ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ପୋଲିସ ଏକ ଅପହରଣ ମାମଲାର ତଦନ୍ତ କରୁ କରୁ ଜାଲନୋଟ କାରବାର କରୁଥିବା ରାକେଟର ପର୍ଦ୍ଦାଫାଶ କରିଛି। ଜିଲ୍ଲାରେ ଜାଲନୋଟ କାରବାର କରୁଥିବା ରାକେଟ ଠାବ କରିବା ସହ ୪ ଜଣଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି। ଏହା ସହିତ ଅପହରଣ ମାମଲାରେ ଆଉ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ଏ ନେଇ ସୂଚନା ଦେଇଛନ୍ତି ମୟୂରଭଞ୍ଜ ଅତିରିକ୍ତ ଏସପି ଉମାକାନ୍ତ ମହାରଣା।

ଗିରଫ ଅଭିଯୁକ୍ତମାନଙ୍କଠାରୁ ଗୋଟିଏ ସ୍କର୍ପିଓ ଗାଡ଼ି, ବୋଲେରୋ, ବାଇକ, ୩ ବିଡ଼ା ନକଲି ନୋଟ ଓ ୩ଟି ମୋବାଇଲ ଜବତ କରାଯାଇଛି।

ସଦର ଥାନା ଅନ୍ତର୍ଗତ ରଙ୍ଗମାଟିଆର ନଟ ବେହେରାଙ୍କ ପୁଅ ଗଜେନ୍ଦ୍ର ବେହେରାଙ୍କୁ ଅପହରଣ କରାଯାଇଥିବା ନେଇ ଏପ୍ରିଲ ୭ ତାରିଖରେ ଅଭିଯୋଗ ହୋଇଥିଲା। ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଅପହୃତ ଗଜେନ୍ଦ୍ରଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲା। ଅପହରଣ ଅଭିଯୋଗରେ ପୋଲିସ ମହାଦେବ ସିଂ, ଠାକୁର ସିଂ ଓ ଶ୍ୟାମ ବିନ୍ଧାଣୀଙ୍କୁ ଗିରଫ କରିଥିଲା।

ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା କରିବା ସମୟରେ ଜାଲନୋଟ କାରବାର ସମ୍ପର୍କରେ ଜଣାପଡ଼ିଥିଲା। ଅଭିଯୁକ୍ତଙ୍କ ସୂଚନା ପରେ ଜାଲନୋଟ କାରବାରରେ ସମ୍ପୃକ୍ତି ଅଭିଯୋଗରେ ଗଜେନ୍ଦ୍ର ବେହେରା, ଲୋଟା ବେହେରା, ସୁଖରାମ ସିଂ ଓ ରଞ୍ଜିତା ନାୟକଙ୍କୁ ପୋଲିସ ଗିରଫ କରିଛି। ଏହି କାରବାରରେ ସମ୍ପୃକ୍ତ ଥିବା ଅନ୍ୟଜଣେ ଅଭିଯୁକ୍ତ ସଞ୍ଜୟ ବେହେରା ଫେରାର ହୋଇଯାଇଥିବା ଅତିରିକ୍ତ ଏସପି ସୂଚନା ଦେଇଛନ୍ତି।

Tags: #Mayurbhanj #Kidnapping #DuplicateNoteRacket

Comment