ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୨ ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା ଫଳ ମଙ୍ଗଳବାର ଦିନ ପ୍ରକାଶ ପାଇଛି। ଚଳିତବର୍ଷ ଏହି ପରୀକ୍ଷାରେ ସାରା ଦେଶରୁ ୯୩୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏ ବର୍ଷର ୟୁପିଏସସି ପରୀକ୍ଷାରେ ଓଡ଼ିଶାର ପରୀକ୍ଷାର୍ଥୀମାନେ ପ୍ରଶଂସନୀୟ ସଫଳତା ହାସଲ କରିଛନ୍ତି। ଓଡ଼ିଶାର ଜଗତସିଂହପୁର ଜିଲ୍ଲାର ଅନୁପ ଦାସ ୩୮ ତମ ରାଙ୍କ ହାସଲ କରି ରାଜ୍ୟ ଟପ୍ପର ହୋଇଛନ୍ତି।

ଅନୁପ ଦାସ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ କୋକିଢ଼ିଅ ଗ୍ରାମର ମୂଳ ବାସିନ୍ଦା। ଏବେ ସେ ନୂଆଦିଲ୍ଲୀରେ ଆୟକର ବିଭାଗରେ ସହକାରୀ କମିଶନର ଭାବେ କାର୍ଯ୍ୟରତ। ଏହା ପୂର୍ବରୁ ସେ ୨୦୧୭, ୨୦୧୮ ଓ ୨୦୧୯ ମସିହାରେ ୩ ଥର ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା ଦେଇଥିଲେ। ୨୦୧୯ ସିଭିଲ ସର୍ଭିସ ପରୀକ୍ଷାରେ ସେ ୧୨୦ ତମ ସ୍ଥାନରେ ରହିଥିଲେ।

“ମୁଁ ଆଗରୁ ୩ ଥର ୟୁପିଏସସି ପରୀକ୍ଷା ଦେଇଛି, କିନ୍ତୁ ଚଳିତବର୍ଷ ପ୍ରଥମଥର ପାଇଁ ଚାକିରିରେ ଥାଇ ପରୀକ୍ଷା ଦେଇଥିଲି। ଏହି ପରୀକ୍ଷାର ପ୍ରସ୍ତୁତି ପାଇଁ ମତେ ଚାକିରି ଓ ବ୍ୟକ୍ତିଗତ ଜୀବନରୁ ସ୍ୱତନ୍ତ୍ର ଭାବେ ସମୟ ବାହାର କରିବାକୁ ପଡ଼ୁଥିଲା। ଶେଷରେ ଭଲ ଟାଇମ ମ୍ୟାନେଜମେଣ୍ଟ କରିପାରିଥିବାରୁ ମୁଁ ଆଜି ଏହି ପରୀକ୍ଷାରେ ସଫଳ ହେଇଛି”, କହିଛନ୍ତି ଅନୁପ ଦାସ।

ଚଳିତବର୍ଷ ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶାର ୮ ଜଣ ପରୀକ୍ଷାର୍ଥୀ ଟପ୍ ୧୦୦ ରାଙ୍କ ଭିତରେ ରହିଛନ୍ତି। ଅନୁପ ଦାସଙ୍କ ବ୍ୟତୀତ ୪୨ ତମ ସ୍ଥାନରେ ମୟୂରଭଞ୍ଜ ଜିଲ୍ଲାର ପ୍ରଣିତା ଦାସ, ୫୬ ତମ ସ୍ଥାନରେ ଅର୍ଣ୍ଣବ ମିଶ୍ର, ୫୮ ତମ ସ୍ଥାନରେ ଦୀକ୍ଷିତା ଯୋଶୀ, ୬୬ ତମ ସ୍ଥାନରେ କୃତିକା ମିଶ୍ର, ୬୭ ତମ ସ୍ଥାନରେ ଭୁବନେଶ୍ଵରର କସ୍ତୁରୀ ପଣ୍ଡା, ୭୩ ତମ ସ୍ଥାନରେ ପଲ୍ଲବୀ ମିଶ୍ର ଓ ପ୍ରଶାନ୍ତ ରାଜ ୯୭ ରାଙ୍କରେ ରହିଛନ୍ତି।

ୟୁପିଏସସି ସୂଚୀରେ ୧୦୦ରୁ ୨୦୦ ରାଙ୍କ ମଧ୍ୟରେ ଓଡ଼ିଶାର ୪ ଜଣ ପରୀକ୍ଷାର୍ଥୀ ରହିଛନ୍ତି। ସେମାନେ ହେଲେ ସିଦ୍ଧାର୍ଥ ମିଶ୍ର ୧୦୬ ରାଙ୍କ, ସୌମ୍ୟରଂଜନ ଦାସ ୧୩୬ ରାଙ୍କ, ସୋନାଲି ମିଶ୍ର ୧୪୦ ରାଙ୍କ ଓ ଦୁର୍ଗା ପ୍ରସାଦ ଅଧିକାରୀ ୧୬୨ ରାଙ୍କ।

ଓଡିଶାରୁ ଅନ୍ୟାମାନଙ୍କ ମଧ୍ୟରେ ୨୪୮ତମ ସ୍ଥାନରେ ସୁଶ୍ରୀ ଶୁଭାଙ୍ଗୀ ଖୁଣ୍ଟିଆ, ୨୬୧ ତମ ସ୍ଥାନରେ ସତ୍ୟ ପ୍ରକାଶ ମିଶ୍ର, ୩୩୪ ତମ ସ୍ଥାନରେ ଆୟୁଷୀ ପ୍ରଧାନ ଓ ଦିବ୍ୟା ଜୈନ ୩୬୩ ତମ ସ୍ଥାନରେ ରହି କୃତିତ୍ଵ ହାସଲ କରିଛନ୍ତି। ସେହିପରି ୪୦୧ ତମ ସ୍ଥାନରେ କୃତିକା ମିଶ୍ର, ୪୦୫ ତମ ସ୍ଥାନରେ ରଶ୍ମୀ ପ୍ରଧାନ ଓ ୫୧୬ ସ୍ଥାନରେ ତେଜସ୍ଵିନୀ ବେହେରା ରହିଛନ୍ତି। ତେଜସ୍ଵିନୀ ବେହେରା ୨୦୨୨ ମସିହାରେ ରାଜ୍ୟ ଓଏଏସ୍ ପରୀକ୍ଷାରେ ଟପ୍ପର ହୋଇଥିଲେ।

ଅନ୍ୟପଟେ ଓଡ଼ିଶାର ପ୍ରଥମା ପ୍ରତୀକ୍ଷା ପ୍ରଧାନ ୬୭୦ ରାଙ୍କ, ଶୁଭସ୍ନିଗ୍ଧା ସେଠୀ ୬୮୦ ରାଙ୍କ, ଶୁଭମ ମିଶ୍ର ୬୮୮ ରାଙ୍କ, ନିବେଦିତା ଦାସ ୮୪୮ ରାଙ୍କ, ବିରେନ୍ଦ୍ର କୁମାର ଦାସ ୮୫୪ ରାଙ୍କ, ମାନସ ଜ୍ୟୋତି ଦାସ ୮୮୧ ରାଙ୍କ ଏବଂ ନୂଆପଡ଼ାର ହରେକୃଷ୍ଣ ମେହେର ୯୩୧ ରାଙ୍କରେ ରହି ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ଅର୍ଜନ କରିଛନ୍ତି।

୨୦୨୨ ସିଭିଲ ସର୍ଭିସ ପରୀକ୍ଷାରେ ଦିଲ୍ଲୀର ଈଶିତା କିଶୋର ୧ ନମ୍ବର ରାଙ୍କରେ ରହି ଟପ୍ପର ହୋଇଛନ୍ତି। ସେହିଭଳି ଦିଲ୍ଲୀର ଗାରିମା ଲୋହିଆ ଦ୍ଵିତୀୟ ଓ ହାଇଦ୍ରାବାଦର ଉମା ହରଥି ଏନ ତୃତୀୟ ସ୍ଥାନରେ ରହିଛନ୍ତି।

ୟୁପିଏସସି ସିଭିଲ ସର୍ଭିସ ପାଇଁ ୨୦୨୨ ମସିହା ଜୁନ ମାସରେ ପ୍ରିଲିମିନାରି ପରୀକ୍ଷା ହୋଇଥିଲା। ୫ ଲକ୍ଷ ୭୫ ହଜାର ୭୭୫ ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ। ଏଥିରୁ ୧୩ ହଜାର ୯୦ ଜଣ ପରୀକ୍ଷାର୍ଥୀ ମେନ ପରୀକ୍ଷା ପାଇଁ ଚୟନ ହୋଇଥିଲେ।

ଏହାପରେ ସେପ୍ଟେମ୍ବର ମାସରେ ହୋଇଥିବା ମେନ ପରୀକ୍ଷାରୁ ୨ ହଜାର ୫୨୯ ଜଣ ପରୀକ୍ଷାର୍ଥୀଙ୍କୁ ବ୍ୟକ୍ତିଗତ ଇଣ୍ଟରଭ୍ୟୁ ପାଇଁ ଚୟନ କରଯାଇଥିଲା। ୨୦୨୩ ଜାନୁଆରି ମାସରୁ ଆରମ୍ଭ ହୋଇଥିବା ୟୁପିଏସସି ଇଣ୍ଟରଭ୍ୟୁ ପରେ ଏବେ ୯୩୩ ଜଣ ପରୀକ୍ଷାର୍ଥୀଙ୍କୁ ଚୟନ କରାଯାଇଛି।

Tags: #UPSC #CivilservicesExam2022 #AnupDas #OdishaTopper

Comment