ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପରିସ୍ଥିତି ସହ ସମ୍ପର୍କ ବି ବଦଳି ଯାଏ। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଘନିଷ୍ଠ କୁହାଯାଉଥିବା ଅନେକ ନେତା କ୍ଷମତା ଯିବା ପରେ ରହୁଲଙ୍କ ‘ହାତ’ ଛାଡ଼ିଥିବା ଦେଖିବାକୁ ମିଳିଛି।

ପରିସ୍ଥିତି ଏବଂ କ୍ଷମତା ସହ ସମ୍ପର୍କର ରଙ୍ଗ ବଦଳି ଯାଏ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଘନିଷ୍ଠ କୁହାଯାଉଥିବା ଅନୀଲ ଆଣ୍ଟୋନି ଏବେ ରାହୁଲଙ୍କ ‘ହାତ’ ଛାଡ଼ି ‘ପଦ୍ମ’ଧରିଛନ୍ତି। ଅନୀଲ ଆଣ୍ଟୋନି ଗୁରୁବାର ବିଜେପିରେ ସାମିଲ ହେବା ପରେ ରାଜନୈତିକ ମହଲରେ ଏହିଭଳି ଚର୍ଚ୍ଚା ଆରମ୍ଭ ହୋଇଛି।

ଅନୀଲ ଆଣ୍ଟୋନି ଗତ ଜାନୁଆରି ମାସରେ କଂଗ୍ରେସ ଛାଡ଼ିଥିଲେ। କିଛି ଦିନ ହେବ ଅନୀଲ ଦେଉଥିବା ବୟାନରୁ ବିଜେପି ପ୍ରତି ତାଙ୍କର ଦୁର୍ବଳତା ପ୍ରତିଫଳିତ ହେଉଥିଲା। ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇ ସେ ସବୁ ସନ୍ଦେହକୁ ସତ ପ୍ରମାଣିତ କରିଦେଇଛନ୍ତି।

ଓ୍ଵାୟନାଡ଼ ଆସନରୁ ରାହୁଲ ଗାନ୍ଧୀ ଲୋକସଭା ନିର୍ବାଚନ ଲଢ଼ିଥିବା ବେଳେ ଅନୀଲ ରାହୁଲଙ୍କ ଛାଇ ପରି ରହିଥିଲେ। ଏପରିକି ରାହୁଲଙ୍କ ଓ୍ଵାୟନାଡ ସମ୍ପର୍କିତ ଟୁଇଟର ହ୍ୟାଣ୍ଡଲ କରୁଥିଲେ ଅନୀଲ। ସବୁ ରାଲି, ଶୋଭାଯାତ୍ରା, ଓ୍ଵାୟନାଡ ସମ୍ପର୍କିତ ନିଷ୍ପତ୍ତି ନିର୍ଦ୍ଧାରଣରେ ଅନୀଲଙ୍କ ସହ ପରାମର୍ଶ କରୁଥିଲେ ଅନୀଲ। କିନ୍ତୁ ରାହୁଲଙ୍କଠାରୁ କିଛି ମାସର ଦୂରତା ପରେ ଆଣ୍ଟୋନୀ ନିଜକୁ କଂଗ୍ରେସ ପାଖରୁ ଦୂରେଇ ନେଇଥିବା ଦେଖିବାକୁ ମିଳିଥିଲା। ଓ୍ଵାୟନାଡ ପାଇଁ ଅନୀଲଙ୍କୁ ରାହୁଲଙ୍କ ଚଳନ୍ତି ପ୍ରତିମା କୁହାଯାଉଥିଲା।  କିନ୍ତୁ ଏବେ ବିଜେପି ପାଇଁ ମୁହଁ ଖୋଲିବେ ଅନୀଲ।

ଅନୀଲଙ୍କ ଭଳି ଏକାଧିକ ନେତା ଅଛନ୍ତି, ଯେଉଁମାନେ କଂଗ୍ରେସରେ ଅନେକ କ୍ଷମତା ଭୋଗ କରିଛନ୍ତି। ରାହୁଲଙ୍କ ଘନିଷ୍ଠତା ଓ ବନ୍ଧୁତାର ଅନେକ ଲାଭ ସେମାନଙ୍କୁ ମିଳିଥିଲେ ମଧ୍ୟ ପରିବର୍ତ୍ତିତ ପରିସ୍ଥିତିରେ ସେମାନେ ରାହୁଳଙ୍କ ସହ କଂଗ୍ରେସକୁ ବାଏ ବାଏ  କହିଥିଲେ।

ରାହୁଲଙ୍କ ସାଂସଦ ପଦ ରଦ୍ଦ ହେବା ପରେ କଂଗ୍ରେସ ତାଙ୍କ ସୁରକ୍ଷାରେ ଅନେକ ପଦକ୍ଷେପ ନେଇଛି। ଏକଦା ରାହୁଲଙ୍କ ପରମମିତ୍ର ଥିବା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହାକୁ ନେଇ ତୀବ୍ର ସମାଲୋଚନା କରିଛନ୍ତି।

“କଂଗ୍ରେସ ରାହୁଲଙ୍କ ପାଇଁ ନ୍ୟାୟପାଳିକା ଉପରେ ଚାପ ସୃଷ୍ଟି କରୁଛି। କଂଗ୍ରସ ରାହୁଲଙ୍କ ପାଇଁ ଦେଶର ଗଣତନ୍ତ୍ର ସହ ଖେଳୁଛନ୍ତି”,  କହିଛନ୍ତି ଜ୍ୟୋତିରାଦିତ୍ୟ।

କଂଗ୍ରେସ ଏହାର କଡ଼ା ଜବାବ ଦେଇଛି। କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ସିନ୍ଧିଆ ଅତି ଅପ୍ରାସଙ୍ଗିକ ହୋଇ ପଡ଼ିଛନ୍ତି। ସେ ନିଜ ପ୍ରାସଙ୍ଗିକତାକୁ ବଜାୟ ରଖିବା ପାଇଁ ରାହୁଲଙ୍କୁ ଏପରି ଟାର୍ଗେଟ କରୁଛନ୍ତି। ଜ୍ୟୋତିରାଦିତ୍ୟଙ୍କ ପାଇଁ କଂଗ୍ରେସ ଏତେ ସୁଯୋଗ ସୁବିଧା ଦେଇଥିଲେ ମଧ୍ୟ ସେ ଦଳର ହେଲେ ନାହିଁ, ଏବେ ବିଜେପିର କେମିତି ହେବେ ବୋଲି ପ୍ରଶ୍ନ କରିଛନ୍ତି ଜୟରାମ ରମେଶ।

ରାହୁଲଙ୍କ ସହିତ ଏତେ ବନ୍ଧୁତା ଥିଲେ ସୁଦ୍ଧା ସିନ୍ଧିଆ ମଧ୍ୟପ୍ରଦେଶର କଂଗ୍ରେସ ସରକାରକୁ ଭାଙ୍ଗି ବିଜେପିରେ ମିଶିଥିଲେ। ସିନ୍ଧିଆଙ୍କ ବିଶ୍ଵାସଘାତକତା ପାଇଁ ମଧ୍ୟପ୍ରଦେଶରେ କଂଗ୍ରେସ କ୍ଷମତାଚ୍ୟୁତ ହୋଇଥିଲା। ସିନ୍ଧିଆଙ୍କ ବାପା ମାଧବ ରାଓ ସିନ୍ଧିଆ ରାହୁଲଙ୍କ ବାପା ରାଜୀବ ଗାନ୍ଧୀଙ୍କର ଘନିଷ୍ଠ ମିତ୍ର ଥିଲେ ଓ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଥିଲେ।

ଆଉଜଣେ ସେମିତି ବନ୍ଧୁ ହେଲେ ଜୀତିନ ପ୍ରସାଦ। ତାଙ୍କ ବାପା ଜିତେନ୍ଦ୍ର ପ୍ରସାଦ ଓ ଜେଜେବାପା ମଧ୍ୟ କଂଗ୍ରେସର ଜଣେ ବରିଷ୍ଠ ଓ କ୍ଷମତାଶାଳୀ ନେତା ଥିଲେ। ପିଢ଼ିପିଢ଼ି ଧରି ଜୀତନଙ୍କ ପରିବାର କଂଗ୍ରେସରୁ ରାଜନୀତି କରିଆସୁଛନ୍ତି।

ଜୀତିନ ପ୍ରସାଦ କଂଗ୍ରେସ ଟିକଟରେ ଉତ୍ତରପ୍ରଦେଶରୁ ସାଂସଦ ନିର୍ବାଚିତ ହୋଇ ମନମୋହନ ସିଂହଙ୍କ ସରକାରରେ ମନ୍ତ୍ରୀ ପଦ ପାଇଥିଲେ। କେବଳ ରାହୁଲଙ୍କ ସହ ତାଙ୍କର ଘନିଷ୍ଠତା ପାଇଁ ତାଙ୍କୁ ମନ୍ତ୍ରୀ ପଦ ମିଳିଥିଲା ବୋଲି କୁହାଯାଏ। କିନ୍ତୁ ସେ ବି ରାହୁଲଙ୍କ ହାତ ଛାଡ଼ିଦେବାକୁ ପଛାଇ ନଥିଲେ। ବିଜେପିରୁ ବିଧାୟକ ନିର୍ବାଚିତ ହୋଇ ସେ ଯୋଗୀ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଅଛନ୍ତି। ଦିନେ ସେ ରାହୁଲଙ୍କ ୟୁଥ୍ ବ୍ରିଗେଡର କ୍ଷମତାଶାଳୀ ସେନାପତି ଥିଲେ।

ସିନ୍ଧିଆ ଓ ଜୀତିନ କଂଗ୍ରେସ ଛାଡ଼ି ରାହୁଲଙ୍କ ସହ ବିଶ୍ଵାସଘାତକତା କରିଛନ୍ତି ବୋଲି ରାହୁଲଙ୍କ ସମର୍ଥକ ଅଭିଯୋଗ କରନ୍ତି। ସେମିତି ଆଉ ଦୁଇଜଣ ବନ୍ଧୁ ସଚ୍ଚିନ ପାଇଲଟ ଓ ମିଲିନ୍ଦ ଦେଓରା। ଏମାନେ କଂଗ୍ରେସ ଛାଡ଼ି ନଥିଲେ ମଧ୍ୟ ହୃଦୟର ସହ ବନ୍ଧୁତା ମଧ୍ୟ ରଖିନାହାନ୍ତି। ଏହି ଦୁଇଜଣଙ୍କୁ ରାହୁଲ ନିଜ ବନ୍ଧୁ ତାଲିକାରେ ଆଉ ରଖି ନଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ମିଲିନ୍ଦ ଦେଓରା ବି ଦିନେ ରାହୁଲଙ୍କର ଖାସ୍ ଥିଲେ। ମିଲିନ୍ଦଙ୍କ ବାପା ମୂରଲୀ ଦେଓରା ମଧ୍ୟ କଂଗ୍ରେସର ବଡ଼ ନେତା ଥିଲେ। ହେଲେ କଂଗ୍ରେସର କ୍ଷମତା ଯିବା ପରେ ରାହୁଲଙ୍କ ବନ୍ଧୁତା ମିଲିନ୍ଦଙ୍କୁ ଲାଭପ୍ରଦ ଲାଗି ନଥିଲା। ସେ ଏବେ ରାଜନୀତିରେ ସୁପ୍ତ ଅବସ୍ଥାରେ ଅଛନ୍ତି। କଂଗ୍ରେସ ଟିକଟରେ ସେ ଦୁଇଥର ସାଂସଦ ହୋଇଥିଲେ। ୟୁପିଏର ସରକାରରେ ମିଲିନ୍ଦଙ୍କୁ ମନ୍ତ୍ରୀପଦ ମିଳିଥିଲା। ଏହା ସହିତ ମୁମ୍ବାଇ କଂଗ୍ରେସର ସଭାପତି ମଧ୍ୟ ମିଳିଥିଲା ରାହୁଲଙ୍କ ସହ ଘନିଷ୍ଠତା ପାଇଁ। କିନ୍ତୁ ସେ ମଧ୍ୟ ଆଜିକାଲି ରାହୁଲଙ୍କ ସହ ନାହାନ୍ତି।

ରାହୁଲଙ୍କୁ କୌଣସି ପ୍ରସଂଗରେ ସେ ସମର୍ଥନ କରୁ ନଥିଲେ ମଧ୍ୟ ଅନେକ ପ୍ରସଂଗରେ ମୋଦୀଙ୍କ ସମର୍ଥନରେ ବାହାରୁଥିବାରୁ ଅନେକ ସମୟରେ ଏହା କଂଗ୍ରେସକୁ ଅଡୁଆରେ ପକାଉଥିବା ଦେଖିବାକୁ ମିଳିଛି। ଗୁଜରାଟରେ କଂଗ୍ରେସ କ୍ଷମତାକୁ ଫେରିବା ପାଇଁ ଗତ ନିର୍ବାଚନରେ ଚେଷ୍ଟା କରୁଥିବା ବେଳେ ମିଲିନ୍ଦ ବିଜେପି ସରକାରର ପ୍ରଶଂସାରେ ଶତମୁଖ ହୋଇଥିଲେ। ଏବେ ତାଙ୍କ ଦେହ କଂଗ୍ରେସରେ ଥିଲେ ବି ମନ ବିଜେପିରେ ବୁଲୁଛି ବୋଲି ରାହୁଲଙ୍କ ସମର୍ଥକ କହୁଛନ୍ତି।

ସଚ୍ଚିନ ପାଇଲଟ ରାହୁଲଙ୍କ ଅତି ଘନିଷ୍ଠ। ସଚ୍ଚିନଙ୍କ ବାପା ରାଜେଶ ପାଇଲଟ୍ ବି ରାଜୀବ ଗାନ୍ଧୀଙ୍କର ଅତି ଘନିଷ୍ଠ ବନ୍ଧୁ ଥିଲା। ଏ ବନ୍ଧୁତା ପରବର୍ତ୍ତୀ ପିଢ଼ିକୁ ଯାଇଥିଲେ ମଧ୍ୟ କ୍ଷମତାର ରାଜନୀତି ପାଇଁ ଏହା ଫିକା ପଡ଼ିଯାଇଥିଲା। ମୁଖ୍ୟମନ୍ତ୍ରୀ ହେବା ଆଶାରେ ଥିବା ସିନ୍ଧିଆ ଯେମିତି ରାହୁଲଙ୍କୁ ଧୋକ୍କା ଦେଇଥିଲେ ସେମିତି ମୁଖ୍ୟମନ୍ତ୍ରୀ ହେବା ଆଶାରେ ସଚ୍ଚିନ ମଧ୍ୟ ରାଜସ୍ଥାନରେ ସରକାର ଭାଙ୍ଗିଦେବାକୁ ଉଦ୍ୟମ କରିଥିଲେ।

କିନ୍ତୁ ଶେଷ ମୂହୁର୍ତ୍ତରେ ଏହା ବିଫଳ ହୋଇଯାଇଥିଲେ। ପ୍ରିୟଙ୍କାଙ୍କ ମଧ୍ୟସ୍ଥତା ପାଇଁ ସଚ୍ଚିନ ଏବେ କଂଗ୍ରେସରେ ଥିଲେ ମଧ୍ୟ ଆଗକୁ ସେ କ’ଣ ନିଷ୍ପତ୍ତି ନେବେ ତାହା ଭବିଷ୍ୟତ ହିଁ କହିବ। କିନ୍ତୁ ଆଜିକାଲି ରାହୁଲ ଓ ସଚ୍ଚିନଙ୍କ ମଧ୍ୟରେ ଦୂରତା ବଢ଼ିଥିବା କୁହାଯାଉଛି।

Tags: #Politics #IndiaPolitics #Congress #BJP #RahulGandhi #AnilAntony #PowerPolitics

Comment