ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ରେଜଲ୍ଟ ଶୁକ୍ରବାର ଦିନ ୧୧ଟା ବେଳେ ପ୍ରକାଶ ପାଇବ। ପରୀକ୍ଷାର୍ଥୀମାନେ ଓଜେଇଇର ୱେବସାଇଟରେ ନିଜ ରେଜଲ୍ଟ ଦେଖିପାରିବେ। ଏନେଇ ଗୁରୁବାର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

ପରୀକ୍ଷାର୍ଥୀମାନେ ଓଜେଇଇର ୱେବସାଇଟ www.ojee.nic.inକୁ ଯାଇ ନିଜର ପରୀକ୍ଷା ରୋଲ ନମ୍ବର ଦେଲେ ସେମାନଙ୍କ ପରୀକ୍ଷା ଫଳ ଜାଣିପରିବେ।

ଓଡ଼ିଶାରେ ଥିବା ସରକାରୀ ତଥା ଘରୋଇ ବିଶ୍ଵବିଦ୍ୟାଳୟ ଓ ବୈଷୟିକ ଶିକ୍ଷାନୁଷ୍ଠାନରେ ବି.ଫାର୍ମା, ଏମସିଏ, ଏମବିଏ, ଏମ.ଟେକ୍‌, ଏମ.ଫାର୍ମା, ଲାଟେରାଲ ଏଣ୍ଟ୍ରି ଡିପ୍ଲୋମା ଭଳି ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରତିବର୍ଷ ଓଜେଇଇ ପ୍ରବେଶିକା ପରୀକ୍ଷା କରାଯାଏ। ଚଳିତବର୍ଷ ମେ’ ମାସ ୮ ରୁ ୧୫ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

୨୦୨୩ରେ ଓଜେଇଇ ପରୀକ୍ଷା ଦେବାପାଇଁ ୫୫ ହଜାର ୯୭୯ ଜଣ ପରୀକ୍ଷାର୍ଥୀ ନାମ‌ ପଞ୍ଜୀକରଣ କରିଥିଲେ। ଏମାନଙ୍କ ମଧ୍ୟରୁ ସର୍ବାଧିକ ୧୭ ହଜାର ୭୬୩ ଜଣ ପରୀକ୍ଷାର୍ଥୀ ଲାଟେରାଲ ଏଣ୍ଟ୍ରି ଡିପ୍ଲୋମା ପାଇଁ ପଞ୍ଜୀକରଣ କରିଥିଲେ।

ସେହିଭଳି ବି.ଫାର୍ମାରେ ୧୩ ହଜାର ୮୧୩, ଏମବିଏରେ ୯ ହଜାର ୩୦୫ ଜଣ ଓ ଏମସିଏରେ ୮ ହଜାର ୮୪୧ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ। ଏହାବ୍ୟତୀତ ଅନ୍ୟ ବିଷୟରେ ନାମଲେଖା ପାଇଁ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେଇଥିଲେ।

ଏହି ପରୀକ୍ଷା ପାଇଁ ଓଡ଼ିଶାର ୩୩ଟି ସହରରେ ମୋଟ ୪୭ ପରୀକ୍ଷା କେନ୍ଦ୍ର କରାଯାଇଥିଲା। ପ୍ରଥମଥର ପାଇଁ ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡରେ ମଧ୍ୟ ଗୋଟିଏ ଲେଖାଏଁ ପରୀକ୍ଷା କେନ୍ଦ୍ର କରଯାଇଥିଲା।

Tags: #OJEEResults #Examination #TechnicalEducation #Students #Odisha

Comment