ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କୋରାପୁଟ ଲୋକସଭା ଆସନରେ ଏଥର ଜମିବ ଲଢ଼େଇ, କଂଗ୍ରେସ, ବିଜେଡି ନା ବିଜେପି ଉପରେ ଭରସା କରିବେ ଭୋଟର?

ଦକ୍ଷିଣ ଓଡ଼ିଶାର ଏକ ଚର୍ଚ୍ଚିତ ଆସନ ହେଉଛି କେରାପୁଟ ଲୋକସଭା କ୍ଷେତ୍ର। ଚଳିତ ଥର କୋରାପୁଟ ଲୋକସଭା ଆସନରେ ହେବାକୁ ଯାଉଛି ଦମଦାର ନିର୍ବାଚନୀ ଲଢ଼େଇ। କଂଗ୍ରେସ ତା’ର ଗଡ଼କୁ ସୁରକ୍ଷିତ ରଖିବ ନା ବିଜେଡି, ବିଜେପି ନିଜର ଦମ୍ ଦେଖାଇବେ, ତା’ ଉପରେ ରହିଛି ସମସ୍ତଙ୍କ ନଜର।

କୋରାପୁଟ ଆସନ ପାଇଁ ଅଣ୍ଟା ଭିଡ଼ିଲେଣି ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ। କୋରାପୁଟ ଲୋକସଭା ଆସନ ଉପରେ ଏଥର କବ୍‌ଜା କରିବାକୁ ତିନି ଦଳ ନିଜ ନିଜର ରଣନୀତି ପ୍ରସ୍ତୁତ କରିସାରିଛନ୍ତି।

ରାୟଗଡ଼ା ଜିଲ୍ଲାର ୩ଟି ବିଧାନସଭା କ୍ଷେତ୍ର ଗୁଣପୁର, ରାୟଗଡ଼ା, ବିଷମ କଟକ ଏବଂ କୋରାପୁଟ ଜିଲ୍ଲାର ୪ଟି ବିଧାନସଭା କ୍ଷେତ୍ର ଲକ୍ଷ୍ମୀପୁର, କୋରାପୁଟ, ଜୟପୁର ଓ ପଟ୍ଟାଙ୍ଗୀକୁ ନେଇ କୋରାପୁଟ ଲୋକସଭା ଆସନ ଗଠିତ। ସେଥିମଧ୍ୟରୁ ୪ଟି ବିଧାନସଭା ଆସନକୁ ୨୦୧୯ରେ ଅକ୍ତିଆର କରିଥିଲା ବିଜେଡି।

ସେହିପରି ୩ଟି ବିଧାନସଭା ଆସନ କଂଗ୍ରେସ ହାତରେ ରହିଥିଲା। ବିଜେପି ଏଠି ଖାତା ଖୋଲିବାକୁ ସମର୍ଥ ହୋଇନଥିଲା। ରାଜନୀତି ପଣ୍ଡତଙ୍କ ଗଣନା ଏଥର କୋରାପୁଟରେ ଦେଖିବାକୁ ମିଳିବ ଦୁଇମୁଖୀ ଲଢ଼େଇ। କଂଗ୍ରେସ ଏବଂ ବିଜେଡି ଭିତରେ ହେବ ଦମଦାର ଫାଇଟ୍। ତୃତୀୟରେ ରହିଯିବ ବିଜେପି।

ପୁଣି ସପ୍ତଗିରିଙ୍କୁ ବାଛିବେ କି କୋରାପୁଟବାସୀ?

କୋରାପୁଟ ଲୋକସଭା ଆସନ ପାଇଁ ପୁଣି ଥରେ ସପ୍ତଗିରି ଶଙ୍କର ଉଲାକାଙ୍କ ଉପରେ ଭରସା କରିଛି କଂଗ୍ରେସ। ସପ୍ତଗିରି ଗତ ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାରୁ ଏକମାତ୍ର କଂଗ୍ରେସ ସାଂସଦ ଭାବେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। କୋରାପୁଟରେ ତାଙ୍କର ଭଲ ସଂଗଠନ ରହିଛି। ସବୁଠୁ ବଡ଼ କଥା ହେଲା, ସପ୍ତଗିରି ହେଉଛନ୍ତି କଂଗ୍ରେସର ବରିଷ୍ଠ ନେତା ରାମଚନ୍ଦ୍ର ଉଲାକାଙ୍କ ପୁଅ।

କୋରାପୁଟ ଲୋକସଭା ଆସନରୁ ସେ ଥରେ ସାଂସଦ ହୋଇଥିଲେ। ତା’ ଛଡ଼ା ରାୟଗଡ଼ାରୁ ସେ ଏକାଧିକ ଥର ବିଧାନସଭାକୁ ମଧ୍ୟ ଯାଇଥିଲେ। ତେଣୁ କୋରାପୁଟ ଲୋକସଭା କ୍ଷେତ୍ରରେ ଉଲକା ପରିବାରର ଭଲ ପ୍ରଭାବ ରହିଛି।

ଏହାକୁ ଆଧାର କରି ସପ୍ତଗିରି ପୁଣି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଗତ ୫ ବର୍ଷର ରିପୋର୍ଟ କାର୍ଡ ସହ କଂଗ୍ରେସର ପାରମ୍ପରିକ ଭୋଟ ବ୍ୟାଙ୍କକୁ ଭରସା କରି ଏଥର ବି କୋରାପୁଟ ଆସନରେ ବାଜିମାତ କରିବାକୁ ପ୍ରୟାସ କରୁଛନ୍ତି ସପ୍ତଗିରି।

ବିଜେଡି ହାତକୁ ଯିବ କି କୋରାପୁଟ ବାଜି?

କଂଗ୍ରେସକୁ ଚେକ୍ ଦେଇ ୨୦୦୯ ଏବଂ ୨୦୧୪ ନିର୍ବାଚନରେ କୋରାପୁଟ ଆସନ ହାତେଇ ଥିଲା ବିଜେଡି। ୨୦୦୯ରେ ଜୟରାମ ପାଙ୍ଗୀ ଏବଂ ୨୦୧୪ରେ ଝିନ ହିକକା ବିଜେଡି ଟିକେଟ୍‌ରେ ଲଢ଼ି ସାଂସଦ ହୋଇଥିଲେ। ଏହାପରେ ୨୦୧୯ ନିର୍ବାଚନରେ କୋରାପୁଟ ପାଇଁ ନୂଆ ରଣନୀତି ଆପଣେଇ ଥିଲା ବିଜେଡି, ଖେଳିଥିଲା ମହିଳା କାର୍ଡ। ଝିନ ହିକକାଙ୍କ ପତ୍ନୀ କୌଶଲ୍ୟା ହିକକାଙ୍କୁ ବିଜେଡି କରିଥିଲା ଲୋକସଭା ପ୍ରାର୍ଥୀ। ହେଲେ କୋରାପୁଟ ମିଶନରେ ଫେଲ୍ ମାରିଲା ବିଜେଡିର ରଣନୀତି। କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲାକାଙ୍କଠାରୁ ମାତ୍ର ଅଳ୍ପ ଭୋଟ୍ ବ୍ୟବଧାନରେ ପରାସ୍ତ ହୋଇଯାଇଥିଲେ କୌଶଲ୍ୟା।

ଏଥର ମଧ୍ୟ କୋରାପୁଟ ପାଇଁ ସମାନ ରଣନୀତି ପ୍ରସ୍ତୁତ କରିଛି ବିଜେଡି। ପୁଣିଥରେ କୌଶଲ୍ୟାଙ୍କ ଉପରେ ଭରସା କରିଛି ଦଳ। କୋରାପୁଟ ଲୋକସଭା ଆସନ ଅଧୀନରେ ଥିବା ସମସ୍ତ ବିଧାନସଭା କ୍ଷେତ୍ରରେ ସଂଗଠନକୁ ମଜଭୁତ କରିଛି ବିଜେଡି। ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ସହ ବିଜେଡିର ବିକାଶ ବାର୍ତ୍ତାକୁ ଆଧାର କରି ଏଥର ନିର୍ବାଚନୀ ବୈତରଣୀ ପାର୍ କରିବାକୁ ଲକ୍ଷ୍ୟ ରଖିଛନ୍ତି କୌଶଲ୍ୟା।   

ଭୋଟରଙ୍କ ମନ ଜିତିବାକୁ ବିଜେପିର କସରତ

କୋରାପୁଟ ଲୋକସଭା ଆସନ ପାଇଁ ବିଜେପି ଏଥର କାଳିରାମ ମାଝିଙ୍କୁ ପ୍ରାର୍ଥୀ କରିଛି। ୨୦୦୮ ମସିହାରୁ କୋରାପୁଟ ଲୋକସଭା କ୍ଷେତ୍ରରେ ସେ ବିଜେପି ସଂଗଠନ ପାଇଁ କାମ କରିଆସିଛନ୍ତି। ୨୦୦୯ ଏବଂ ୨୦୧୪ରେ ରାୟଗଡ଼ା ବିଧାନସଭା ଆସନରେ ବିଜେପି ତାଙ୍କୁ ପ୍ରାର୍ଥୀ ମଧ୍ୟ କରିଥିଲା। ହେଲେ ସଫଳ ହୋଇନଥିଲେ କାଳିରାମ ମାଝି।

ଯଦି କୋରାପୁଟ ସଂସଦୀୟ କ୍ଷେତ୍ରରେ ଭାରତୀୟ ଜନତା ପାର୍ଟିର ସଂଗଠନ କ୍ଷମତା ବିଷୟରେ ଆଲୋଚନା କରିବା, ତେବେ କୋରାପୁଟ ଲୋକସଭା ଆସନ ଦୌଡ଼ରେ ସବୁବେଳେ ଅପହଁଚ ରହିଛି ବିଜେପି। ନା କେବେ ଜିତିଛି, ନା କେବେ ରେସରେ ରହିଛି। ୨୦୧୯ ସାଧାରଣ ନିର୍ବାଚନରେ କୋରାପୁଟ ଲୋକସଭା ଆସନରୁ ହେଭିୱେଟ୍ ଜୟରାମ ପାଙ୍ଗୀଙ୍କୁ ପ୍ରାର୍ଥୀ କରିଥିଲା ଦଳ। ବିଜେପି ସେଥର ତୃତୀୟ ସ୍ଥାନରେ ରହିଥିଲା, ମାତ୍ର ଦଳର ଭୋଟ ହାର ପୂର୍ବ ଅପେକ୍ଷା ବଢ଼ିଥିଲା। ତେଣୁ ଚଳିତ ଥରର ନୂଆ ଚେହେରା ସହ ମୋଦୀଙ୍କ ଗ୍ୟାରେଣ୍ଟି ବଳରେ କୋରାପୁଟରେ ପଦ୍ମ ଫୁଟାଇବାକୁ ଆଶା ରଖିଛି ବିଜେପି।  

କୋରାପୁଟ ଲୋକସଭା ଆସନର ଇତିହାସ

ଯଦି କୋରାପୁଟ ଲୋକସଭା ଆସନର ଇତିହାସକୁ ବିଶ୍ଳେଷଣ କରି ଦେଖାଯାଏ, ତେବେ ୧୯୫୭ ମସିହାରୁ ଏଯାଏଁ ୧୮ଟି ଲୋକସଭା ନିର୍ବାଚନ ଦେଖି ସାରିଲାଣି କୋରାପୁଟ। ଯେଉଁଥିରୁ ୧୬ ଥର କଂଗ୍ରେସକୁ ଏବଂ ଦୁଇଥର ବିଜେଡି ପ୍ରାର୍ଥୀଙ୍କୁ ମିଳିଛି ଭୋଟରଙ୍କ ସମର୍ଥନ।

୧୯୫୭ରୁ ୨୦୦୪ ମସିହା ପର୍ଯ୍ୟନ୍ତ କୋରାପୁଟ ଲୋକସଭା ଆସନ ଏକାକି ଅକ୍ତିଆର କରିଥିଲା କଂଗ୍ରେସ। ଏହାପରେ କୋରାପୁଟରେ କଂଗ୍ରେସର ବିଶାଳ ଦୁର୍ଗକୁ ଭେଦି ୨୦୦୯ ଏବଂ ୨୦୧୪, ଦୁଇଟି ପାଳି ଲୋକସଭା ଆସନକୁ ନିଜ ଖାତାକୁ ନେଇ ଯାଇଥିଲା ବିଜେଡି। ମାତ୍ର ୨୦୧୯ରେ ପୁଣି ବଦଳିଗଲା ସମୀକରଣ। କୋରାପୁଟ ମଇଦାନକୁ କମ୍‌ବ୍ୟାକ୍ କରିଥିଲା କଂଗ୍ରେସ। ସବୁଥର ପରି ପଛରେ ରହିଗଲା ବିଜେପି। ତେଣୁ ଏଥର ମଧ୍ୟ କଂଗ୍ରେସ ଆଉ ବିଜେଡି ମଧ୍ୟରେ ହିଁ ଅସଲ ଫାଇଟ୍ ହେବ ବୋଲି ଚର୍ଚ୍ଚା ହେଉଛି।

ମେ’ ୧୩ ତାରିଖରେ କୋରାପୁଟ ଲୋକସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ। ପୁଣି କାହାକୁ ୫ ବର୍ଷ ପାଇଁ ନିଜର ପ୍ରତିନିଧି ବାଛି ଦିଲ୍ଲୀ ପଠାଇବେ କୋରାପୁଟବାସୀ ତା’ ଉପରେ ଏବେ ସମସ୍ତଙ୍କ ନଜର।

Tags: #Politics #OdishaPolitics #AssemblyElections2024 #Odisha #BJP #BJD #Congress

Comment