ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଦିଲ୍ଲୀ ଅର୍ଡିନାନ୍ସ ଲଢ଼େଇକୁ ଏବେ ଜାତୀୟ ପ୍ରସଂଗ କରିସାରିଲେଣି ଅରବିନ୍ଦ କେଜ୍ରିଓ୍ଵାଲ। ଏହି ଲଢ଼େଇରେ ଜିତିବାକୁ ହେଲେ କେଜ୍ରିଓ୍ଵାଲଙ୍କୁ ସବୁ ବିରୋଧୀ ଦଳଙ୍କୁ ଏକାଠି କରିବାକୁ ପଡ଼ିବ। କିନ୍ତୁ ନରେନ୍ଦ୍ର ମୋଦୀଙ୍କୁ ଦରକାର କେବଳ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ଓ୍ଵାଇଏସ୍ଆର୍ କଂଗ୍ରେସର ଜଗନ ମୋହନ ରେଡ୍ଡୀଙ୍କ ସମର୍ଥନ। ଏକଲା ଚଲୋ ନୀତିରେ ଚାଲିଥିବା କେଜ୍ରିଓ୍ଵାଲଙ୍କୁ କିଛି ବିରୋଧୀ ଦଳ ସମର୍ଥନ କରିବାକୁ ସଙ୍କେତ ଦେଇଥିଲେ ମଧ୍ୟ ଏହା ନମ୍ବର ଗଣିତରେ ପାସ୍ କରିବାକୁ ଯଥେଷ୍ଟ ହେବ କି ନାହିଁ, ତା’ ଉପରେ ସନ୍ଦେହ ରହିଛି।

ଦିଲ୍ଲୀର ଶାସନ କେଜ୍ରିଓ୍ଵାଲଙ୍କ ହାତରେ, କିନ୍ତୁ ପ୍ରଶାସନର ଡୋରି କେନ୍ଦ୍ରରେ। ଏ ସମ୍ପର୍କିତ ଅଧ୍ୟାଦେଶ ଯେମିତି ରାଜ୍ୟସଭାରେ ଅଟକିଯିବ, ସେଥିପାଇଁ କେଜ୍ରିଓ୍ଵାଲ ଜୋରଦାର୍ ଉଦ୍ୟମ କରୁଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହାକୁ ସେମିଫାଇନାଲ୍ ଲଢ଼େଇ କହି ବିରୋଧୀଙ୍କ ସମର୍ଥନ ଯୋଗାଡ଼ କରୁଛନ୍ତି କେଜ୍ରିଓ୍ଵାଲ। କାରଣ ଏବେ ବି ବିଜେପି ପାଖରେ ଅଧ୍ୟାଦେଶକୁ ପାରିତ କରାଇବା ପାଇଁ ଆବଶ୍ୟକ ସଂଖ୍ୟା ନାହିଁ।

ଜାତୀୟ ରାଜଧାନୀ ଅଞ୍ଚଳ ସରକାର (ସଂଶୋଧିତ) ଅର୍ଡିନାନ୍ସ୨୦୨୩କୁ ସଂସଦର ଉଭୟ ଗୃହରେ ଅନୁମୋଦନ ମିଳିବା ଦରକାର। ଲୋକସଭା ପାଇଁ ବିଜେପିର ଆଦୌ ଅସୁବିଧା ନାହିଁ। କିନ୍ତୁ ରାଜ୍ୟସଭାରେ ଏନ୍‌ଡିଏ ପାଖରେ ୧୧୦ ସାଂସଦ ଅଛନ୍ତି। ତେଣୁ ଅଧ୍ୟାଦେଶକୁ ଅନୁମୋଦନ ପାଇଁ ଆହୁରି ୯ଟି ଆସନର ଆବଶ୍ୟକତା ରହିଛି। ପୂର୍ବରୁ କେତେକ ପ୍ରସଙ୍ଗରେ ଜଗନ ଓ ନବୀନ ସମର୍ଥନ କରିଥିବାରୁ ଏଥର ମଧ୍ୟ ସମର୍ଥନ ଦେଇପାରନ୍ତି ବୋଲି ରାଜନୀତି ସମୀକ୍ଷକମାନେ ମତ ଦେଇଛନ୍ତି।

କେଜ୍ରିଓ୍ଵାଲଙ୍କୁ ଆର୍‌ଜେଡି, ଜେଡିୟୁ ସମର୍ଥନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହା ସହିତ କେଜ୍ରିଓ୍ଵାଲ ଉଦ୍ଧବ ଠାକରେ ଓ ଏନ୍‌ସିପି ନେତା ଶରଦ ପଓ୍ଵାରଙ୍କ ସହ ଆଲୋଚନା କରିଛନ୍ତି। ଏହି ଲଢ଼େଇରେ ଯଦି ଅର୍ଡିନାନ୍ସ ପାରିତ ହୋଇନପାରେ ତେବେ ମୋଦିଙ୍କ ପାଇଁ ଏହା ଏକ ବଡ଼ ପରାଜୟ ହେବ। ଦେଶବାସୀଙ୍କୁ ଏହା ବିରୋଧୀ ଏକତା ସମ୍ପର୍କରେ ଏକ ସକାରାତ୍ମକ ସନ୍ଦେଶ ଦେବ। ଠିକ୍ ସାଧାରଣ ନିର୍ବାଚନ ପୂର୍ବର ଅଧିବେଶନରେ ଯଦି ଏହି ଅଧ୍ୟାଦେଶକୁ ଅନୁମୋଦନ ନମିଳେ ତେବେ ବିଜେପିକୁ  ଝଟ୍‌କା ଲାଗିବ। ଏହା ଦ୍ଵାରା ବିରୋଧୀ ଏକତାକୁ ବଳ ମିଳିବ।

କିନ୍ତୁ ରାଜନୀତି ସମୀକ୍ଷକଙ୍କ ମତ, କେଜ୍ରିଓ୍ଵାଲ ନିଜେ ଅସୁବିଧାରେ ପଡ଼ିଥିବାରୁ ଏବେ ବିରୋଧୀ ଦଳଙ୍କୁ ଏକାଠି କରିବାକୁ ଚେଷ୍ଟା କରୁଛନ୍ତି। କାରଣ ରାହୁଲ ଗାନ୍ଧୀ ଲୋକସଭା ସଦସ୍ୟତା ହରାଇବା ପୂର୍ବରୁ କେଜ୍ରିଓ୍ଵାଲ ମମତା ଓ ଅଖିଳେଶଙ୍କ ସହ ମିଶି ବିନା କଂଗ୍ରେସରେ ତୃତୀୟ ମେଣ୍ଟ କରିବା ପାଇଁ ଯୋଜନା ଆରମ୍ଭ କରିଥିଲେ। ତେଣୁ ଏଥିରେ କଂଗ୍ରେସ ସମର୍ଥନ କରିବ ବୋଲି ଖୋଲା ଖୋଲି କହିନାହିଁ। ଏହାଛଡ଼ା ଏନ୍‌ଡିଏରେ ନଥିବା ସାଂସଦଙ୍କ ସଂଖ୍ୟା ୧୧୦ ରହିଛି।

ୟୁପିଏ ପାଖରେ ୬୪ ରାଜ୍ୟସଭା ସାଂସଦ ଅଛନ୍ତି। ଯଦି ବି ୟୁପିଏ ସମର୍ଥନ କଲା, ତେବେ ଏ ସଂଖ୍ୟା ଆପ୍‌ର ୧୦କୁ ମିଶାଇ ୭୪ରେ ପହଞ୍ଚିବ। ଟିଏମ୍‌ସିର ୧୨, ସିପିଆଇଏମ୍‌ର ୫, ବିଆର୍‌ଏସ୍‌ର ୭, ଏସ୍‌ପିର ୩ ସମର୍ଥନ ମିଳିଲେ ଏହି ସଂଖ୍ୟା ୧୦୧ରେ ପହଞ୍ଚିବ। ଆହୁରି ୧୮ ସାଂସଦଙ୍କ ସମର୍ଥନ ଦରକାର ପଡ଼ିବ କେଜ୍ରିଓ୍ଵାଲଙ୍କୁ।

ବିଜେଡି ଓ ଓ୍ଵାଇଏସ୍‌ଆରକୁ ଛାଡ଼ି ବାକି ସବୁ ସମର୍ଥନ କଲେ କେଜ୍ରିଓ୍ଵାଲଙ୍କ ସପକ୍ଷରେ ସଂଖ୍ୟା ୧୧୦ରେ ପହଞ୍ଚିବ। ତେଣୁ ଏହି ବାଜି ଜିତିବାକୁ ହେଲେ ଉଭୟ ମୋଦୀ ଓ କେଜ୍ରିଓ୍ଵାଲଙ୍କୁ ନବୀନ ଏବଂ ଜଗନଙ୍କ ସମର୍ଥନ ଦରକାର ପଡ଼ିବ।

Tags: #Politics #OdishaPolitics #PMNarendraModi #CMOdisha #NaveenPatnaik #JaganMohanReddy #ArvindKejriwal #DelhiOrdinance

Comment