ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି ମେ’ ମାସରେ ବାତ୍ୟାକୁ ନେଇ ଭୟ ସୃଷ୍ଟି ହୋଇଛି। ୨୦୧୯ ମସିହା ମେ’ ୩ ତାରିଖରେ ବାତ୍ୟା ‘ଫନି’ ଓଡ଼ିଶାରେ ତାଣ୍ଡିବ ରଚି ଥିବାବେଳେ ଆସନ୍ତା ମେ’ ୯ ତାରିଖରେ ବାତ୍ୟା ସମ୍ଭାବନାକୁ ନେଇ ଏବେ ଚିନ୍ତା ବଢ଼ିଛି। ଯଦିଓ ବାତ୍ୟା ପ୍ରଭାବ ନେଇ ଓଡ଼ିଶା ପାଇଁ କୌଣସି ସତର୍କ ସୂଚନା ଜାରି କରାଯାଇ ନାହିଁ।

ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ମେ’ ୬ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ମେ’ ୭ ତାରିଖ ବେଳକୁ ଏହି ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ଆକଳନ କରିଛି ପାଣିପାଗ ବିଭାଗ।

ମେ’ ୮ ତାରିଖ ବେଳକୁ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେବ ଏବଂ ଆସନ୍ତା ମେ’ ୯ ତାରିଖ ବେଳକୁ ଏହା ବାତ୍ୟାର ରୂପ ନେଇପାରେ ବୋଲି ବୁଧବାର ଦିନ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ବର୍ତ୍ତମାନ ପର୍ଯ୍ୟନ୍ତ ବାତ୍ୟାର ଗତିପଥ ଏବଂ ତୀବ୍ରତା ଆକଳନ କରାଯାଇନଥିବା ସେ କହିଛନ୍ତି। ଲଘୁଚାପ ଅଞ୍ଚଳ ସୃଷ୍ଟି ହେବା ପରେ ଏହାର ଗତିପଥ ଓ ତୀବ୍ରତା ଆକଳନ କରାଯିବ ବୋଲି ଆଇଏମଡି ଡିଜି କହିଛନ୍ତି। ବାତ୍ୟା ନେଇ ବର୍ତ୍ତମାନ ସୁଦ୍ଧା ଓଡ଼ିଶା ପାଇଁ କୌଣସି ଆକଳନ କରାଯାଇ ନଥିବା ସେ କହିଛନ୍ତି।

Also Read

‘ଫନି’କୁ ପୂରିଲା ୪ ବର୍ଷ: ଛାରଖାର ହୋଇଥିଲା ଓଡ଼ିଶା

ଲଘୁଚାପ ପ୍ରଭାବରେ ମେ’ ୭ ତାରିଖରୁ ସମୁଦ୍ର ଅଶାନ୍ତ ରହିବ। ଏହି ସମୟରେ ପବନର ବେଗ ୪୦ରୁ ୫୦ କିଲୋମିଟର ରହିବା ନେଇ ଆକଳନ କରାଯାଇଛି। ଏହି ସମୟରେ ସମୁଦ୍ର ମଧ୍ୟକୁ ଯିବା ଲାଗି ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ଯେଉଁମାନେ ସମୁଦ୍ର ଭିତରେ ରହିଛନ୍ତି ସେମାନଙ୍କୁ ୭ ତାରିଖ ପୂର୍ବରୁ ଫେରିଆସିବାକୁ ପରାମର୍ଶ ଦିଆଯାଇଛି।

Tags: #Cyclone #Weather #WeatherUpdates #CycloneAlert

Comment