ଓଡ଼ିଶାଲାଇଭ୍ ବ୍ୟୁରୋ

ମେ’ ମାସ ୧୮ ତାରିଖ ଦିନ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳାଫଳ। ମାଟ୍ରିକ ପରୀକ୍ଷା ସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା ପରୀକ୍ଷା ରେଜଲ୍ଟ ମଧ୍ୟ ଏହି ଦିନ ପ୍ରକାଶ ପାଇବ। ୧୮ ତାରିଖ ଦିନ ୧୦ଟା ବେଳେ ରେଜଲ୍ଟ ବାହାରିବ। ଏହାପରେ ଦିନ ୧୨ଟା ବେଳେ ଛାତ୍ରଛାତ୍ରୀମାନେ  ଅନଲାଇନରେ ସେମାନଙ୍କର ରେଜଲ୍ଟ ଜାଣିପାରିବେ। ଏନେଇ ମଙ୍ଗଳବାର ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

ଗୁରୁବାର ଦିନ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ଓ ବିଭାଗୀୟ ସଚିବଙ୍କ ଉପସ୍ଥିତିରେ ମାଟ୍ରିକ ରେଜଲ୍ଟ ବାହାରିବ। ଏହାପରେ ୧୨ଟା ବେଳେ ବୋର୍ଡ ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ।

ଛାତ୍ରଛାତ୍ରୀମାନେ ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟ www.bseodisha.ac.inକୁ ଯାଇ ନିଜର ମାଟ୍ରିକ ରେଜଲ୍ଟ ଜାଣି ପାରିବେ। ଏହାଛଡ଼ା ଏସଏମଏସ ଜରିଆରେ ମଧ୍ୟ ରେଜଲ୍ଟ ମିଳିପାରିବ। ଛାତ୍ରଛାତ୍ରୀମାନେ ମୋବାଇଲରୁ OR10 ଏବଂ ନିଜ ରୋଲ ନମ୍ବରକୁ ଟାଇପ କରି ୫୬୭୬୭୫୦କୁ ପଠାଇଲେ ପରୀକ୍ଷା ଫଳ ଜାଣିପରିବେ।

“ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳକୁ ତ୍ରୁଟିଶୂନ୍ୟ କରିବା ପାଇଁ ବୋର୍ଡ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ମାଟ୍ରିକ ପରୀକ୍ଷାର ସାମାଜିକ ବିଜ୍ଞାନ ବିଷୟର କିଛି ପ୍ରଶ୍ନପତ୍ର ସେଟରେ ଯେଉଁ ତ୍ରୁଟି ଦେଖାଯାଇଥିଲା ତାହାର ମଧ୍ୟ ସମାଧାନ କରାଯାଇଛି। ଯେଉଁ ପିଲାମାନେ ସେହି ସେଟରେ ପରୀକ୍ଷା ଦେଇଥିବେ ସେମାନଙ୍କୁ ଗ୍ରେସ ମାର୍କ ଦିଆଯାଇଛି। ଚଳିତବର୍ଷ ରେଜଲ୍ଟ ଭଲ ହେବ ବୋଲି ଆଶା କରାଯାଉଛି”, କହିଛନ୍ତି ବୋର୍ଡ ସଭାପତି ନିହାର ରଞ୍ଜନ ମହାନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, “ମାଟ୍ରିକ ଖାତାର ରିଆଡିସନ ପ୍ରକ୍ରିୟା କେବେ ଆରମ୍ଭ ହେବ ସେନେଇ ରେଜଲ୍ଟ ପ୍ରକାଶ ସମୟରେ କୁହାଯିବ।  ଏହାବ୍ୟତୀତ ରେଜଲ୍ଟକୁ ନେଇ ପିଲାମାନେ ଯଦି ଅସୁବିଧାର ସମ୍ମୁଖୀନ ହେଲେ ସେମାନେ ବୋର୍ଡ ପକ୍ଷରୁ କରାଯାଇଥିବା କଣ୍ଟ୍ରୋଲ ରୁମକୁ ଯୋଗାଯୋଗ କରିପାରିବେ। ଏଥିପାଇଁ ‘୨୪୧୦୫୯’ ଓ ‘୨୪୧୦୬୦’ ନମ୍ବରରେ ଫୋନ କଲେ ସେମାନଙ୍କୁ ସହଯୋଗ କରାଯିବ।”

ଓଡ଼ିଶାରେ ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ୨୦ ତାରିଖ ଯାଏଁ ମାଟ୍ରିକ, ମଧ୍ୟମା ଓ ରାଜ୍ୟ ମୁକ୍ତବିଦ୍ୟାଳୟ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।  ମୋଟ ୫ଲକ୍ଷ ୪୧ହଜାର ୨୪୭ ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷା ପାଇଁ ଫର୍ମପୂରଣ କରିଥିଲେ। ରାଜ୍ୟର ୩୨୧୮ଟି ପରୀକ୍ଷା କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

ଏହାପରେ ଏପ୍ରିଲ ୩ ତାରିଖରୁ ୧୨ ତାରିଖ ଯାଏଁ ମାଟ୍ରିକ ଖାତାଦେଖା ହୋଇଥିଲା। ଏଥିପାଇଁ ୫୫ଟି ମୂଲ୍ୟାୟନ କେନ୍ଦ୍ର କରଯାଇଥିଲା। ଏହି ଖାତାଦେଖାରେ ୧୩ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ହୋଇଥିଲେ।

Tags: #MatricExamResult #Students #Education #BSEOdisha

 

LEAVE A REPLY

Please enter your comment!
Please enter your name here