ଓଡ଼ିଶାଲାଇଭ୍ ବ୍ୟୁରୋ

ୟୁନିୟନ ପବ୍ଲିକ ସର୍ଭିସ କମିଶନ (ୟୁପିଏସସି) ସିଭିଲ ସର୍ଭିସ ପରୀକ୍ଷା ୨୦୨୨ରେ ସଫଳତା ହାସଲ କରିଛନ୍ତି ଭୁବନେଶ୍ୱରର ସୌମ୍ୟରଞ୍ଜନ ଦାଶ। ସର୍ବଭାରତୀୟ ସ୍ତରରେ ସେ ୧୩୬ ରାଙ୍କରେ ରହିଛନ୍ତି। ଦ୍ୱିତୀୟ ଚେଷ୍ଟାରେ ତାଙ୍କୁ ଏହି ସଫଳତା ମିଳିଛି। ଏହି ସଫଳତା ଲାଗି ସେ କେମିତି  ପରିଶ୍ରମ କରିଥିଲେ ଏବଂ କ’ଣ ଷ୍ଟ୍ରାଟେଜି ପ୍ରସ୍ତୁତ କରିଥିଲେ, ସେ ବାବଦରେ ଓଡ଼ିଶାଲାଇଭକୁ ବିସ୍ତୃତ ଭାବେ କହିଛନ୍ତି ସୌମ୍ୟରଞ୍ଜନ।

ଭୁବନେଶ୍ୱରରୁ ଯୁକ୍ତଦୁଇ ପାଠ ପଢ଼ା ଶେଷ କରି କାନପୁର ସ୍ଥିତ ଆଇଆଇଟିରେ ଇଞ୍ଜିନିୟରିଂ ପଢ଼ିଥିଲେ ସୌମ୍ୟ। ସେଠାରୁ ଗ୍ରାଜୁଏସନ କରିବା ପରେ ୟୁପିଏସସି କ୍ରାକ୍ କରିବା ପାଇଁ ସେ ମନ ବଳାଇଥିଲେ। ପ୍ରଥମ ଚେଷ୍ଟାରେ ତାଙ୍କୁ ସଫଳତା ମିଳିନଥିଲା। ଏହି ଚେଷ୍ଟାରୁ ଅନୁଭୂତି ପାଇ ଦ୍ୱିତୀୟ ଥର ଲାଗି ସେ ପ୍ରସ୍ତୁତି କରିଥିଲେ। କଠିନ ପରିଶ୍ରମ ଏବଂ ଦୃଢ଼ ଆତ୍ମବିଶ୍ୱାସ ଶେଷରେ ତାଙ୍କୁ ଆଣି ଦେଇଥିଲା ସଫଳତା।

“ଆମ ଘରେ କେହି ପ୍ରଶାସନିକ କ୍ଷେତ୍ରରେ ନଥିଲେ। ପିଲାଦିନୁ ପ୍ରଶାସନିକ କ୍ଷେତ୍ରରେ କାମ କରିବାକୁ ମୋର ଇଚ୍ଛା ଥିଲା। କଲେଜ ପଢ଼ିବା ବେଳକୁ ଏହି ଇଚ୍ଛା ବଢ଼ିବାକୁ ଲାଗିଥିଲା। ଘରଲୋକ ବି ମତେ ଏ କ୍ଷେତ୍ରରେ ଯିବା ପାଇଁ ଉତ୍ସାହିତ କରିଥିଲେ। ଖାସ୍ କରି ମୋ ବାପାଙ୍କର ଇଚ୍ଛା ଥିଲା କି ମୁଁ ଜଣେ ଆଇଏଏସ୍ ଅଧିକାରୀ ହୁଏ। ଏହାପରେ ମୁଁ ୟୁପିଏସସି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲି”, କହିଛନ୍ତି ସୌମ୍ୟରଞ୍ଜନ ଦାଶ।

ସେ ଆହୁରି ମଧ୍ୟ କହିଛନ୍ତି, “ପ୍ରଥମଥର ୟୁପିଏସସି ପରୀକ୍ଷାରେ ଅଳ୍ପ କିଛି ମାର୍କ ପାଇଁ ଲିଷ୍ଟରେ ମୋ ନାଁ ଆସିନଥିଲା। ଏହି ଚେଷ୍ଟା ମତେ ଆଗାମୀ ପରୀକ୍ଷା ପାଇଁ ବାଟ ଦେଖାଇଥିଲା। କେମିତି ସିଲାବସକୁ ଭାଗ ଭାଗ କରି ପଢ଼ାଯିବ, ନୋଟସ୍ ବନା ହେବ, ରିଭିଜନ ହେବ ଆଦି ଏଥିରୁ ମୁଁ ଶିକ୍ଷା ପାଇଥିଲି ଯାହା ଦ୍ୱିତୀୟ ଚେଷ୍ଟାରେ ମତେ ୟୁପିଏସସି କ୍ରାକ୍ କରିବାରେ ସହାୟ ହେଲା।”

ସେ ଆହୁରି କହିଛନ୍ତି, “ଆଇଏଏସ୍ ଅଧିକାରୀ ହୋଇ ଶିକ୍ଷା କ୍ଷେତ୍ରରେ କାମ କରିବାକୁ ମୋର ଇଚ୍ଛା ଅଛି, କାରଣ ପିଲାଟିଦିନୁ ପାଠପଢ଼ାରୁ ଯାହା ମୁଁ ଅନୁଭୂତି ପାଇଛି ଏବଂ ୟୁପିଏସସି ଯାତ୍ରା ଭିତରେ ଯାହା କିଛି ଶିଖିଛି ସେସବୁକୁ ମୁଁ ଭାରତର ଶିକ୍ଷା କ୍ଷେତ୍ରର ବିକାଶରେ ଲଗାଇବାକୁ ଚେଷ୍ଟା କରିବି।”

ସୌମ୍ୟଙ୍କର ଏହି ସଫଳତାରେ ତାଙ୍କ ପରିବାର ମଧ୍ୟ ବେଶ୍ ଖୁସି। ପରିବାରରୁ ପ୍ରଥମ କେହି ଏହି ସଫଳତା ପାଇଥିବା ସୌମ୍ୟଙ୍କ ବାପା-ମା କହିଛନ୍ତି। ପୁଅର ସଫଳତା ପାଇଁ ଚାରିଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି।

ଯେଉଁ ଛାତ୍ରଛାତ୍ରୀମାନେ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତି କରୁଛନ୍ତି, ସେମାନଙ୍କ ଲାଗି ବାର୍ତ୍ତା ଦେଇ ସୌମ୍ୟ କହିଛନ୍ତି, ୟୁପିଏସସି ଲାଗି ପ୍ରସ୍ତୁତିକୁ ସରଳ ରଖିବା ଆବଶ୍ୟକ। ସିଲାବସକୁ ଆଧାର କରି ପ୍ଲାନ କରି ପଢ଼ିଲେ ସଫଳତା ମିଳିବ। ଏଥିସହ ସବୁ ବିଷୟକୁ ବାରମ୍ବାର ରିଭିଜନ କରି ଟେଷ୍ଟ ଦେଲେ ସଫଳତା ମିଳିବା ସହଜ ହୋଇଥାଏ।

Tags: #UPSC #CivilServiceExam #SuccessStrategy #SoumyaRanjanDash

Comment