ଓଡ଼ିଶାଲାଇଭ୍ ବ୍ୟୁରୋ

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅନୁମୋଦନ କ୍ରମେ ନବମ ଓ ଦଶମ ଶ୍ରେଣୀ ପରୀକ୍ଷା ପଦ୍ଧତିରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଏଣିକି ଦଶମ ଶ୍ରେଣୀ ଛାତ୍ରଛାତ୍ରୀ କେବଳ ବାର୍ଷିକ ପରୀକ୍ଷା ଦେବେ। ଏ ନେଇ ବୁଧବାର ଦିନ ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ରାମାଶିଷ ହାଜରା।

କୋଭିଡ ମହାମରୀ ପାଇଁ ଗତ ଦୁଇ ବର୍ଷ ହେଲା ନବମ ଏବଂ ଦଶମ ଶ୍ରେଣୀରେ ଦୁଇଟି ସମେଟିଭ୍ ପରୀକ୍ଷା କରାଯାଉଥିଲା। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ପରୀକ୍ଷା ପରିଚାଳନା କରାଯାଉଥିଲା। ଏଣିକି ଏହି ଦୁଇଟି ପରୀକ୍ଷା ଦେବେ ନାହିଁ ଛାତ୍ରଛାତ୍ରୀ। ଏହି ପଦ୍ଧତିରେ ଏବେ ପରିବର୍ତ୍ତନ କରାଯାଇଛି। ଆଗକୁ ଦଶମ ଶ୍ରେଣୀରେ କେବଳ ଗୋଟିଏ ବାର୍ଷିକ ପରୀକ୍ଷା କରାଯିବ। କିନ୍ତୁ ଦଶମ ଶ୍ରେଣୀ ନିମନ୍ତେ ସ୍କୁଲସ୍ତରରେ ଷାଣ୍ମାସିକ ପରୀକ୍ଷା କରାଯିବ। ଏହି ପରୀକ୍ଷା ପାଇଁ ମଧ୍ୟବୋର୍ଡ ପ୍ରଶ୍ନପତ୍ର ଯୋଗାଇବ।

ତେବେ ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା ପୂର୍ବପରି ଜାରି ରହିବ। ଏହି ପଦ୍ଧତି ହାଇସ୍କୁଲ ଏବଂ ମଧ୍ୟମା ପାଇଁ ଲାଗୁ ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

ସେହିଭଳି ବୋର୍ଡ ପକ୍ଷରୁ ହାଇସ୍କୁଲ ଓ ମଧ୍ୟମାର ନବମ ଶ୍ରେଣୀ ପାଇଁ ଯେଉଁ ଦୁଇଟି ପରୀକ୍ଷା କରାଯାଉଥିଲା (ସମେଟଭ୍ ଆସେସମେଣ୍ଟ-୧ ଏବଂ ସମେଟିଭ ଆସେସମେଣ୍ଟ-୨) ସେଥିରେ ମଧ୍ୟ ପରିବର୍ତ୍ତନ କରାଯିବ। ଏବେ ବୋର୍ଡ ନବମ ଶ୍ରେଣୀର କୌଣସି ପରୀକ୍ଷା ପରିଚାଳନା କରିବ ନାହିଁ। କିନ୍ତୁ ନବମ ଶ୍ରେଣୀର ବାର୍ଷିକ ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ପ୍ରଶ୍ନପତ୍ର ଯୋଗାଇ ଦିଆଯିବ। ଏହି ପ୍ରଶ୍ନପତ୍ର ଡିଇଓଙ୍କ ଜରିଆରେ ସମସ୍ତ ସ୍କୁଲକୁ ପଠାଯିବ। ସ୍କୁଲସ୍ତରରେ ପରୀକ୍ଷା କରାଯାଇ ଫଳାଫଳ ପ୍ରକାଶ କରାଯିବ।

Tags: #Education #HighSchoolExamination #BoardExam #MatricExam

LEAVE A REPLY

Please enter your comment!
Please enter your name here