ଓଡ଼ିଶାଲାଇଭ୍ ବ୍ୟୁରୋ

ଆସିଲା ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପରୀକ୍ଷା ରେଜଲ୍ଟ। ଝାରସୁଗୁଡ଼ାରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ମାରିଲେ ବାଜି।

ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦିପାଳୀ ଦାସଙ୍କୁ ମିଳିଛି ବଡ଼ ସଫଳତା। ଝାରସୁଗୁଡ଼ା ଲଢ଼େଇରେ ୪୮,୬୧୯ ଭୋଟ ବ୍ୟବଧାନରେ ଆଗରେ ରହିଛନ୍ତି ଦୀପାଳି।

ଉପନିର୍ବାଚନ ପାଇଁ ସରଗରମ ହୋଇଉଠିଥିଲା ଝାରସୁଗୁଡ଼ାର ରାଜନୈତିକ ମାହୋଲ। ଶନିବାର ଦିନ ଫଳାଫଳ ଆସିବା ପରେ ଶଙ୍ଖ ଶିବିରରେ ଆରମ୍ଭ ହୋଇଛି ସେଲିବ୍ରେସନ। ଦିବଙ୍ଗତ ମନ୍ତ୍ରୀ ନବକିଶୋର ଦାସଙ୍କ ଝିଅ ଦୀପାଳି ଦାସ ଏହି ଉପନିର୍ବାଚନରେ ମାରିଛନ୍ତି ବାଜି। ଦୀପାଳି ନିର୍ବାଚନ ଲଢ଼ିବାରେ ସମ୍ପୂର୍ଣ୍ଣ ନୂଆ। ତଥାପି ଝାରସୁଗୁଡ଼ା ମାଟିରେ ତାଙ୍କୁ ମିଳିଛି ବିପୁଳ ସମର୍ଥନ।

ଉପନିର୍ବାଚନରେ ଦୀପାଳି ବାପା ନବ ଦାସଙ୍କଠାରୁ ଅଧିକ ଭୋଟରେ ବିଜୟ ହାସଲ କରିଛନ୍ତି। ଦୀପାଳି ବାପାଙ୍କ ରେକର୍ଡ ବ୍ରେକ କରିଛନ୍ତି। ଲିଗାସି ଏବଂ ଅନୁକମ୍ପା ଫ୍ୟାକ୍ଟର କାମ ଦେଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ଦୀପାଳିଙ୍କ ଭଳି ଝାରସୁଗୁଡ଼ା ବିଧାସନଭା ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଏବଂ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ରାଜନୀତିରେ ନୂଆ। କାହା ପାଖରେ ନିର୍ବାଚନ ଅଭିଜ୍ଞତା ନଥିଲା। ଏହି ଲଢ଼େଇରେ ୪୮ ହଜାରରୁ ଅଧିକ ଭୋଟରେ ଦୀପାଳି ଆଗରେ ରହିବା କିଛି ଛୋଟ କଥା ନୁହେଁ ବୋଲି ରାଜନୀତି ପଣ୍ଡିତମାନେ କହୁଛନ୍ତି।

ଝାରସୁଗୁଡ଼ା ଉପନିର୍ବାଚନ ଲଢ଼ୁଥିଲେ ରାଜ୍ୟର ତିନି ପ୍ରମୁଖ ଦଳର ୩ ପ୍ରାର୍ଥୀ ଦୀପାଳି ଦାସ, ଟଙ୍କଧର ତ୍ରିପାଠୀ ଓ ତରୁଣ ପାଣ୍ଡେ, ସମସ୍ତେ ଯୁବଗୋଷ୍ଠୀର। ସଂଗଠନ ଓ ଅନୁକମ୍ପା ଦୃଷ୍ଟିରୁ ବିଜେଡି ଆଗୁଆରେ ରହିଥିଲା। ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀ ବିଭିନ୍ନ ପ୍ରସଂଗରେ ସରକାରଙ୍କୁ ଟାର୍ଗେଟ କରିବା ସହ ନିଜ ସପକ୍ଷରେ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ପ୍ରାଣମୁର୍ଚ୍ଛା ଉଦ୍ୟମ ଚଳାଇଥିଲେ। ବିଜେପିର ଉଦ୍ୟମ ଦ୍ଵିତୀୟ ସ୍ଥାନ ପର୍ଯ୍ୟନ୍ତ ସୀମିତ ରହିଥିବାବେଳେ କଂଗ୍ରେସ ଝାରସୁଗୁଡ଼ାରେ ଅମାନତ ହରାଇଛି।

ବାପାଙ୍କୁ ଟପିଲେ ଦୀପାଳି

ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପାଖରେ ବିଜେଡିର ଶକ୍ତିଶାଳୀ ସଂଗଠନ ସହ ବାପା ନବ ଦାସଙ୍କ ଲିଗାସି ରହିଛି। ପ୍ରତ୍ୟକ୍ଷ ରାଜନୀତିରେ ଦୀପାଳି ସକ୍ରିୟ ନଥିଲେ ମଧ୍ୟ ବାପାଙ୍କ ପୃଷ୍ଠପୋଷକତାରେ ତାଙ୍କର ସାମାଜିକ ସଂଗଠନ ସମାନ୍ତରାଳ ଭାବେ କାମ କରୁଥିଲା। ନବ ଦାସ ଦୀପାଳିଙ୍କ ରାଜନୈତିକ କ୍ୟାରିଅରକୁ ନେଇ ଯୋଜନା କରିଥିଲେ। କିନ୍ତୁ ନବ ଦାସଙ୍କ ଅକାଳ ବିୟୋଗ ପାଇଁ ଦୀପାଳିଙ୍କୁ ଭବ୍ୟ ରାଜନୈତିକ ପ୍ରବେଶ ମିଳିପାରି ନଥିଲେ ମଧ୍ୟ ନିର୍ବାଚନ ଲଢ଼ିବାର ବଡ଼ ସୁଯୋଗ ମିଳିଲା।

ଝାରସୁଗୁଡ଼ା ଉପନିର୍ବାଚନରେ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ଦୀପାଳି। ବିଜେପି ପ୍ରାର୍ଥୀଙ୍କଠାରୁ ୪୮,୬୧୯ ଭୋଟରେ ଆଗରେ ରହିଛନ୍ତି ଦୀପାଳି। ଦୀପାଳି ନିଜ ବାପାଙ୍କ ଭୋଟ ବ୍ୟବଧାନଠାରୁ ମଧ୍ୟ ଅଧିକ ବ୍ୟବଧାନରେ ଆଗରେ ରହିଛନ୍ତି। ଦୀପାଳି ବାପାଙ୍କୁ ଟପିଥିବା ଏବେ ଚର୍ଚ୍ଚା ହେଉଛି।

୨୦୧୯ ନିର୍ବାଚନରେ ନବ ଦାସ ୯୭,୨୬୦ ଭୋଟ ପାଇଥିବାବେଳେ ୪୫,୬୯୯ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ଝାରସୁଗୁଡ଼ା ଉପନିର୍ବାଚନରେ ଦୀପାଳିଙ୍କୁ ମିଳିଛି ୧,୦୭,୦୦୩ ଖଣ୍ଡ ଭୋଟ ଏବଂ ତାଙ୍କ ଭୋଟ ବିଜୟର ବ୍ୟବଧାନ ରହିଛି ୪୮,୬୧୯।  ନବ ଦାସଙ୍କ ଭୋଟ ତୁଳନାରେ ଦୀପାଳିଙ୍କ ଭୋଟ ୯,୭୪୩ ଖଣ୍ଡ ଅଧିକ ରହିଛି ଏବଂ ଭୋଟ ବ୍ୟବଧାନ ଅଧିକ ୨,୯୨୦ ରହିଛି।

ବାପା ଆଜି ବହୁତ ଖୁସି ହେଉଥିବେ

ଝାରସୁଗୁଡ଼ା ଉପନିର୍ବାଚନରେ ବଡ଼ ସଫଳତା ପାଇବା ପରେ ଦୀପାଳି କହିଛନ୍ତି, “ଆଜି ବାପା ଥିଲେ ବହୁତ ଖୁସି ହେଇଥାନ୍ତେ। ସେ ସବୁବେଳେ ମୋର ସଫଳତା ଚାହିଁ ଆସୁଥିଲେ। ଆଜି ଯେଉଁ ସଫଳତା ମିଳିଛି ବାପା ଯୋଉଠିବି ଥିବେ ଦେଖି ବହୁତ ଖୁସି ହେଉଥିବେ।

ଦୀପାଳି ଆହୁରି ମଧ୍ୟ କହିଥିଲେ ବିଜେଡି ଉପରେ ଲୋକଙ୍କର ବିଶ୍ଵାସ ରହିଛି। ଝାରସୁଗୁଡ଼ାବାସୀଙ୍କ ଆଶୀର୍ବାଦ ମୋ ଉପରେ ରହିଛି। ମୋତେ ମିଳିଥିବା ଏହି ସଫଳତା ଝାରସୁଗୁଡ଼ାବାସୀଙ୍କ ପାଇଁ ସମ୍ଭବ ହୋଇଛି। ଝାରସୁଗୁଡ଼ାର ବିକାଶ ଏବଂ ଲୋକଙ୍କର ଉନ୍ନତି ତାଙ୍କ ପାଇଁ ପ୍ରାଥମିକତା ହେବ ବୋଲି ଦୀପାଳି କହିଛନ୍ତି।

ନବଙ୍କ ରାଜନୈତିକ ଉତ୍ତରାଧିକାରୀ ଦୀପାଳି

ପୁଅ ଥିଲେ ମଧ୍ୟ ଝିଅ ଦୀପାଳିଙ୍କୁ ନବ ଦାସଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଥିଲା। ଭୋଟର, କର୍ମୀ ଦୀପାଳିଙ୍କୁ ନବଙ୍କ ରାଜନୈତିକ ଉତ୍ତରାଧିକାରୀ ବୋଲି କେବେଠାରୁ ଭାବି ସାରିଥିଲେ। ନିଜେ ନବ ଦାସ ଅଣଆନୁଷ୍ଠାନିକ ଭାବେ ଦୀପାଳିଙ୍କ ରାଜନୈତିକ ପ୍ରବେଶ କଥା ବାରମ୍ବାର କହୁଥିଲେ।

ବାପାଙ୍କ ଅକାଳ ବିୟୋଗ ପରେ ସିଧା ନିର୍ବାଚନ ଲଢ଼ିବାକୁ ଦୀପାଳିଙ୍କୁ ସୁଯୋଗ ମିଳିଲା। ଦଳର ବଳ ଏବଂ ନବଙ୍କ ସୁଦୃଢ଼ ସଂଗଠନ ଦୀପାଳିଙ୍କୁ ବିଜୟୀ ହେବାରେ ସହାୟକ ହେଲା। ଝାରସୁଗୁଡ଼ା ଲଢ଼େଇରେ ଦୀପାଳି ଜିତିବା ପରେ ନବଙ୍କ ରାଜନୈତିକ ଉତ୍ତରାଧିକାରୀ ପାଲଟିଛନ୍ତି।

୫୦ ହଜାର ଭୋଟ ବ୍ୟବଧାନରେ ଜିତିବାକୁ ଆଶା ରଖିଥିଲା ବିଜେଡି

ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚରେ ୫୦ ହଜାରରୁ ଅଧିକ ଭୋଟରେ ବିଜୟୀ ହେବାକୁ ଆଶା ରଖିଥିଲା ବିଜେଡି। ଯାହା ଅଳ୍ପ କିଛି ସଂଖ୍ୟା ବ୍ୟବଧାନରେ ଅଟକି ଗଲା। ଝାରସୁଗୁଡ଼ାରେ ବିଜେଡି ବିପୁଳି ଭୋଟରରେ ବିଜୟୀ ହେବ ଏବଂ ବିଜେପି ଦ୍ଵିତୀୟ ସ୍ଥାନ ପାଇଁ ନିଜର ସଂଘର୍ଷ ଜାରି ରଖିବ ବୋଲି କହିଥିଲେ ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର।

ଝାରସୁଗୁଡ଼ାରେ କେବେ କଂଗ୍ରେସ କେବେ ବିଜେଡି

ଦିନେ କଂଗ୍ରେସର ଗଡ଼ ଥିଲା ଝାରସୁଗୁଡ଼ା। ୧୯୯୦ରେ କଂଗ୍ରେସର ଗଡ଼କୁ ପ୍ରଥମ ଥର ପାଇଁ ଭାଙ୍ଗିବାକୁ ସଫଳ ହୋଇଥିଲେ ଦିବଙ୍ଗତ ବିଜେଡି ନେତା କିଶୋର ମହାନ୍ତି। ସେତେବେଳେ ସେ ଜନତା ଦଳ ଟିକଟରେ ନିର୍ବାଚନ ଲଢ଼ିବା ସହ କଂଗ୍ରେସ ପ୍ରାର୍ଥୀଙ୍କୁ ହରାଇଥିଲେ। କିନ୍ତୁ ତା’ ପର ନିର୍ବାଚନରେ ଜନତା ଦଳ ଅପ୍ରତ୍ୟାଶିତ ଭାବେ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଥିଲା। ଝାରସୁଗୁଡ଼ା ଆସନ ମଧ୍ୟ ଜନତା ଦଳ ଖାତାରୁ କଂଗ୍ରେସ ଖାତାକୁ ଚାଲିଯାଇଥିଲା। ଉପନିର୍ବାଚନର ପ୍ରାର୍ଥୀ ତରୁଣ ପାଣ୍ଡେଙ୍କ ବାପା ବୀରେନ୍ଦ୍ର ପାଣ୍ଡେ ବିଧାୟକ ନିର୍ବାଚିତ ହୋଇଥିଲେ।

Tags: #Politics #OdishaPolitics #JharsugudaAssemblyByelection #DeepaliDas #BJD #BJP #Congress #PoliticalFight

Comment