ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୩ ବର୍ଷର ମାଟ୍ରିକ ପରୀକ୍ଷା ଫଳ ଗୁରୁବାର ଦିନ ପ୍ରକାଶ ପାଇଛି। ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ପାସ୍ ହାର ୯୬.୪ ପ୍ରତିଶତ ରହିଛି। ଏବର୍ଷ ମଧ୍ୟ ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଭଲ ପ୍ରଦର୍ଶନ କରିଛନ୍ତି।

୨୦୨୩ ମାଟ୍ରିକ ପରୀକ୍ଷାରେ ମୋଟ ୫ ଲକ୍ଷ ୫ ହଜାର ୪୦୪ ଜଣ ପରୀକ୍ଷାର୍ଥୀ ପାସ କରିଛନ୍ତି। ଏମାନଙ୍କ ମଧ୍ୟରେ ୨ ଲକ୍ଷ ୫୭ ହଜାର ୧୦୬ ଜଣ ଛାତ୍ରୀ ରହିଥିବାବେଳେ ୨ ଲକ୍ଷ ୫୧ ହଜାର ୨୯୮ ଜଣ ଛାତ୍ର ରହିଛନ୍ତି। ଛାତ୍ରୀଙ୍କ ପାସ୍‌ ହାର ୯୭.୦୫ ପ୍ରତିଶତ ଓ ଛାତ୍ରଙ୍କ ପାସ୍ ହାର ୯୫.୭୫ ପ୍ରତିଶତ ରହିଛି।

ସେହିପରି ଏ ବର୍ଷ ମାଟ୍ରିକ ପରୀକ୍ଷାରେ ମୋଟ ୪୧୫୮ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଏ-୧ ଗ୍ରେଡ ପାଇଛନ୍ତି। ଏଥିରେ ମଧ୍ୟ ଛାତ୍ରୀମାନେ ଛାତ୍ରଙ୍କୁ ପଛରେ ପକାଇ ଦେଇଛନ୍ତି। ୨୨୫୪ ଜଣ ଛାତ୍ରୀ ଏ-୧ ଗ୍ରେଡ ପାଇଛନ୍ତି। ଅନ୍ୟପଟେ ଏ-୧ ଗ୍ରେଡ ପାଇଥିବା ଛାତ୍ରଙ୍କ ସଂଖ୍ୟା ୧୯୦୪ ରହିଛି।

୨୦୨୨ ମସିହା ମାଟ୍ରିକ ପରୀକ୍ଷାରେ ମଧ୍ୟ ଛାତ୍ରୀମାନେ ଛାତ୍ରଙ୍କଠୁ ଭଲ ପ୍ରଦର୍ଶନ କରିଥିଲେ। ପରୀକ୍ଷା ପାସ କରିଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରେ ୨ ଲକ୍ଷ ୬୦ ହଜାର ୯୭୦ ଜଣ ଛାତ୍ରୀ ରହିଥିବାବେଳେ ୨ ଲକ୍ଷ ୫୬ ହଜାର ୮୭୭ ଜଣ ଛାତ୍ର ରହିଥିଲେ। ଛାତ୍ରୀଙ୍କ ପାସ୍‌ ହାର ୯୨.୩୭ ପ୍ରତିଶତ ରହିଥିବାବେଳେ ଛାତ୍ରଙ୍କ ପାସ୍‌ ହାର ୮୮.୭୭ ପ୍ରତିଶତ ରହିଥିଲା।

ଗତବର୍ଷ ମାଟ୍ରିକ ପରୀକ୍ଷାର ପାସ୍ ହାର ୯୦.୫୫ ପ୍ରତିଶତ ଥିଲା। ମୋଟ ୫ ଲକ୍ଷ ୧୭ ହଜାର ୮୪୭ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ପାସ୍ କରିଥିଲେ।

Tags: #MatricResults2023 #GirlStudents #MatricExam #BSEOdisha #Education

Comment