ଓଡ଼ିଶାଲାଇଭ୍ ବ୍ୟୁରୋ

 

ଓଡ଼ିଶାରେ ବୁଧବାର ଦିନ ପ୍ରକାଶ ପାଇବ ୨୦୨୩ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ। ବୁଧବାର ଦିନ ୧୧ଟା ବେଳେ ଏହି ରେଜଲ୍ଟ ପ୍ରକାଶ ପାଇବ। ଏନେଇ ମଙ୍ଗଳବାର ଦିନ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ସୂଚନା ଦିଆଯାଇଛି।

ସିଏଚଏସଇ ପକ୍ଷରୁ ଯୁକ୍ତ ୨ ପରୀକ୍ଷା ଫଳ ଘୋଷଣା କରାଯିବାପରେ ଛାତ୍ରଛାତ୍ରୀମାନେ ଅନଲାଇନରେ ନିଜ ରେଜଲ୍ଟ ଜାଣିପାରିବେ। ଛାତ୍ରଛାତ୍ରୀମାନେ ସିଏଚ୍ଏସଇ ୱେବସାଇଟ www.chseodisha.nic.inକୁ ଯାଇ ନିଜ ରୋଲ ନମ୍ବର ଦେଇ ରେଜଲ୍ଟ ଦେଖିପାରିବେ।

ଅନ୍ୟପଟେ ଯୁକ୍ତ ୨ କଳା ଓ ଅନ୍ୟ ଧନ୍ଦାମୂଳକ ପରୀକ୍ଷା ଫଳ ଜୁନ ମାସ ୮ ତାରିଖ ପରେ ବାହାରିବାର ସମ୍ଭାବନା ରହିଛି। ଏନେଇ ଆଗକୁ ସିଏଚଏସଇ ପକ୍ଷରୁ ସୂଚନା ଦିଆଯିବ।

ଚଳିତବର୍ଷ ମାର୍ଚ୍ଚ ୧ ତାରିଖରୁ ଏପ୍ରିଲ ୫ ତାରିଖ ଯାଏଁ ଓଡ଼ିଶାରେ ଯୁକ୍ତ ୨ ପରୀକ୍ଷା ହୋଇଥିଲା। ଏଥିରେ ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ପ୍ରାୟ ସାଢ଼େ ୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଓଡ଼ିଶାର ୧ ହଜାର ୧୪୫ଟି କେନ୍ଦ୍ରରେ ଏହି ପରୀକ୍ଷା କରାଯାଇଥିଲା।

ଯୁକ୍ତ ୨ କଳା ବିଭାଗରେ ସର୍ବାଧିକ ୨ ଲକ୍ଷ ୩୩ ହଜାର ୮୫୫ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେହିପରି ଯୁକ୍ତ ୨ ବିଜ୍ଞାନରେ ୯୩ ହଜାର ୮୯୪, ବାଣିଜ୍ୟରେ ୨୪ ହଜାର ୩୩୧ ଓ ଧନ୍ଦାମୂଳକ ଶିକ୍ଷାରେ ୫,୮୬୨ଜଣ ଛାତ୍ରଛାତ୍ରୀ ରହିଥିଲେ।

ଏହାପରେ ଏପ୍ରିଲ ୧୦ ତାରିଖରୁ ଯୁକ୍ତ ୨ ପରୀକ୍ଷା ଖାତାଦେଖା ହୋଇଥିଲା। ଉଭୟ ଅନଲାଇନ ଓ ଅଫଲାଇନରେ ଏହି ଖାତାଦେଖା ହୋଇଥିଲା। ରାଜ୍ୟର ୧୦ ହଜାରରୁ ଅଧିକ ଅଧ୍ୟାପକ ଏଥିରେ ସାମିଲ ହୋଇ ଖାତା ମୂଲ୍ୟାୟନ କରିଥିଲେ।

Tags: #PlusTwoResults #PlustwoExam #Arts #Science #Commerce #Students #Education #CHSE

Comment