ଓଡ଼ିଶାଲାଇଭ୍ ବ୍ୟୁରୋ

ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ଝଟ୍‌କା। ଉପନିର୍ବାଚନ ପାଇଁ ବିଜେପି ସମର୍ଥନ ଯୋଗାଡ଼ କରୁଥିବାବେଳେ ବୁଧବାର ଦିନ ଦଳ ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି ଝାରସୁଗୁଡ଼ା ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ। ସବୁଠାରୁ ବଡ଼ କଥା ହେଲା ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ରହିଥିଲେ ମଙ୍ଗଳ ସାହୁ।

ଆଜି ନିଜ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି ମଙ୍ଗଳ ସାହୁ। ଝାରସୁଗୁଡ଼ା ଉପନିର୍ବାଚନକୁ ଆଉ ମାତ୍ର ୭ ଦିନ ଥିବାବେଳେ ପଦ୍ମ ଛାଡ଼ି ଶଙ୍ଖ ଧରିଛନ୍ତି ବିଜେପି ଜିଲ୍ଲା ସଭାପତି। ମଙ୍ଗଳଙ୍କ ଯୋଗଦାନ ବିଜେଡି ପାଇଁ ଲାଭଦାୟକ ହେବ ବୋଲି କୁହାଯାଉଛି।

ଏହା ପୂର୍ବରୁ ମେ’ ୧ ତାରିଖରେ ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ମିଶ୍ର ନିଜ ପଦବୀରୁ ଇସ୍ତଫା ଦେବାସହ ବିଜେଡିରେ ସାମିଲ ହୋଇଥିଲେ।

ଗୋଟିଏ ପଟେ ଉପନିର୍ବାଚନ ପାଇଁ ବିଜେଡି ନିଜର ସ୍ଥିତି ସୁଦୃଢ଼ କରୁଥିବାବେଳେ ବିରୋଧୀ ବିଜେପି ଏବଂ କଂଗ୍ରେସକୁ ଗୋଟିଏ ପରେ ଗୋଟିଏ ଝଟକ୍‌ ମିଳିବାକୁ ଲାଗିଛି।

ଆସନ୍ତା ମେ’ ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମତଦାନ ହେବ। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଚାର ମଇଦାକୁ ଓହ୍ଲାଇଛନ୍ତି ପ୍ରାର୍ଥୀମାନେ। ଦଳୀୟ ନେତା ଏବଂ ସମର୍ଥକଙ୍କ ଗହଣରେ ଚାଲିଛି ପ୍ରଚାର କାର୍ଯ୍ୟ। ଏହାରି ମଧ୍ୟରେ ନିଜ ନିଜ ଦଳଛାଡ଼ି ନେତାମନେ ବିଜେଡି ମୁହାଁ ହେଉଥିବା ଦେଖିବାକୁ ମିଳୁଛି।

Tags: #Politics #OdishaPolitics #JharsugudaByelection #BJD #BJP #Congress #MangalSahu

Comment