ଓଡ଼ିଶାଲାଇଭ୍ ବ୍ୟୁରୋ

ଏବେ ଭାରତରେ ନୂଆ ସଂସଦ ଭବନ ଉଦଘାଟନକୁ ନେଇ ରାଜନୀତି ଜୋର ଧରିଛି। ମେ’ ମାସ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସଂସଦ ଭବନର ଉଦଘାଟନକୁ ବିରୋଧ କରୁଛନ୍ତି କଂଗ୍ରେସ ସମେତ ଦେଶର ଅନ୍ୟ ୧୯ଟି ବିରୋଧୀ ଦଳ। ତେବେ ଏହି ନୂଆ ସଂସଦ ଭବନର ଉଦଘାଟନୀ କାର୍ଯ୍ୟକ୍ରମରେ ବିଜେଡି ଯୋଗ ଦେବ। ଏନେଇ ବୁଧବାର ଦିନ ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ସାଂସଦ ଡକ୍ଟର ସସ୍ମିତ ପାତ୍ର ସୂଚନା ଦେଇଛନ୍ତି।

“ଭାରତର ସଂସଦ ଦେଶର ୧୪୦ କୋଟି ଲୋକଙ୍କ ପ୍ରତିନିଧିତ୍ଵ କରୁଛି। ଏହା ଭାରତୀୟ ଗଣତନ୍ତ୍ରର ପ୍ରତୀକ। ଏହାର ଗରିମା ସବୁବେଳେ ସୁରକ୍ଷିତ ରହିବା ଆବଶ୍ୟକ। ଏଭଳି ପବିତ୍ର ଅନୁଷ୍ଠାନର ସମ୍ମାନକୁ କ୍ଷତି ପହଞ୍ଚାଉଥିବା କାର୍ଯ୍ୟରୁ ଦୂରେଇ ରହିବାରେ ବିଜେଡି ବିଶ୍ଵାସ ରଖେ”, କହିଛନ୍ତି ଡକ୍ଟର ସସ୍ମିତ ପାତ୍ର।

ସେ ଆହୁରି ମଧ୍ୟ କହିଛନ୍ତି, “ନୂଆ ସଂସଦ ଭବନର ଉଦଘାଟନୀ ପ୍ରସଙ୍ଗକୁ ନେଇ ଆଗକୁ ଅଲୋଚନା କରାଯାଇପାରିବ। ଏହି ଉଦଘାଟନରେ ବିରୋଧୀ ଦଳମାନଙ୍କ ସାମିଲ ନହେବା ଭାରତର ଗଣତନ୍ତ୍ରକୁ ଆଘାତ ପହଞ୍ଚାଇବ। ତେଣୁ ସମସ୍ତଙ୍କ ଏଥିରେ ଯୋଗ ଦେବା ଜରୁରୀ। ଏଥିପାଇଁ ବିଜେଡି ଏହି ସ୍ମରଣୀୟ ମୂହୁର୍ତ୍ତରେ ଯୋଗ ଦେବ ବୋଲି ନିଷ୍ପତ୍ତି ନେଇଛି।”

ନୂଆ ସଂସଦ ଭବନକୁ ପ୍ରଧାନମନ୍ତ୍ରୀଙ୍କ ବଦଳରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ଵାରା ଉଦଘାଟନ କରାଯାଉ ବୋଲି ଦାବି କରି କଂଗ୍ରେସ ସମେତ ଦେଶର ଅନ୍ୟ ୧୯ଟି ବିରୋଧୀ ଦଳ ଏହି କାର୍ଯ୍ୟକ୍ରମକୁ ବର୍ଜନ କରିଛନ୍ତି। ଏହି ବିରୋଧୀ ଦଳଙ୍କ ମଧ୍ୟରେ କଂଗ୍ରେସ ବ୍ୟତୀତ ଆମ ଅଦମୀ ପାର୍ଟି, ଟିଏମସି, ଡିଏମକେ, ସମାଜବାଦୀ ପାର୍ଟି, ସିପିଆଇ, ଜେଡିୟୁ ଓ ଆରଜେଡି ଭଳି ଦଳ ସାମିଲ ଅଛନ୍ତି।

ଅନ୍ୟପଟେ ନୂଆ ସଂସଦ ଭବନର ଉଦଘାଟନୀ କାର୍ଯ୍ୟକ୍ରମରେ ବିଜେଡି ସମେତ ଆନ୍ଧ୍ରପ୍ରଦେଶର ୱାଏସଆର୍ କଂଗ୍ରେସ, ଟିଡିପି, ତେଲେଙ୍ଗନାର ବିଆରଏସ, ପଞ୍ଜାବର ଅକାଳୀ ଦଳ ଓ ତାମିଲନାଡ଼ୁର ଏଆଇଡିଏମକେ ଭଳି ଦଳ ଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାର ଝିଅ ହୋଇଥିବାରୁ ତାଙ୍କୁ ସଂସଦ ଉଦଘାଟନୀ କାର୍ଯ୍ୟକ୍ରମରେ ସାମିଲ ନକରିବା ଓଡ଼ିଶା ପାଇଁ ଅପମାନ ବୋଲି ବିରୋଧୀ ଦଳମାନେ କହିଥିଲେ। ଏହାର ପ୍ରତିବାଦରେ ବିଜେଡିକୁ ଏହି ଉଦଘାଟନୀ କାର୍ଯ୍ୟକ୍ରମକୁ ବର୍ଜନ କରିବାକୁ ସେମାନେ ପରାମର୍ଶ ଦେଇଥିଲେ। ଏବେ ବିଜେଡି କାର୍ଯ୍ୟକ୍ରମରେ ଯୋଗଦେବା ନିଷ୍ପତ୍ତି ନେଇ ନିଜର ସ୍ଥିତି ସ୍ପଷ୍ଟ କରିଦେଇଛି।

Tags: #NewparliamentBuilding #Inauguration #BJD #OppositionParties

 

Comment