ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ବିଧାନସଭା ଆସନରେ ସରଗରମ ହୋଇଛି ରାଜନୈତିକ ପାଣିପାଗ। ଏଥର ମଧ୍ୟ ଏଠାରେ ବିଜେଡି ଓ ବିଜେପି ମଧ୍ୟରେ ଦ୍ଵିମୁଖୀ ଲଢ଼େଇ ନେଇ ଚର୍ଚ୍ଚା ହେଉଛି। ଏହା ଭିତରେ କଂଗ୍ରେସ ଭୋଟରେ ମିଶାଣ ଫେଡ଼ାଣ ନିର୍ବାଚନୀ ସମୀକରଣ ବିଗାଡ଼ିଦେବାର ସମ୍ଭାବନା ବି ରହିଛି। ପାଟକୁରା ଲଢ଼େଇ ସମ୍ମାନର ଲଢ଼େଇ ଆଉ ଅପମାନର ମଧ୍ୟ।

ବିଜୟଙ୍କ ବିନା କାହାଣୀ ଅଧା

ଓଡ଼ିଶାରେ ଚର୍ଚ୍ଚାର ଶୀର୍ଷରେ ଥିବା ହାତ ଗଣତି ଆସନ ମଧ୍ୟରୁ ଗୋଟିଏ ହେଉଛି ପାଟକୁରା ନିର୍ବାଚନ ମଣ୍ଡଳୀ। ଏଥର ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ନିର୍ବାଚନ ଲଢୁନାହାନ୍ତି। କିନ୍ତୁ ତାଙ୍କ ବିନା ଏଠାକାର ନିର୍ବାଚନୀ ଖବର ଅସମ୍ପୂର୍ଣ୍ଣ। ଏଠାରେ ଆରମ୍ଭରେ ବି ଏବଂ ଶେଷରେ ବି ତାଙ୍କ ନାମର ପ୍ରାସଂଗିକତା ରହିବ।

ବାପାଙ୍କ ବଦଳରେ ପୁଅ, କିନ୍ତୁ ଦଳ ଅଲଗା

ଏଥର ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର। ନିର୍ବାଚନ ଅଭିଜ୍ଞତା ବେଶି ନାହିଁ। କିନ୍ତୁ ତାଙ୍କ ସହିତ ରହିଛି ବିଜୟଙ୍କ ଲମ୍ବା ରାଜନୈତିକ ଦକ୍ଷତା ଓ ଗଣିତକୁ ଏପଟ ସେପଟ କରିବାର କ୍ଷମତା ରଖୁଥିବା ବାପାଙ୍କ ଲିଗାସି। ଅଳ୍ପ କିଛି ଦିନ ପୂର୍ବରୁ ତାଙ୍କର ଗୋଟିଏ ପରିଚୟ ଥିଲା, ତା ହେଉଛି ସେ ବିଜୟଙ୍କ ପୁଅ। ଏବେ ତାଙ୍କ ସହିତ ରହିଛି ବିଜେଡିର ସଂଗଠନ। ଏସବୁକୁ ପୁଞ୍ଜି କରି ସେ ନିର୍ବାଚନ ଜିତିବା ଆଶାରେ ଅଛନ୍ତି।

ଜୋରଦାର ପ୍ରଚାର ମଧ୍ୟ ଚଳାଇଛନ୍ତି ଅରବିନ୍ଦ। ବାପାଙ୍କ ପୁରୁଣା ସାଥୀ ତଥା ବିଜେଡିର ବରିଷ୍ଠ ନେତାଙ୍କ ସହ ଘର ଘର ବୁଲି ଭୋଟ୍ ମାଗୁଛନ୍ତି। ଅବଶ୍ୟ ବିଜୟ ଖୋଲାଖୋଲି ଏ ଯାଏଁ ନିର୍ବାଚନ ପ୍ରଚାରକୁ ଓହ୍ଲାଇ ନାହାନ୍ତି। କିନ୍ତୁ ପଛରେ ରହି ପୁଅର ରାସ୍ତା ସୁଗମ କରିବା ଚେଷ୍ଟାରେ ଅଛନ୍ତି।

ବିଜେଡିକୁ ଅଡୁଆରେ ପକାଇବେ କି ସାବିତ୍ରୀ?

ପାଟକୁରାରୁ ସାବିତ୍ରୀ ଅଗ୍ରଓ୍ଵାଲ ୨୦୧୯ରେ ବିଜେଡିର ବିଧାୟକ ହୋଇଥିଲେ। କିନ୍ତୁ ଏଥର ତାଙ୍କୁ ଦଳରୁ ଟିକେଟ ମିଳିନାହିଁ। ତାଙ୍କ ପୁଅ ସଞ୍ଜୟ ମଧ୍ୟ ବିଜେଡିରୁ ଟିକେଟ ଆଶାୟୀ ଥିଲେ। ତାଙ୍କ ପରିବାରର ମଧ୍ୟ ଅନେକ ସମର୍ଥକ ଅଛନ୍ତି। ଯଦି ତାଙ୍କ ଅସନ୍ତୋଷ ବିଜେଡି ଦୂର କରିବାରେ ସମର୍ଥ ନ ହୁଏ ତେବେ ଦଳ ପାଇଁ ଅଡୁଆ ହୋଇପାରେ।

ତେଜ ଦେଖାଉଛନ୍ତି ତେଜେଶ୍ଵର

ବିଜେଡିରେ ଥିଲେ ତେଜେଶ୍ଵର ପରିଡ଼ା। ୨୦୧୯ ନିର୍ବାଚନରେ ସେ ପାଟକୁରାରୁ ଟିକେଟ ଆଶାୟୀ ଥିଲେ। କିନ୍ତୁ ବିଜେଡିର ସମୀକରଣରେ ସେ ଫିଟ୍ ହେଲେନାହିଁ। ୨୦୨୪ରେ ଟିକେଟ ମିଳିବ କି ନାହିଁ ମଧ୍ୟ ସନ୍ଦେହରେ ଥିଲେ। ୨୦୨୨ ସେପ୍ଟେମ୍ବର ମାସରେ ସେ ବିଜେପିରେ ସାମିଲ ହୋଇଥିଲେ। ଏଥର ତାଙ୍କୁ ବିଜେପି ପ୍ରାର୍ଥୀ କରିଛି। ତେଣୁ ସେ ପୂରା ଜୋର ଲଗାଇ ଦେଇଛନ୍ତି।

ପୂର୍ବରୁ ନିର୍ବାଚନ ଲଢ଼ିନାହାନ୍ତି ତେଜେଶ୍ଵର। ହେଲେ ବିଜେଡିର ସଂଗଠନରେ ସେ ବେଶ୍ ସକ୍ରିୟ ଥିଲେ। ବିଧାନସଭା ନିର୍ବାଚନଠାରୁ ଆରମ୍ଭ କରି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସେ ବିଭିନ୍ନ ଜିଲ୍ଲାରେ ପର୍ଯ୍ୟବେକ୍ଷକ ଭାବେ କାମ କରିଛନ୍ତି। ନିର୍ବାଚନ ଓ ଉପ ନିର୍ବାଚନରେ ବି ନିଜର ସାଂଗଠନିକ ଦକ୍ଷତା ଦେଖାଇଛନ୍ତି। ଗୋଟି ଗୋଟି କରି ଭୋଟର ହିସାବ ରଖିବାର ଦକ୍ଷତା ଥିବାରୁ ଏଥର ଜନମତ ବଦଳାଇବା ଆଶାରେ ଅଛନ୍ତି ତେଜେଶ୍ଵର।

ତେଜେଶ୍ଵରଙ୍କୁ ବିଜୟ ଅଡୁଆ

ପାଟକୁରାରେ ବିଜୟ ମହାପାତ୍ରଙ୍କର ଦବଦବା ରହିଛି। ବ୍ୟକ୍ତିଗତ ସଂଗଠନ ରହିଛି। କିନ୍ତୁ ଏ ସଂଗଠନର ଫାଇଦା ବିଜେପି ପ୍ରାର୍ଥୀ ତେଜେଶ୍ଵରଙ୍କୁ ମିଳିବା ସମ୍ଭାବନା କ୍ଷୀଣ। ବିଜୟ ନିଜ ପୁଅଙ୍କ ପାଇଁ ତେଜେଶ୍ଵରଙ୍କ ଭୋଟ୍ କାଟିବାକୁ ଭିତରିଆ ଉଦ୍ୟମ କରିବାର ସମ୍ଭାବନା ରହିଛି। ଏ ସବୁ ଅଡୁଆକୁ ଦୂରେଇବା ପାଇଁ ତେଜେଶ୍ଵରଙ୍କୁ ବିକଳ୍ପ ରଣନୀତି କରିବା ଦରକାର ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି।

ଗଣିତ ବିଗାଡ଼ିପାରେ କଂଗ୍ରେସ

ପାଟକୁରାରେ କଂଗ୍ରେସ ପ୍ରାର୍ଥୀ ସିଧାସଳଖ ଲଢ଼େଇରେ ନାହାନ୍ତି ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ତାଙ୍କ ଭୋଟରେ ମିଶାଣ ଫେଡ଼ାଣ ଅନ୍ୟ ଦୁଇ ପ୍ରାର୍ଥୀଙ୍କ ହିସାବ ଗଡ଼ବଡ଼ କରିଦେବାର ଯଥେଷ୍ଟ ସମ୍ଭାବନା ରହିଛି। କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ରତିକାନ୍ତ କାନୁନଗୋ। ୫ ବର୍ଷ ହେଲା ସେ ସଂଗଠନ ସଜାଡ଼ିବା ଚେଷ୍ଟାରେ ଅଛନ୍ତି। ସେ ଅଧିକ ଭୋଟ୍ ପାଇଲେ ବିଜେପି କିମ୍ବା ବିଜେଡି ପ୍ରାର୍ଥୀଙ୍କ ଭୋଟ୍ କଟିଯିବାର ସମ୍ଭାବନା ରହିଛି।

ପାଟକୁରା ପରିସଂଖ୍ୟାନ

୮୦ ଦଶକରୁ ପାଟକୁରାରେ ଜନତା ଦଳର ଦବଦବା ରହି ଆସିଛି। ଏଠାରୁ ୧୯୮୦ରୁ ୨୦୦୦ ମସିହା ଯାଏଁ ବିଜୟ ମହାପାତ୍ର ବିଧାୟକ ରହିଥିଲେ। ବିଜେଡି ଗଠନ ହେବା ପରଠାରୁ ଏଠାରେ କେବଳ ଥରୁଟିଏ ହାରିଛି। ତା ପୁଣି ୨୦୦୦ ମସିହା ନିର୍ବାଚନରେ। ସେଥର ବିଜେଡିରୁ ବହିଷ୍କୃତ ନେତା ବିଜୟ ମହାପାତ୍ର ନିର୍ବାଚନ ଲଢ଼ିପାରି ନ ଥିଲେ। ହେଲେ ତାଙ୍କ ସମର୍ଥିତ ତଥା ତୃଣମୂଳ କଂଗ୍ରେସ ପ୍ରାର୍ଥୀ ତ୍ରିଲୋଚନ ବେହେରାଙ୍କୁ ଜିତାଇବାରେ ସଫଳ ହୋଇଥିଲେ।

୨୦୦୪ ପରଠାରୁ ଏଠାରୁ ବିଜେଡି ଜିତିଆସୁଛି। ୨୦୦୪ରେ ଏଠାରେ ଅତନୁ ସବ୍ୟସାଚୀ ନାୟକ ବିଜେଡି ଟିକେଟରୁ ଜିତିଥିଲେ। ୨୦୦୯ରୁ ସେ ମହାକାଳପଡ଼ାରୁ ବିଜୟୀ ହୋଇ ଆସୁଛନ୍ତି। ୨୦୦୯ରେ ବିଜେପି ବିଜେଡି ମେଣ୍ଟ ଭାଙ୍ଗିବା ପରେ ବିଜେପି ନେତା ବେଦପ୍ରକାଶ ଅଗ୍ରଓ୍ଵାଲ ବିଜେଡିରେ ଯୋଗ ଦେଇ ପାଟକୁରାରୁ ପ୍ରାର୍ଥୀ ହୋଇଥିଲେ।

୨୦୦୯ରେ ବେଦପ୍ରକାଶ ଅଗ୍ରଓ୍ଵାଲ ୭୧, ୭୨୫ ଭୋଟ୍ ପାଇଥିଲେ। ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ମିଳିଥିଲା ୪୪,୯୯୦ ଭୋଟ୍। କଂଗ୍ରେସ ପ୍ରାର୍ଥୀ ନାରାୟଣ ପ୍ରସାଦ ସ୍ଵାଇଁଙ୍କୁ ୨୬,୧୩୧ ଭୋଟ୍ ମିଳିଥିଲା।

୨୦୧୪ରେ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ଵାଲଙ୍କୁ ମିଳିଥିଲା ୮୯, ୮୫୩ ଭୋଟ୍। ବିଜେପି ପ୍ରାର୍ଥୀ  ମାନସ ମହାନ୍ତିଙ୍କୁ ମିଳିଥିଲା ୨୧,୫୮୮ ଭୋଟ୍। କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି ୪୨, ୧୩୮ ଖଣ୍ଡ ଭୋଟ୍ ପାଇ ଦ୍ଵିତୀୟ ସ୍ଥାନରେ ରହିଥିଲେ। ଏଥର ବିଜୟ ମହାକାଳପଡ଼ାରେ ଅତନୁଙ୍କ ସହ ଲଢ଼େଇରେ ଅବତୀର୍ଣ୍ଣ ହୋଇଥିଲେ।

୨୦୧୯ରେ ବେଦପ୍ରକାଶ ଅଗ୍ରଓ୍ଵାଲଙ୍କ ଆକସ୍ମିକ ବିୟୋଗ ଯୋଗୁଁ ନିର୍ବାଚନ ହୋଇପାରି ନ ଥିଲା। ପରେ ଏଠାରେ ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ ବେଦପ୍ରକାଶଙ୍କ ପତ୍ନୀ ସାବିତ୍ରୀ ଅଗ୍ରଓ୍ଵାଲ। ବିଜେଡି ସଂଗଠନ ଓ ଅନୁକମ୍ପା ପାଇଁ ସେ ୯୬,୦୩୦ ଭୋଟ୍ ପାଇଥିଲେ। ବିଜୟ ମହାପାତ୍ର ବିଜେପିରୁ ପ୍ରାର୍ଥୀ ହୋଇ ୭୮, ୧୩୨ ଭୋଟ୍ ପାଇଥିଲେ। କଂଗ୍ରେସ ପ୍ରାର୍ଥୀ ଏଠାରୁ ଅମାନତ ହରାଇଥିଲେ।

ଅପମାନ ଓ ସମ୍ମାନର ଲଢ଼େଇ

ବିଜୁ ପଟ୍ଟନାୟକଙ୍କ ଅନୁଗାମୀ ତଥା ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ୨୦୦୦ ମସିହା ପରେ ଶତ ଚେଷ୍ଟା କରି ମଧ୍ୟ ବିଧାନସଭାକୁ ଆସିପାରିଲେନାହିଁ। ବିଜେଡିକୁ ଛାଡ଼ି ଦେଇଥିବା ସେହି ନେତାଙ୍କ ପୁଅ ଏବେ ବିଜେଡିରୁ ପ୍ରାର୍ଥୀ। ପୁଅର ରାଜନୈତିକ ଭବିଷ୍ୟତ ପାଇଁ ବିଜୟ ପୁଅଙ୍କ ନିଷ୍ପତ୍ତିକୁ ବିରୋଧ କରିନାହାନ୍ତି। ବାପାଙ୍କୁ ଅପମାନ ହୋଇଥିଲା, କିନ୍ତୁ ବିଜେଡି ଟିକେଟରୁ ହେଉ ପଛେ ଅରବିନ୍ଦଙ୍କ ପାଇଁ ଏହି ଲଢ଼େଇ ବଡ଼ ସମ୍ମାନର ପ୍ରଶ୍ନ।

ଅନ୍ୟପଟେ ବିଜେଡି ଛାଡ଼ି ବିଜେପି ଟିକେଟରେ ଲଢୁଛନ୍ତି ତେଜେଶ୍ଵର। ବିଜେଡିରେ ଅପମାନିତ ହୋଇ ସେ ବିଜେପିରେ ଯୋଗ ଦେଇଥିଲେ। ତେଣୁ ଏହା ବି ତାଙ୍କ ପାଇଁ ସମ୍ମାନର ଲଢ଼େଇ।

Tags: #OdishaAssemblyElections2024 #PatkuraAssemblyseat #BJD #BJP #Congress #Politics #Odisha

Comment