ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ୨୦୧୬ ମସିହାର ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଦୋଷୀଙ୍କ ବିରୋଧରେ ୨୦ ବର୍ଷ ସଶ୍ରମ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ସ୍ଵତନ୍ତ୍ର ପକ୍ସୋ କୋର୍ଟ। ଦୁଇ ଦୋଷୀ ମାଷ୍ଟର ହେମ୍ବ୍ରମ ଓ ତପନ ମୁର୍ମୁଙ୍କୁ ଜେଲ ଦଣ୍ଡ ସହ ୧୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଆଦେଶ ଦିଆଯାଇଛି। ଜୋରିମାନା ଅନାଦେୟ ଅଧିକ ୩ ମାସ ଜେଲ ଦଣ୍ଡ ରହିଛି।

ମୋଟ ୨୩ ଜଣ ସାକ୍ଷୀ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ସ୍ଵତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ସୁମିତା ଜେନା ମଙ୍ଗଳବାର ଦିନ ଏହି ରାୟ ପ୍ରଦାନ କରିଛନ୍ତି। ପୀଡ଼ିତା ନାବାଳିକାଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ଜିଲ୍ଲା ଆଇନ ସହାୟତା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ଗତ ୨୦୧୬ ମସିହା ଫେବ୍ରୁଆରି ୫ ତାରିଖ ସନ୍ଧ୍ୟାରେ ୧୩ ବର୍ଷର ନାବାଳିକା ନିଜ ଭଉଣୀମାନଙ୍କ ସହ ଘରେ ଥିଲା। ଘରେ ବାପା ମା’ଙ୍କ ଅନୁପସ୍ଥିତିର ସୁଯୋଗ ନେଇ ବିଶୋଇ ଥାନା ଅନ୍ତର୍ଗତ କାଦୁଆଣି ଗ୍ରାମର ମାଷ୍ଟର ହେମ୍ବ୍ରମ ଓ ତପନ ମୁର୍ମୁ ନାବାଳିକାକୁ ଘରୁ ଡାକି ନେଇ ଦୁଷ୍କର୍ମ କରି ଫେରାର ହୋଇଯାଇଥିଲେ।

ବାପା ମା’ ଫେରିବା ପରେ ନାବାଳିକା ଜଣକ ଘଟଣା ସମ୍ପର୍କରେ ସେମାନଙ୍କୁ ଜଣାଇଥିଲା। ଘଟଣା ପରଦିନ ଏ ନେଇ ପରିବାର ପକ୍ଷରୁ ବିଶୋଇ ଥାନାରେ ଅଭିଯୋଗ କରାଯାଇଥିଲା। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ ହୋଇ ମାଷ୍ଟର ହେମ୍ବ୍ରାମ ଗତ ୨୦୧୭ ଜାନୁଆରି ୨୧ ତାରିଖରୁ ବାରିପଦା ସର୍କଲ ଜେଲରେ ବିଚାର ବିଭାଗୀୟ ହାଜତରେ ରହିଥିବାବେଳେ ତପନ ମୁର୍ମୁ ୨୦୧୮ ମସିହା ମେ’ ୧୭ ତାରିଖରୁ ହାଜତରେ ରହିଥିଲା।

Tags: #Mayurbhanj #Rapist #Jail #PocsoCourt #MinorRapist

Comment