ଓଡ଼ିଶାଲାଇଭ୍ ବ୍ୟୁରୋ

ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ଲାଗି ମଙ୍ଗଳବାର ଦିନ ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ। ଦଳର ବରିଷ୍ଠ ନେତା, କର୍ମୀ ଏବଂ ସମର୍ଥକଙ୍କ ଗହଣରେ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ଦୀପାଳି ଝାରସୁଗୁଡ଼ା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହା ପରେ ଉପଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ।

ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ଇଷ୍ଟଦେବୀ ମା’ ପାଟଣେଶ୍ଵରୀଙ୍କ ମନ୍ଦିର ଯାଇ ପୂଜାର୍ଚ୍ଚନା କରି ମା’ଙ୍କ ଆଶୀର୍ବାଦ ନେଇଥିଲେ। ବିଜେଡିର ବରିଷ୍ଠ ନେତା, କର୍ମୀ ଏବଂ ସମର୍ଥକ ବିଜେଡିର ବିଶାଳ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ମନମୋହନ ସ୍କୁଲ ପଡ଼ିଆଠାରୁ ଶୋଭାଯାତ୍ରା ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚି ଥିଲା।

ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ଲାଗି ଗତ ୧୫ ତାରିଖ ଦିନ ଦଳୀୟ ଟିକେଟ ନେଇଥିଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ। ଉପନିର୍ବାଚନରେ ବିଜୟୀ ହେବାକୁ ସମ୍ପୂର୍ଣ୍ଣ ଆଶାବାଦୀ ରହିଥିବା ଦୀପାଳି କହିଛନ୍ତି।

ଏହା ପୂର୍ବରୁ ଗତ ୧୫ ତାରିଖରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଏପ୍ରିଲ ୧୭ ତାରିଖରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ଆଜି ଦୀପାଳି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ଲାଗି ଏପ୍ରିଲ ୧୫ ତାରିଖରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ମେ’ ୧୦ ତାରିଖରେ ହେବ ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ଲାଗି ମତଦାନ। ଏପ୍ରିଲ ୨୦ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି। ଶେଷ ତାରିଖ ପୂର୍ବରୁ ଆଜି ଦୀପାଳି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏପ୍ରିଲ ୨୦ ତାରିଖ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ଏପ୍ରିଲ ୨୪ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ ହୋଇଛି। ମେ’ ୧୩ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।

ଦୀପାଳି ଦାସ ହେଉଛନ୍ତି ଦିବଙ୍ଗତ ମନ୍ତ୍ରୀ ନବ କିଶୋର ଦାସଙ୍କ ଝିଅ। ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ଦୀପାଳି ବିଜେଡି ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଥିଲା।

Also Read

ବିରୋଧୀ ଏକତା: କେତେ ସତ କେତେ ସ୍ଵପ୍ନ

ପରିସ୍ଥିତି ସହ ବଦଳେ ସମ୍ପର୍କ: କ୍ଷମତା ଯିବା ପରେ ଛାଡ଼ିଛନ୍ତି ରାହୁଲଙ୍କ ‘ହାତ’

ନବ କିଶୋର ଦାସଙ୍କ ହତ୍ୟା ପରଠାରୁ ଖାଲିପଡ଼ିଥିବା ଝାରସୁଗୁଡ଼ା ବିଧାନସଭା ଆସନ ଲାଗି ଆସନ୍ତା ମେ’ ୧୦ ତାରିଖରେ ଉପନିର୍ବାଚନ ହେବାକୁ ଯାଉଛି।

ଗତ ଜାନୁଆରି ୨୯ ତାରିଖ ଦିନ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବାବେଳେ ବ୍ରଜରାଜନଗର ଗାନ୍ଧୀ ଛକଠାରେ ଗୁଳିମାଡ଼ର ଶିକାର ହୋଇଥିଲେ ମନ୍ତ୍ରୀ ନବ କିଶୋର ଦାସ। ପରେ ତାଙ୍କର ମୃତ୍ୟୁ ହୋଇଥିଲା। ନବ ଦାସଙ୍କୁ ହତ୍ୟା କରିବା ଅଭିଯୋଗରେ ଗାନ୍ଧୀ ଛକ ଫାଣ୍ଡି ଏଏସଆଇ ଗୋପାଳ ଦାସ ଗିରଫ ହୋଇ ବର୍ତ୍ତମାନ ବିଚାର ବିଭାଗୀୟ ହାଜତରେ ରହିଛି।

Tags: #Politics #OdishaPolitics #JharsugudaByElection #DeepaliDas #NabaKishorDas #BJDCandidate #Nomination

Comment