ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଶିକ୍ଷାବର୍ଷ ୨୦୨୩-୨୪ରୁ ଯୁକ୍ତ ୨ ନାମଲେଖା ପାଇଁ ସିଟ୍ ବଢ଼ିବ। ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ପାସ ହାର ଅଧିକ ରହିଥିବାରୁ ଯୁକ୍ତ ୨ ସିଟ୍ ବଢ଼ାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ମଙ୍ଗଳବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଛି।

ଏହି ଯୁକ୍ତ ୨ ସିଟ୍ ବଢ଼ାଇବା ପାଇଁ ୧୦୬ଟି ନୂଆ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲିବ। ଏହି ସ୍କୁଲଗୁଡ଼ିକରେ ୧୩ ହଜାରରୁ ଅଧିକ ସିଟ୍ ରହିବ। ଏହି ସିଟ୍ ବଢ଼ାଇବା ନେଇ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଓ ଗଣଶିକ୍ଷା ସଚିବ ଅଶ୍ଵଥି ଏସ ପ୍ରେସବର୍ତ୍ତା କରି ସୂଚନା ଦେଇଛନ୍ତି।

“୨୦୨୩ ମାଟ୍ରିକ ପରୀକ୍ଷାରେ ପାସହାର ୯୬ ପ୍ରତିଶତରୁ ଅଧିକ ରହିଛି। ରାଜ୍ୟ ବୋର୍ଡ ଅଧିନରେ ପ୍ରାୟ ୫ ଲକ୍ଷ ୫ ହଜାର ଛାତ୍ରଛାତ୍ରୀ ଏଥର ମାଟ୍ରିକ ପରୀକ୍ଷା ପାସ କରିଛନ୍ତି। ସେହିପରି ସିବିଏସଇ ଓ ଆଇସିଏସଇ ବୋର୍ଡରୁ ମଧ୍ୟ ପିଲା ଯୁକ୍ତ ୨ରେ ନାମଲେଖାଇବେ। ୨୦୨୨ରେ ଯୁକ୍ତ ୨ ପାଇଁ ୫ ଲକ୍ଷ ୯ ହଜାର ୩୮୫ଟି ସିଟରେ ନାମଲେଖା ହୋଇଥିଲା। ଏ ବର୍ଷ ନାମଲେଖା ପାଇଁ ପ୍ରାୟ ୫ ଲକ୍ଷ ୩୦ ହାଜାର ସିଟର ଆବଶ୍ୟକତା ରହିବ”, କହିଛନ୍ତି ସୁଦାମ ମାର୍ଣ୍ଡି।

ସେ ଆହୁରି ମଧ୍ୟ କହିଛନ୍ତି, “ଏବେ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ ଆରମ୍ଭ ହୋଇଛି। ଆବେଦନ ପରେ କେଉଁ ବିଭାଗରେ କେତେ ସିଟ୍ ବଢ଼ାଇବାକୁ ଆବଶ୍ୟକତା ରହିବ ତାହା ଜଣା ପଡ଼ିବ। ନୂଆ କରି ଖୋଲିବାକୁ ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ନିଯୁକ୍ତି ପାଇଁ ବ୍ୟବସ୍ଥା କରାଯିବ। ସିଟ୍ ଅଭାବରୁ ଯେପରି କୌଣସି ପିଲା ଯେପରି ହଇରାଣ ନହେବେ ସେଥିପାଇଁ ବିଭାଗ ପକ୍ଷରୁ ସବୁ ପଦକ୍ଷେପ ନିଆଯିବ।”

ଓଡ଼ିଶାରେ ଏବେ ଯୁକ୍ତ ୨ ନାମଲେଖା ପାଇଁ ଅନଲାଇନ ଆବେଦନ ଆରମ୍ଭ ହୋଇଛି। ଜୁନ ୨୦ ତାରିଖ ଯାଏଁ ଏହି ଆବେଦନ ପ୍ରକ୍ରିୟା ଚାଲିବ। ଏହାପରେ ଜୁନ ୨୮ ତାରିଖରେ ପ୍ରଥମ ମେରିଟ ଲିଷ୍ଟ ବାହାରି ନାମଲେଖା ହେବ। ଚଳିତବର୍ଷ ଜୁଲାଇ ୨୯ ତାରିଖରୁ ଯୁକ୍ତ ୨ ପାଠପଢ଼ା ଆରମ୍ଭ କରିବାକୁ ଯୋଜନା ରଖିଛନ୍ତି ରାଜ୍ୟ ସରକାର।

Tags: #PlusTwoAdmissions #PlusTwoSeats #MatricResults #Education #SMEOdisha

Comment