ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୨ ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା ଫଳ ମଙ୍ଗଳବାର ଦିନ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ୨୬୧ ରାଙ୍କରେ ରହି ସଫଳତା ହାସଲ କରିଛନ୍ତି ଭୁବନେଶ୍ଵରର ସତ୍ୟପ୍ରକାଶ ମିଶ୍ର। ୟୁପିଏସସିରେ ଚତୁର୍ଥ ଚେଷ୍ଟାରେ ତାଙ୍କୁ ମିଳିଛି ଏହି ସଫଳତା। ନିଜର ଏହି ସଫଳତା ପଛରେ ତାଙ୍କର  କ’ଣ ଷ୍ଟ୍ରାଟେଜି ଥିଲା ଓ କେମିତି ପରିଶ୍ରମ କରିଥିଲେ କହିଛନ୍ତି ସତ୍ୟପ୍ରକାଶ।

“ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା ଭାରତର ସବୁଠୁ କଠିନ ପରୀକ୍ଷା। ପ୍ରତିବର୍ଷ ୫ ଲକ୍ଷରୁ ଅଧିକ ପିଲା ଏହି ପରୀକ୍ଷା ଦେଇଥାନ୍ତି। ମୁଁ ପିଲାଟି ଦିନରୁ ଜଣେ ଆଇଏଏସ୍ ଅଧିକାରୀ ହେବାର ଲକ୍ଷ୍ୟ ରଖିଥିଲି। ଏଥିପାଇଁ ମୁଁ ଗ୍ରାଜୁଏସନ ପରେ ୨୦୧୮ ମସିହାରୁ ପରିଶ୍ରମ କରିବା ଆରମ୍ଭ କରିଥିଲି। ୟୁପିଏସସିର ପ୍ରଥମ ଦୁଇଟି ଚେଷ୍ଟା ପରେ ମୁଁ ପାଠପଢ଼ାକୁ ଆହୁରି ଜୋରଦାର କରିଥିଲି”, କହିଛନ୍ତି ସତ୍ୟପ୍ରକାଶ ମିଶ୍ର।

ସେ ଆହୁରି ମଧ୍ୟ କହିଛନ୍ତି, “ଏହି ପରୀକ୍ଷା ପାଇଁ ମତେ ମୋ ଘର ଲୋକମାନେ ବହୁତ ଉତ୍ସାହିତ କରିଥିଲେ। ଏଥିଲାଗି ମୁଁ ନିଜେ ପଢ଼ୁଥିଲି, ବିନା କୌଣସି କୋଚିଂରେ ମୁଁ ଏହି ପରୀକ୍ଷାରେ ସଫଳତା ପାଇଛି। ପରୀକ୍ଷାରେ ମୋର ଅପ୍ସନାଲ୍ ପେପର ସୋସିଓଲୋଜି ଥିଲା। ମୁଁ ୟୁପିଏସସି ପାଇଁ ଭଲ ଭାବେ ଷ୍ଟ୍ରାଟେଜି କରି ପାଠ ପଢ଼ୁଥିଲି।”

ସେ ଆହୁରି କହିଛନ୍ତି, “ୟୁପିଏସସି ପରୀକ୍ଷା ପାଇଁ ଯଦି ଆପଣମାନେ ପ୍ରସ୍ତୁତି କରୁଛନ୍ତି, ତେବେ ନିଜର ପାଠପଢ଼ାର ଢଙ୍ଗରେ ପରିବର୍ତ୍ତନ କରନ୍ତୁ। ଏବେ ପ୍ରତିଯୋଗିତା ବଢ଼ିଥିବାରୁ ପରୀକ୍ଷାର୍ଥୀମାନଙ୍କୁ ହାର୍ଡ ୱାର୍କ ସହ ସ୍ମାର୍ଟ ୱାର୍କ କରିବାର ଆବଶ୍ୟକତା ରହିଛି। ତେବେ ନିରାଶ ନହୋଇ ନିରନ୍ତର ପରିଶ୍ରମ କଲେ ନିଶ୍ଚୟ ଏଥିରେ ସଫଳତା ମିଳିବ।”

ସତ୍ୟପ୍ରକାଶ ମିଶ୍ର ପିଲାଟି ଦିନରୁ ପାଠପଢ଼ାରେ ବହୁତ ଭଲ ଥିଲେ। ସେ ୨୦୧୭ ମସିହାରେ ଓଡ଼ିଶା ୟୁନିଭରସିଟି ଅଫ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚରୁ ସିଭିଲ ଇଞ୍ଜିନିୟରିଂରେ ଗ୍ରାଜୁଏସନ ପାସ କରିଥିଲେ। ସେ ଏହାପରେ ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା ଦେବା ଆରମ୍ଭ କରିଥିଲେ। ୟୁପିଏସସିର ଦ୍ଵିତୀୟ ଚେଷ୍ଟାରେ ସେ ଇଣ୍ଟରଭ୍ୟୁ ପର୍ଯ୍ୟାୟ ଯାଏଁ ଯାଇଥିଲେ।

ସତ୍ୟପ୍ରକାଶ ମିଶ୍ର ଏବେ ଓଡ଼ିଶା ମୁନିସିପାଲ ଆଡମିନିଷ୍ଟ୍ରେଟିଭ ସର୍ଭିସରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି। ଏହି ଚାକିରି ପାଇଁ ହୋଇଥିବା ପରୀକ୍ଷାରେ ସେ ଓଡ଼ିଶାରେ ତୃତୀୟ ସ୍ଥାନ ହାସଲ କରିଥିଲେ।

ଜଣେ ଆଇଏଏସ୍ ଅଧିକାରୀ ହୋଇ ଲୋକଙ୍କ ଉନ୍ନତି ପାଇଁ କାମ କରିବାକୁ ସତ୍ୟପ୍ରକାଶ ପିଲାଦିନୁ ଲକ୍ଷ୍ୟ ରଖିଥିଲେ। ଏବେ ସେ ଏହି ଦିଗରେ ଆଗକୁ ବଢ଼ିବେ ବୋଲି ଆଶା ରଖିଛନ୍ତି।

Tags: #UPSC #CivilServiceExam #SuccessStrategy #SatyaPrakashMishra

Comment