ ନେଉଛନ୍ତି।

“ଗୋଟେ କଥା କହିବି,  ତମେ କହିଥିଲ ନା ସନ ରାଇଜ ହେବ ସନସେଟ ହେବ, ହେଲେ ତୁମକୁ ଜିଜ୍ଞାସା ଆଉ ମିଳିବନି। ଜିଜ୍ଞାସା ତ ରଶ୍ମିର, ସେ ତ ମୂଳରୁ ହିଁ ରଶ୍ମିର ଥିଲା, ଗୋଟେ କଥା ମନେ ରଖ, ଯେତେ ବି ସନ ସେଟ ହେଉ କି ସନରାଇଜ ହେଉ ତମକୁ ଆଉ  ଡିଜେ ଆଜେକ୍ସ ମିଳିବନି, ତମ ପାଣ୍ଡା, ପାଣ୍ଡୁ, ଖଡ଼ୁସ, କଞ୍ଜୁସ ଆଜେକ୍ସକୁ ଆଉ ଦେଖିବାକୁ ପାଇବନି। ୟୋର ଖଡ଼ୁସ ଇଜ ଡେଡ, ମନେ ରଖ। ଯେତେ ଖୋଜିଲେ ବି ଏ କଂଜୁସ ଖଡ଼ୁସକୁ ଆଉ ଦେଖିବାକୁ ପାଇବନି। କେବଳ ମୋ ଫଟୋକୁ ହିଁ ଦେଖୁଥିବ। ଆଇ ଲଭ୍ ୟୁ।” ଏମିତି ଅନେକ କିଛି ଆଜେକ୍ସଙ୍କ କୋହଭରା କଣ୍ଠରେ ଶୁଣିବାକୁ ମିଳିଛି।

ଭୁବନେଶ୍ୱର ଖାରବେଳନଗର ସ୍ଥିତ ଘରୁ ରବିବାର ଦିନ ଅକ୍ଷୟଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅକ୍ଷୟଙ୍କ ମୃତ୍ୟୁ ପାଇଁ ପରିବାର ଲୋକ ଆଜେକ୍ସଙ୍କ ବାନ୍ଧବୀ ଏବଂ ତାଙ୍କ ବାନ୍ଧବୀଙ୍କ ସାଙ୍ଗକୁ ଦାୟୀ କରିଥିଲେ। ଏମାନଙ୍କ ବିରୋଧରେ ଖାରବେଳ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ ମୃତ ଅକ୍ଷୟଙ୍କ ପରିବାର। ପୋଲିସ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଥିଲା।

ପୋଲିସ ଅକ୍ଷୟଙ୍କ ବାନ୍ଧବୀ ଏବଂ ତାଙ୍କ ସାଙ୍ଗଙ୍କ ବିରୋଧରେ ମାମଲା ରୁଜୁ କରିଥିବାବେଳେ ମଙ୍ଗଳବାର ଦିନ ଉଭୟଙ୍କର ବୟାନ ରେକର୍ଡ କରାଯିବ ବୋଲି ପୋଲିସ ସୂଚନା ଦେଇଛି।

ସବୁବେଳେ ବିନାଦାସ ଏବଂ ଖୁସି ମିଜାଜରେ ରହୁଥିବା ଡିଜେ ଆଜେକ୍ସ କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ? ମାନସିକ ଚାପ ନା ପ୍ରେମଜନିତ ବ୍ୟାପରକୁ ଆଜେକ୍ସ ଏଭଳି ପଦକ୍ଷେପ ନେଇଛନ୍ତି? ଏଭଳି ଅନେକ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କିମାରୁଛି।

ଆଜେକ୍ସଙ୍କ ମୃତ୍ୟୁ ପରେ ଗୋଟିଏ ପରେ ଗୋଟିଏ ନୂଆ କଥା ସାମ୍ନାକୁ ଆସିବାରେ ଲାଗିଛି। ଆଜେକ୍ସଙ୍କ ମୃତ୍ୟୁ ପାଇଁ ତାଙ୍କ ବାନ୍ଧବୀ ଏବଂ ତାଙ୍କ ସାଙ୍ଗକୁ ପରିବାର ଲୋକ ଦାୟୀ କରୁଥିବାବେଳେ ତଦନ୍ତ ସରିବା ପରେ ମୃତ୍ୟୁ ପଛର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି।

Tags: #DJAJEX #AkshayMaharana #UnnaturalDeath #PostmortemReport #PoliceInvestigation #PopularDJ

Comment