ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ଯୁବକ ଯୁବତୀଙ୍କର ଦକ୍ଷତା ବିକାଶ ନିମନ୍ତେ ରାଜ୍ୟ ସରକାର ଆଣିଛନ୍ତି ନୂଆ ସୁଯୋଗ। ଆଇଟିଆଇ ଓ ଡିପ୍ଲୋମା ପାସ୍ କରିଥିବା ପ୍ରାର୍ଥୀଙ୍କ ପାଇଁ ଓଡ଼ିଶା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଆରମ୍ଭ କରିବାକୁ ଯାଉଛି ଉନ୍ନତମାନର ଦକ୍ଷତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ। ଭୁବନେଶ୍ଵରସ୍ଥିତ ୱାର୍ଲ୍ଡ ସ୍କିଲ ସେଣ୍ଟରଠାରେ ପ୍ରାର୍ଥୀମାନଙ୍କୁ ଏକ ବର୍ଷ ପାଇଁ ବିଭିନ୍ନ ବିଭାଗରେ ପ୍ରଶିକ୍ଷଣ ଦିଆଯିବ।

ବର୍ଷ ୨୦୨୩-୨୪ରେ ହେବାକୁଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାଇଁ ଏବେ ଅନଲାଇନ ଆବେଦନ ଆରମ୍ଭ ହୋଇଛି। ଆଇଟିଆଇ ଓ ଡିପ୍ଲୋମା ପାସ୍ କରିଥିବା ପ୍ରାର୍ଥୀ ଏଥିପାଇଁ ଆବେଦନ କରିପାରିବେ। ମେ’ ୧୭ ଆବେଦନର ଶେଷ ତାରିଖ ରହଛି।

ଯଦି ଆପଣମାନେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ଜାଣନ୍ତୁ କେମିତି କରିବେ ଆବେଦନ।

ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପ୍ରଦାନ କରାଯିବାକୁଥିବା ପାଠ୍ୟକ୍ରମ

ମେକାଟ୍ରୋନିକ୍ସ

ଇଲେକ୍ଟ୍ରିକାଲ୍ ଟେକ୍ନୋଲୋଜି

ଫାସିଲିଯି ଟେକ୍ନୋଲୋଜି

ମେକାନିକାଲ୍ ଓ ଇଲେକ୍ଟ୍ରିକାଲ୍ ସର୍ଭିସେସ୍

ଏୟାର କଣ୍ଡିସନିଂ ଓ ରେଫ୍ରିଜରେସନ ସର୍ଭିସ

ଯୋଗ୍ୟତା

ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ଯେକୌଣସି ସରକାରୀ ବା ବେସରକାରୀ ଶିକ୍ଷାନୁଷ୍ଠାନରୁ ୨ ବର୍ଷିଆ ଆଇଟିଆଇ କିମ୍ବା ବର୍ଷିଆ ଡିପ୍ଲୋମା କରିଥିବା ଆବଶ୍ୟକ  

କେମିତି କରିବେ ଆବେଦନ?

ୱାର୍ଲ୍ଡ ସ୍କିଲ ସେଣ୍ଟରର ୱେବସାଇଟ୍ worldskillcenter.org କୁ ଯାଆନ୍ତୁ

ୱେବସାଇଟ୍ ଭିତରେ ‘ଆଡମିଶନ’ ଅପ୍ସନକୁ କ୍ଲିକ କରନ୍ତୁ

ଏହାପରେ ସେଠାରେ ଲଗ ଇନ କରି ପ୍ରଶିକ୍ଷଣ ପାଇଁ ଫର୍ମ ପୂରଣ କରନ୍ତୁ

ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

ବିଶ୍ଵ ଦକ୍ଷତା ବିକାଶ କେନ୍ଦ୍ରରେ ଏହି ଏକ ବର୍ଷିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପ୍ରାର୍ଥୀମାନଙ୍କ ରହିବା, ଖାଇବା, ୟୁନିଫର୍ମର ଓ ବ୍ୟବହାର ହେବାକୁ ଥିବା ଉପକରଣର ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ପ୍ରାର୍ଥୀମାନଙ୍କୁ କେବଳ ପାଠ୍ୟକ୍ରମ ବାବଦକୁ ୨୦ ହଜାର ଟଙ୍କା ଫି ଦେବାକୁ ପଡ଼ିବ।

ଏହି କାର୍ଯ୍ୟକ୍ରମ ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନଙ୍କୁ ଦକ୍ଷତା କେନ୍ଦ୍ରରେ ନାମଲେଖା ସମୟରେ ନିଜର ସାର୍ଟିଫିକେଟଗୁଡ଼ିକୁ ଭେରିଫାଏ କରାଇବାକୁ ହେବ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଅଧିକ ସୂଚନା ୱାର୍ଲ୍ଡ ସ୍କିଲ ସେଣ୍ଟରର ୱେବସାଇଟରେ ଉପଲବ୍ଧ ରହିଛି।

ଓଡ଼ିଶାର ଶିକ୍ଷିତ ଯୁବକ ଯୁବତୀମାନଙ୍କର ଦକ୍ଷତା ବିକାଶ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୧ ମସିହାରେ ଭୁବନେଶ୍ୱରଠାରେ ‘ୱାର୍ଲ୍ଡ ସ୍କିଲ ସେଣ୍ଟର’ ସ୍ଥାପନ କରାଯାଇଥିଲା। ସିଙ୍ଗାପୁରସ୍ଥିତ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନିକାଲ ଏଜୁକେସନର ବୈଷୟିକ ସହଯୋଗରେ ଏହି ଅନ୍ତର୍ଜାତୀୟ ଦକ୍ଷତା ବିକାଶ କେନ୍ଦ୍ରର ଆରମ୍ଭ କରାଯାଇଥିଲା।

ୱାର୍ଲ୍ଡ ସ୍କିଲ ସେଣ୍ଟରରେ ଯୁବକ ଯୁବତୀଙ୍କ ଦକ୍ଷତା ବିକାଶ ପାଇଁ ଅନ୍ତର୍ଜାତୀୟ ମାନର ବିଭିନ୍ନ ତାଲିମ ଦିଆଯାଏ। ଏଠାରେ ପ୍ରାର୍ଥୀମାନଙ୍କୁ ଅତ୍ୟାଧୁନିକ ତାଲିମ ସହ ଯୋଗାଯୋଗ ଓ ବ୍ୟକ୍ତିତ୍ୱ ବିକାଶର ଶିକ୍ଷା ଦିଆଯାଏ। ଏହା ସେମାନଙ୍କ ଦକ୍ଷତାକୁ ଆଉ ଏକ ଉଚ୍ଚତାକୁ ନେବା ପାଇଁ ସହାୟ ହେବ। ଏହାଛଡ଼ା ଦେଶ ବିଦେଶରେ ସେମାନଙ୍କ ନିଯୁକ୍ତି ସୁଯୋଗ ଆହୁରି ବ୍ୟାପକ ହୋଇପାରିବ।

Tags: #WorldSkillCenter #SkillDevlopmentProgramme #ITIStudents #Odisha

LEAVE A REPLY

Please enter your comment!
Please enter your name here