ଓଡ଼ିଶାଲାଇଭ୍ ବ୍ୟୁରୋ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନଏସି ନିର୍ବାଚନ ପାଇଁ ମଙ୍ଗଳବାର ଫଳାଫଳ ଘୋଷଣା ହୋଇଛି। ଏହି ନିର୍ବାଚନରେ ବିଜେଡିକୁ ବଡ଼ ସଫଳତା ମିଳିଛି। ହିନ୍ଦୋଳ ଏନଏସିର ଅଧ୍ୟକ୍ଷ ପଦରେ ବିଜେଡିର କେଶବ ପ୍ରଧାନ ବିଜୟୀ ହୋଇଛନ୍ତି। ହିନ୍ଦୋଳର ୧୬ଟି ୱାର୍ଡରୁ ୧୧ଟିରେ ବିଜେଡିର କାଉନସିଲର ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଅନ୍ୟପଟେ ୫ଟି ୱାର୍ଡରେ ବିଜେପିର ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

ହିନ୍ଦୋଳରେ ବିଜେଡିର କେଶବ ପ୍ରଧାନ ୬୨୪ଟି ଭୋଟ ବ୍ୟବଧାନରେ ବିଜେପିର ସୌଭାଗିନୀ ପ୍ରଧାନଙ୍କୁ ହରାଇ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। କେଶବ ପ୍ରଧାନ ସର୍ବମୋଟ ୪,୫୪୭ ଖଣ୍ଡ ଭୋଟ ପାଇଥିଲେ। ଅନ୍ୟପଟେ ବିଜେପିର ସୌଭାଗିନୀ ପ୍ରଧାନଙ୍କୁ ୩,୯୨୩ଟି ଭୋଟ ମିଳିଥିଲା ସେହିପରି ଅଧ୍ୟକ୍ଷ ପଦ ପାଇଁ କଂଗ୍ରେସର ରୀତା ପଲେଇଙ୍କୁ ୨୧୯ଟି ଭୋଟ ମିଳିଥିଲା।

ମଙ୍ଗଳବାର ହିନ୍ଦୋଳରେ ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା। ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରଯାଇଥିଲା। ଭୋଟ ଗଣତି କେନ୍ଦ୍ର ବାହାରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଦିନ ୧୨ ସୁଦ୍ଧା ଭୋଟ ଗଣତି ଶେଷ ହୋଇଥିଲା।

ହିନ୍ଦୋଳରେ ଏପ୍ରିଲ ୩ ତାରିଖରେ ଏନଏସି ନିର୍ବାଚନ ହୋଇଥିଲା। ଏହି ନିର୍ବାଚନରେ ୮୮ ପ୍ରତିଶତ ଭୋଟର ମତଦାନ କରିଥିଲେ। ହିନ୍ଦୋଳ ଏନଏସିର ୧୬ଟି ୱାର୍ଡରେ କାଉନସିଲ ପଦ ପାଇଁ ୫୦ ଜଣ ପ୍ରାର୍ଥୀ ପ୍ରତିଦ୍ଵନ୍ଦ୍ଵିତା କରିଥିଲେ। ଏହା ବ୍ୟତୀତ ଅଧ୍ୟକ୍ଷ ପଦ ପାଇଁ ତିନି ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଓହ୍ଲାଇଥିଲେ।

Tags: #NACElection #Hindol #Election #Politics #BJD #BJP #Congress

 

Comment