ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବ୍ରହ୍ମପୁର ଲୋକସଭା ଆସନ ହାତେଇବାକୁ ରାଜ୍ୟର ତିନି ପ୍ରମୁଖ ଦଳ ମଧ୍ୟରେ ଆରମ୍ଭ ହୋଇଛି କସରତ। କିଏ ମାରିବ ବ୍ରହ୍ମପୁର ବାଜି, ବିଜେପି, ବିଜେଡି ନା କଂଗ୍ରେସ, ତା’ ଉପରେ ଅଟକି ରହିଛି ସାରା ରାଜ୍ୟର ନଜର।

ଦିନକୁ ଦିନ ରୋଚକ ହେବାରେ ଲାଗିଛି ବ୍ରହ୍ମପୁର ରାଜନୀତି। ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଏବେ ନିର୍ବାଚନୀ ମଇଦାନକୁ ଓହ୍ଲାଇ ଭୋଟରଙ୍କୁ ମନେଇବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ଆସନ୍ତା ମେ’ ୧୩ ତାରିଖରେ ଭୋଟ୍ ପଡ଼ିବ।

ଗତ ୫ ବର୍ଷ ଭିତରେ ବ୍ରହ୍ମପୁର ରାଜନୀତି ପାଣିପାଗ ବେଶ ବଦଳିଯାଇଛି। ଗତ କିଛି ମାସ ଭିତରେ ସବୁକିଛି ଓଟଲପାଲଟ ହୋଇଯାଇଛି। ଦଳ ବଦଳ ରାଜନୀତି ଭିତରେ ବ୍ରହ୍ମପୁର ଭୋଟରଙ୍କ ମୁଡ୍ ଠଉରେଇବା ଏବେ ମୁସ୍କିଲ୍ ହୋଇପଡ଼ିଛି।

କାହା ସପକ୍ଷରେ ଯିବ ଦଳବଦଳ ରାଜନୀତି?

ଭୃଗୁ ବକ୍ସିପାତ୍ର ୨୦୧୯ରେ ଥିଲେ ବିଜେପିର ଲୋକସଭା ପ୍ରାର୍ଥୀ। ବିଜେଡି ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁଙ୍କଠାରୁ ୯୪ ହଜାର ୮୪୪ ଖଣ୍ଡ ଭୋଟରେ ପରାସ୍ତ ହୋଇଥିଲେ ଭୃଗୁ। ଭୃଗୁ ବକ୍ସିପାତ୍ରଙ୍କ ସପକ୍ଷରେ ୩ ଲକ୍ଷ ୪୮ ହଜାର ୯୯୯ ଖଣ୍ଡ ଭୋଟ ପଡ଼ିଥିବାବେଳେ ବିଜେଡି ପ୍ରାର୍ଥୀ ଚନ୍ଦ୍ର ଶେଖର ସାହୁଙ୍କୁ ମିଳିଥିଲା ୪ ଲକ୍ଷ ୪୩ ହଜାର ୮୪୩ ଖଣ୍ଡ ଭୋଟ। ଏଥର ଭୃଗୁ କିନ୍ତୁ ଦଳ ବଦଳାଇ ଚନ୍ଦ୍ରଶେଖରଙ୍କ ସ୍ଥାନରେ ବିଜେଡିରୁ ଲୋକସଭା ଲଢୁଛନ୍ତି।

ପ୍ରଦୀପ ପାଣିଗ୍ରାହୀ ୨୦୧୯ରେ ବିଜେଡି ଟିକେଟରେ ଗୋପାଳପୁର ବିଧାୟକ ହୋଇଥିଲେ। କିନ୍ତୁ ଏବେ ଦଳ ବଦଳାଇ ବ୍ରହ୍ମପୁର ଲୋକସଭାରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ପାଗ ଭିଡ଼ିଛନ୍ତି। 

ବ୍ରହ୍ମପୁର ଲୋକସଭା ଆସନ ପାଇଁ କଂଗ୍ରେସ ନୂଆ ମୁହଁ ରଶ୍ମିରଞ୍ଜନ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି। ୨୦୧୯ରେ କଂଗ୍ରେସର ପ୍ରାର୍ଥୀ ହୋଇଥିବା ଭି.ଚନ୍ଦ୍ରଶେଖର ନାଇଡୁଙ୍କୁ ଏଥର ଟିକଟ ନମିଳିବାରୁ ସେ ଏବେ ସ୍ଵାଧୀନ ଭାବେ ନିର୍ବାଚନ ମଇଦାନକୁ ଆସିଛନ୍ତି। ଏଭଳି ସ୍ଥିତିରେ ବ୍ରହ୍ମପୁର ରାଜନୀତି ତାତି ବଢ଼ିବାରେ ଲାଗିଛି।

୨୦୧୯ ନିର୍ବାଚନରେ ବ୍ରହ୍ମପୁର ଲୋକସଭା ଆସନ ପାଇଁ ବିଜେଡି ଓ ବିଜେପି ମଧ୍ୟରେ ହୋଇଥିଲା ମୁଖ୍ୟ ପ୍ରତିଦ୍ଵନ୍ଦ୍ଵିତା। ମାତ୍ର ୧ ଲକ୍ଷ ୪୨ ହଜାର ୬୩୨ ଖଣ୍ଡ ଭୋଟ ପାଇଁ ବହୁ ପଛରେ ରହିଥିଲେ କଂଗ୍ରେସ ପ୍ରାର୍ଥୀ ଭି. ଚନ୍ଦ୍ରଶେଖର ନାଇଡ଼ୁ। ୨୦୧୯ରେ ବିଜେଡି ପ୍ରାର୍ଥୀ ଗଞ୍ଜାମ ଜିଲ୍ଲାର ୫ଟି ବିଧାନସଭା ଆସନରେ ଆଗୁଆ ରହିଥିବାବେଳେ ବିଜେପି ଗଜପତି ଦଖଲ କରିଥିଲା। ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ବିଜେପି ଓ ମୋହନା ଆସନ କଂଗ୍ରେସ ଅଧୀନକୁ ଯାଇଥିଲା।  

ପ୍ରଦୀପଙ୍କ ପାଇଁ ସମ୍ମାନର ଲଢ଼େଇ

ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ଚଳିତ ନିର୍ବାଚନ ସମ୍ମାନର ଲଢ଼େଇ ହେବ। ବିଜେଡିରୁ ବହିଷ୍କୃତ ହେବା ପରେ ବିଜେପିରେ ତାଙ୍କୁ ମିଳିଛି ଗୁରୁତ୍ଵପୂର୍ଣ୍ଣ ବ୍ରହ୍ମପୁର ଲୋକସଭା କ୍ଷେତ୍ରର ଟିକେଟ। ଏଣୁ ନିଜ ରାଜନୈତିକ କ୍ୟାରିୟର ପୁନରୁଥାନ ପାଇଁ ସେ ଜୋରଦାର କସରତ ଆରମ୍ଭ କରିଛନ୍ତି। ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳ ସମେତ ଗଜପତିର ମୋହନା ଓ ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀକୁ ଏକାଧିକ ଥର ଗସ୍ତ କରି ସେଠାରେ ପ୍ରଚାର ଜୋରଦାର କରିଛନ୍ତି।

୨୦୦୯ରେ ଗଞ୍ଜାମ ଜିଲ୍ଲାର ୫ଟି ବିଧାନସଭା କ୍ଷେତ୍ରରେ ବିଜେପି ଦ୍ଵିତୀୟ ସ୍ଥାନରେ ରହିଥିବାବେଳେ ପାରଳାଖେମୁଣ୍ଡି ଅକ୍ତିଆର କରିଥିଲା।

ବ୍ରହ୍ମପୁର ଭୋଟରଙ୍କ ମନ ଜିଣି ପାରିବେକି ଭୃଗୁ?

ଗଞ୍ଜାମ ଜିଲ୍ଲାର ୫ଟି ବିଧାନସଭା କ୍ଷେତ୍ରରେ ବିଜେଡିର ଦବଦବା ରହିଥିବାବେଳେ ଭୃଗୁ ବକ୍ସିପାତ୍ର ଅପେକ୍ଷାକୃତ ସୁବିଧାଜନକ ସ୍ଥିତରେ ଥିବା କୁହାଯାଇପାରେ। ଗତ ଥର ପାରଳାଖେମୁଣ୍ଡିରେ ବିଜେପି ଓ ମୋହନାରେ କଂଗ୍ରେସ ଅଧିକ ଭୋଟ ନେଇଥିଲା। ଭୃଗୁ ବକ୍ସିପାତ୍ର ଗଜପତି ଉପରେ ଫୋକସ କରିଛନ୍ତି। ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ସେ ପାରଳାଖେମୁଣ୍ଡି, ମୋହନା, ରା.ଉଦୟଗରି ଅଞ୍ଚଳ ଗସ୍ତ କରି ପ୍ରଚାର କାର୍ଯ୍ୟ କରିଛନ୍ତି।

ପ୍ରଦୀପ ପାଣିଗ୍ରାହୀ ମୋଦୀଙ୍କ ଗ୍ୟାରେଣ୍ଟି ଆଧାରରେ ପ୍ରଚାର ଚଳାଇଥିବାବେଳେ ‘ନବୀନ କ୍ରେଜ୍’ ଭରସାରେ ଭୃଗୁ ନିର୍ବାଚନୀ ବୈତରଣୀ ପାର୍ କରିବାକୁ ଉଦ୍ୟମ କରିବେ। ତେବେ ଦେଖିବାକୁ ବାକି ରହିଲା ବ୍ରହ୍ମପୁର ଭୋଟର କାହା ଉପରେ ଭରସା କରିବେ।

Tags: #Politics #OdishaPolitics #AssemblyElections2024 #Odisha #BJP #BJD #Congress

Comment