ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀମନ୍ଦିର ସଂସ୍କାର ମାମଲାର ଅନ୍ତ ଘଟାଇଛନ୍ତି ସୁପ୍ରିମକୋର୍ଟ। ୫ ବର୍ଷ ତଥା ୨୬ଟି ଶୁଣାଣି ପରେ ଏହି ମାମଲାକୁ ସୋମବାର ଦିନ ସୁପ୍ରିମକୋର୍ଟ ବନ୍ଦ କରିଛନ୍ତି। ତେବେ ଏହି ମାମଲାରେ ରତ୍ନଭଣ୍ଡାର ସମ୍ପର୍କରେ ସୁପ୍ରିମକୋର୍ଟ କୌଣସି ରାୟ ଶୁଣାଇ ନାହାନ୍ତି।

ସୁପ୍ରିମକୋର୍ଟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠକୁ ବିଚାରକୁ ନେଇ ଏହି ମାମଲାକୁ ଶେଷ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ମାମଲାରେ ମୃଣାଳିନୀ ପାଢ଼ୀ କରିଥିବା ମୂଳ ପିଟିସନକୁ ବନ୍ଦ କରିଛନ୍ତି।

ସୁପ୍ରିମକୋର୍ଟ ଶ୍ରୀମନ୍ଦିର ସଂସ୍କାର ମାମଲାରେ ପୂର୍ବରୁ ଦେଇଥିବା ନିର୍ଦେଶାବଳୀ ପାଳନ ହେଉଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସତ୍ୟପାଠରେ କୁହାଯାଇଥିଲା।

ଅନ୍ୟପଟେ ସୁପ୍ରିମକୋର୍ଟ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଉପରେ କୌଣସି ରାୟ ଶୁଣାଇ ନାହାନ୍ତି। ଏହା ଲୋକଙ୍କ ଭାଵନା ସହ ଜଡ଼ିତ ଥିବାରୁ ଏହା ଉପରେ କୌଣସି ରାୟ ଦେଇନାହାନ୍ତି ସୁପ୍ରିମକୋର୍ଟ।

ସେହିପରି ଯଦି କୌଣସି ବ୍ୟକ୍ତିଙ୍କ ଶ୍ରୀମନ୍ଦିର ମାମଲାରେ କିଛି ଆପତ୍ତି ଥାଏ, ତେବେ ସେମାନେ ହାଇକୋର୍ଟରେ ଆବେଦନ କରିପାରିବେ ବୋଲି ସୁପ୍ରିମକୋର୍ଟ ନିଜ ରାୟରେ କହିଛନ୍ତି।

ସୋମବାର ଦିନ ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ବିଚାରପତିଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ଏହି ଖଣ୍ଡପୀଠରେ ବିଚାରପତି ଜଷ୍ଟିସ ଏମ ଆର୍ ଶାହା ଓ ଜଷ୍ଟିସ ସି ଟି ରବି କୁମାର ସାମିଲ ଥିଲେ।

୨୦୧୮ ମସିହାରେ ଆଡଭୋକେଟ୍ ମୃଣାଳିନୀ ପାଢ଼ୀ ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏଥିରେ ଶ୍ରୀମନ୍ଦିରରେ ବ୍ୟପାକ ଅବ୍ୟବସ୍ଥା ତଥା ମନ୍ଦିରର ନିଷିଦ୍ଧାଞ୍ଚଳରେ ବେଆଇନ ନିର୍ମାଣ ହେଉଥିବାର ଅଭିଯୋଗ ହୋଇଥିଲା। ସେ ଏହି ଆବେଦନରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବାକୁ ବିରୋଧ କରିଥିଲେ।

ଏହାପରେ ସୁପ୍ରିମକୋର୍ଟ ବିଭିନ୍ନ ସମୟରେ ଏହି ମାମଲାର ଶୁଣାଣି କରି ମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପାଇଁ ମନ୍ଦିର ବିଷୟରେ କିଛି ନିୟମାବଳୀ ପାଳନ କରିବାକୁ ନିର୍ଦେଶ ଦେଇଥିଲେ।

Tags: #SriMandirReformCase #SupremeCourt #CaseClose #Odisha

Comment