ଓଡ଼ିଶାଲାଇଭ୍ ବ୍ୟୁରୋ

 

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାର ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶନିବାର ଅପରାହ୍ଣରେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ପ୍ରଧାନମନ୍ତ୍ରୀ ବାହାନଗାର ଦୁର୍ଘଟଣାସ୍ଥଳରେ ପହଞ୍ଚି ରେଳ ବିଭାଗର ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

ପ୍ରଧାନମନ୍ତ୍ରୀ ଦୁର୍ଘଟଣାସ୍ଥଳରେ କ୍ଷତିଗ୍ରସ୍ତ ବଗି ବୁଲି ଦେଖିଥିଲେ। ଦୁର୍ଘଟଣା ସମ୍ପର୍କରେ ଅଧିକାରୀମାନଙ୍କଠାରୁ ପଚାରି ବୁଝିଥିଲେ। ଏହାସହ ଉଦ୍ଧାର କାର୍ଯ୍ୟ ଏବଂ ଆହତମାନଙ୍କ ଚିକିତ୍ସା ବ୍ୟବସ୍ଥା ବିଷୟରେ କଥା ହୋଇଥିଲେ।

ମୋଦୀଙ୍କ ବାହାନଗା ଗସ୍ତ ପୂର୍ବରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଡାକ୍ତରଖାନା ଯାଇ ଆହତମାନଙ୍କୁ ଭେଟିଥିଲେ।

ଶୁକ୍ରବାର ସାନ୍ଧ୍ୟା ୭ଟା ବେଳେ ବାଲେଶ୍ଵର ଜିଲ୍ଲା ବାହାନଗା ରେଳ ଷ୍ଟେସନ ନିକଟରେ ହାୱଡ଼ାରୁ ଚେନ୍ନାଇ ଯାଉଥିବା ୧୨୮୪୧ କରମଣ୍ଡଳ ଏକ୍ସପ୍ରେସ ଟ୍ରାକରେ ଛିଡ଼ା ହୋଇଥିବା ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା। ଦୁର୍ଘଟଣା ସମୟରେ ଟ୍ରେନଟିର ଘଣ୍ଟା ପ୍ରତି ବେଗ ୧୩୦ କିଲୋମିଟରରୁ ଅଧିକ ରହିଥିଲା। କରମଣ୍ଡଳ ଏକ୍ସପ୍ରେସର ପ୍ରାୟ ୧୭ଟି ବଗି ଲାଇନଚ୍ୟୁତ ହୋଇଯାଇଥିଲା। ଏଥିରୁ କିଛି ବଗି ପାଖ ରେଳ ଲାଇନରେ ପଡ଼ିରହିଛି।

ସେହି ସମୟରେ ଅନ୍ୟ ଲାଇନରେ ଆସୁଥିବା ୧୨୮୬୪ ଯଶବନ୍ତପୁର-ହାୱଡ଼ା ଏକ୍ସପ୍ରେସର କରମଣ୍ଡଳ ଏକ୍ସପ୍ରେସର ବଗି ସହ ଧକ୍କା ହୋଇଥିଲା। ଫଳରେ ଏହି ଟ୍ରେନଟି ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୨୬୧ ଜଣ ପ୍ରାଣ ହରାଇଥିବାବେଳେ ୧୦୦୦ରୁ ଅଧିକ ଆହତ ଯାତ୍ରୀ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ନିମନ୍ତେ ବାଲେଶ୍ୱର, ଭଦ୍ରକ, ସୋର, ଖନ୍ତାପଡ଼ା ଏବଂ ଗୋପାଳପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହା ସହିତ ଗୁରୁତର ଅହତ ଯାତ୍ରୀଙ୍କୁ କଟକ ସ୍ଥିତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି।

Tags: #Train #TrainAccident #death #CoromandelExpressTragedy #Death #Accident #BalasoreBahanaga #RescueOperation

Comment