ଓଡ଼ିଶାଲାଇଭ୍ ବ୍ୟୁରୋ

(ବରଗଡ଼): ଆସନ୍ତା ମେ’ ୬ ତାରିଖରୁ ବରଗଡ଼ ଜିଲ୍ଲାରେ ଆରମ୍ଭ ହେବ ରବି ଋତୁ ଧାନ ସଂଗ୍ରହ ପ୍ରକ୍ରିୟା। ଏ ନେଇ ଜିଲ୍ଲାସ୍ତରୀୟ ବୈଠକରେ ଘୋଷଣା କରିଛନ୍ତି ଜିଲ୍ଲାପାଳ ମୋନିଷା ବାନାର୍ଜୀ।

ପୂର୍ବ ବର୍ଷ ପରି ଚଳିତ ଥର ମଧ୍ୟ ଚାଷୀମାନେ ଟୋକନ ମାଧ୍ୟମରେ ଧାନ ବିକ୍ରୟ କରିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି। ଆୟୋଜିତ ବୈଠକରେ ପ୍ରଶାସନିକ ଅଧିକାରୀ, ମିଲର୍ସ ଏବଂ ଚାଷୀମାନେ ସାମିଲ ହୋଇ ରବି ଋତୁ ଧାନ ସଂଗ୍ରହ ପ୍ରକ୍ରିୟା କିଭଳି ସୁରୁଖୁରୁରେ କରାଯିବ ସେନେଇ ଆଲୋଚନା କରିଥିଲେ।

ପୂର୍ବରୁ ଟୋକନ ଓ ବସ୍ତା ଆଦି ସମସ୍ୟାର ସମାଧାନ ସହ ମାର୍କେଟ ୟାର୍ଡ ଗୁଡ଼ିକର ଭିତ୍ତିଭୂମିର ବିକାଶ ପାଇଁ ଦାବି ହୋଇଆସୁଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ତାହା ପୂରଣ ହେଉନଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା।

ଚଳିତ ରବି ଋତୁ ଧାନ ସଂଗ୍ରହ ପାଇଁ ବରଗଡ଼ ଡିଆରଡିଏ ସମ୍ମିଳନୀ କକ୍ଷରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଧାନ କ୍ରୟ ଏବଂ ବିକ୍ରିର ଭିନ୍ନ ଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା। ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ବଢ଼ି ଚାଲିଥିବାବେଳେ ମାର୍କେଟ ୟାର୍ଡ ଗୁଡ଼ିକରେ ଯେପରି ଚାଷୀ କୌଣସି ଅସୁବିଧାର ସମ୍ମୁଖିନ ନହୁଅନ୍ତି ସେଥିପାଇଁ ବିଶ୍ରାମ ଗୃହ, ପାନୀୟ ଜଳର ବ୍ୟବସ୍ଥା ସହ ଧାନ ବିକ୍ରୟ ପରେ ପରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଆସିବା ଉପରେ ଗୁରୁତ୍ଵ ଦିଆଯିବା ନେଇ ନିଷ୍ପତ୍ତି ହୋଇଛି।

ଧାନ ବିକ୍ରି ପାଇଁ ଚାଷୀଙ୍କ ପାଖକୁ ଆସୁଥିବା ଟୋକନର ଅବଧି ଏକ ମାସ ରଖିବାକୁ ଚାଷୀଙ୍କ ପକ୍ଷରୁ ଦାବି କରାଯିବା ସହ ବିଭିନ୍ନ କ୍ଷେତ୍ରରେ ଚାଷୀଙ୍କୁ ଅଣଦେଖା କରାଯାଉଥିବା ନେଇ ଚାଷୀ ଅଭିଯୋଗ କରିଛନ୍ତି।

ଆସନ୍ତା ମେ’ ୬ ତାରିଖରେ ଅତାବିରା ଏବଂ ୧୨ ତାରିଖରେ ଭେଡେନ, ସୋହେଲା, ପଦ୍ମପୁର, ବରଗଡ଼, ଭଟଲି ଓ ଆମ୍ବାଭୋନା ବ୍ଲକର ସମସ୍ତ ମାର୍କେଟ ୟାର୍ଡ ଖୋଲିବାକୁ ବୈଠକରେ ନିଷ୍ପତ୍ତି ହୋଇଛି।

ବୈଠକରେ ବରଗଡ଼ ଜିଲ୍ଲାପାଳଙ୍କ ସମେତ ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗ ମନ୍ତ୍ରୀ ରୀତା ସାହୁ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପୋ, ଜିଲ୍ଲା ଯୋଗାଣ ଅଧିକାରୀ, କୃଷି ଅଧିକାରୀ, ଚାଷୀ, ମିଲର୍ସ ପ୍ରମୁଖ ଯୋଗ ଦେଇଥିଲେ।

Tags: #Bargarh #RabiPaddyProcurement #Meeting

Comment