ଓଡ଼ିଶାଲାଇଭ୍ ବ୍ୟୁରୋ

କିଏ ଭାବିଥିଲା ମୃତ୍ୟୁ ଏମିତି ଆସିବ, ଟ୍ରେନ ଯାତ୍ରା ଶ୍ମଶାନକୁ ବାଟ କଢ଼େଇବ? ଚାହୁଁ ଚାହୁଁ ସବୁକିଛି ଶେଷ ହୋଇଯିବ?

ହସଖୁସିରେ କରମଣ୍ଡଳ ଏକ୍ସପ୍ରେସରେ ନିଜ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିବା ମହଙ୍ଗା ପଡ଼ିଲା ଯାତ୍ରୀଙ୍କୁ। ଶୁକ୍ରବାର ସନ୍ଧ୍ୟାର ଯାତ୍ରା ସବୁଦିନ ଭଳି ନଥିଲା। ଏହି ଯାତ୍ରାବେଳେ ବାଲେଶ୍ୱର ବାହାନଗା ରେଳ ଷ୍ଟେସନ ନିକଟରେ ଜଗି ରହିଥିଲା ଯମ। ଆଖି ପିଛୁଳାକେ ସବୁକିଛି ଧ୍ଵଂସ ହୋଇଗଲା। କରମଣ୍ଡଳ ଏକ୍ସପ୍ରେସର ପ୍ରାୟ ୧୭ଟି ବଗି ଲାଇନଚ୍ୟୁତ ହୋଇ ଏଣେ ତେଣେ ବିଖିରି ଗଲା।

ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା, ଘଣ୍ଟାକୁ ୧୩୦ କିଲୋମିଟର ବେଗରେ ହାଓ୍ଵଡାରୁ ଚେନ୍ନାଇ ଯାଉଥିବା ୧୨୮୪୧ କରମଣ୍ଡଳ ଏକ୍ସପ୍ରେସ ବାହାନଗା ନିକଟ ରେଳ ଧାରଣାରେ ଛିଡ଼ା ହୋଇଥିବା ମାଲବାହୀ ଟ୍ରେନକୁ ଧକ୍କା ଦେଲା। ହଠାତ୍ ପ୍ରଚଣ୍ଡ ଶବ୍ଦଶୁଣି ଦୌଡ଼ି ଆସିଲେ ସ୍ଥାନୀୟ ଗ୍ରାମବାସୀ। ଟ୍ରାକରୁ ଏଣେ ତେଣେ ପଡ଼ିଥିଲା ବିଚ୍ଛିନ୍ନ ହୋଇଥିବା କରମଣ୍ଡଳର ବଗିଗୁଡ଼ିକ। ବଗିଗୁଡ଼ିକ ଭିତରୁ ଶୁଣିବାକୁ ମିଳୁଥିଲା ବିକଳ ଚିତ୍କାର।

ଦେବଦୂତ ସାଜିଲେ ସ୍ଥାନୀୟ ଲୋକ

କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇ ବଗିଗୁଡ଼ିକ ଏଣେ ତେଣେ ପଡ଼ିଥିବା ଦେଖି ଯାତ୍ରୀଙ୍କୁ ଉଦ୍ଧାର କରିବାକୁ ଦୌଡ଼ି ଆସିଥିଲେ ସ୍ଥାନୀୟ ଲୋକେ। ଧୀରେ ଧୀରେ ସ୍ଵେଚ୍ଛାସେବୀ, ଉଦ୍ଧାର କାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କଲେ। ଦୀର୍ଘ ୩ ଘଣ୍ଟା ଧରି ଯାତ୍ରୀଙ୍କୁ ଉଦ୍ଧାର କରିବାକୁ ଉଦ୍ୟାମ ଜାରି ରହିଥିଲା।

ମିଳିଲା ଗୋଟିଏ ପରେ ଗୋଟିଏ ମୃତଦେହ

ରାତି ପ୍ରାୟ ୧୧ଟା, ବଗି ତଳେ ଚାପି ହୋଇରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରାଯାଉଥାଏ। କିଛି ଯାତ୍ରୀଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରିବା ସମୟରେ ଗୋଟିଏ ପରେ ଗୋଟିଏ ମୃତଦେହ ମିଳିଥିଲା। ଦେଖୁ ଦେଖୁ ଦୁର୍ଘଟଣାସ୍ଥଳ ଶବ କୁଢ଼ରେ ଭର୍ତ୍ତି ହୋଇଗଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ୧୩୩ ଜଣଙ୍କ ମୃତ ଦେହ ଏକାଠି ଦେଖିବାର ଦୃଶ୍ୟ ସହଜ ନଥିଲା। ଏତେ ଭୟଙ୍କର ଏବଂ ହୃଦୟ ବିଦାରକ ଦୃଶ୍ୟ ଆଗରୁ କେବେ ଦେଖିନଥିବା କହିଥିଲେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଲୋକ।

ବାହାନଗା ସରକାରୀ ଉଚ୍ଚ ବିଦ୍ୟାଳୟରେ ୨୮୮ ମୃତଦେହ

ବାହାନଗା ଟ୍ରେନ ଟ୍ରାଜେଡିରେ ପ୍ରାଣ ହରାଇଥିବା ୨୮୮ ଜଣ ଯାତ୍ରୀଙ୍କ ମୃତଦେହ ବାହାନଗା ସରକାରୀ ଉଚ୍ଚ ବିଦ୍ୟାଳୟରେ ରଖାଯାଇଛି। ଅଟୋପ୍ସି ପରେ ଶବ ଚିହ୍ନଟ କରାଯାଇ ମୃତକଙ୍କ ପରିବାରକୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଆହତ ହୋଇଥିବା ୧୦୦୦ରୁ ଅଧିକ ଯାତ୍ରୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ଯାତ୍ରୀଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଶବ କୁଢ଼ ଭିତରୁ ଖୋଜା ଚାଲିଛି ପରିଚୟ

ବାହାନଗା ଟ୍ରେନ ଟ୍ରାଜେଡି ଉଜାଡ଼ି ଦେଇଛି ଅନେକ ଲୋକଙ୍କ ହସଖୁସିର ସଂସାର। କିଏ ଦୀର୍ଘ ଦିନ ପରେ ପରିବାର ପାଖକୁ ଫେରୁଥିଲା ତ କିଏ ଘରୁ ପୁଣି ନିଜ ଗନ୍ତବ୍ୟ ସ୍ଥଳକୁ ବାହାରୁଥିଲା। କିଏ ବା ଜାଣିଥିଲା ଏ ଯାତ୍ରା ଏତେ ଦୁଃଖଦାୟକ ହେବ ବୋଲି। ଏ ଯାତ୍ରା ମହାଯାତ୍ରା ପାଲଟିବ ବୋଲି।

ବର୍ତ୍ତମାନ ସୁଦ୍ଧା ୨୮୮ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ବାହାନଗା ସରକାରୀ ଉଚ୍ଚ ବିଦ୍ୟାଳୟରେ ରଖାଯାଇଛି ମୃତଦେହ। ରକ୍ତ ଜୁଡ଼ୁବୁଡ଼ୁ ହୋଇପଡ଼ିଥିବା ମରଶରୀରକୁ ଚିହ୍ନଟ କରିବାକୁ କଷ୍ଟକର ହୋଇପଡ଼ୁଛି। ମୃତଦେହଗୁଡ଼ିକୁ ଦେଖିଦେଲେ ହୃଦୟ ଥରି ଉଠୁଛି। ଏବେ ଶବ କୁଢ଼ ଭିତରୁ ନିଜର ଲୋକଙ୍କ ପରିଚୟ ଖୋଜିବାକୁ ବିଦ୍ୟାଳୟରେ ରୁଣ୍ଡ ହୋଇଛନ୍ତି ପରିବାର ଲୋକ।

ମୃତ ଯାତ୍ରୀଙ୍କ ପରିଚୟକୁ ନେଇ ପ୍ରଶ୍ନ

ବାହାନଗା ଟ୍ରେନ ଟ୍ରାଜେଡିରେ ଅଧିକ କ୍ଷତିଗ୍ରସ୍ତ ହୋଇଛି ଜେନେରାଲ ବଗି। ଯେଉଁ ବଗିରେ କିଏ ଟିକେଟ କରି ଚଢ଼ନ୍ତି ତ ଆଉ କେହି କେହି ବିନା ଟିକେଟରେ। ଟିକେଟ କରି ଯାତ୍ରା କରୁଥିବା ଯାତ୍ରୀଙ୍କୁ ହୁଏତ ଚିହ୍ନଟ  କରିବା ସମ୍ଭବ ହୋଇଯିବ, କିନ୍ତୁ ବିନା ଟିକେଟରେ ଯଦି ଯାତ୍ରା କରୁଥିବା କେହି ଯାତ୍ରୀଙ୍କର ମୃତ୍ୟୁ ହୋଇଥାଏ ସେମାନଙ୍କୁ କିପରି ଚିହ୍ନଟ କରାଯିବା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।

କେବଳ ସେତିକି ନୁହେଁ ଏହି ଭୟାବହ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କୁ ଚିହ୍ନଟ କରିବା କଷ୍ଟକର ହୋଇପଡ଼ିବ। କାରଣ ଅନେକ ମୃତଦେହ ଚିହ୍ନିବା ଅବସ୍ଥାରେ ନାହିଁ। ଖଣ୍ଡି ବିଖଣ୍ଡିତ ଶରୀରକୁ ବି ଯୋଡ଼ି ପରିଚୟ ଖୋଜିବା ଅସମ୍ଭବ ହୋଇପଡ଼ିବ। କିଛି ଯାତ୍ରୀଙ୍କ ଶରୀର ଦୁର୍ଘଟଣାରେ ମାଂସ ପିଣ୍ଡୁଳା ସଦୃଶ ମଧ୍ୟ ହୋଇଯାଇଛି।

ଏହି ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପରିବାର ମଧ୍ୟରେ କାନ୍ଦ ବୋବାଳି ପଡ଼ିଛି। କିଏ ନିଜ ଲୋକଙ୍କୁ ଜୀବତ ପାଇଥିବାବେଳେ ଆଉ କେହିଁ ବର୍ତ୍ତମାନ ସୁଦ୍ଧା କୌଣସି ଖୋଜ ଖବର ପାଉନାହାନ୍ତି। ଆଉ କେହି ନିଜ ପରିବାର ସଦସ୍ୟଙ୍କ ଶବ ଦେଖି କୋହ ସମ୍ଭାଳିପାରୁ ନାହାନ୍ତି।

ଦୁର୍ଘଟଣାସ୍ଥଳ ବୁଲିଲେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ

ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଭୟଙ୍କର ଦୁର୍ଘଟଣାର ସ୍ଥିତି ଅନୁଧ୍ୟାନ କରିବାକୁ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୁର୍ଘଟଣାସ୍ଥଳ ପରେ ଡାକ୍ତରଖାନା ଯାଇ ଆହତମାନଙ୍କୁ ଭେଟି କଥା ହୋଇଛନ୍ତି। ଏହି ଦୁର୍ଘଟଣାରେ ସହଯୋଗର ହାତ ବଢ଼ାଇଥିବା ସ୍ଥାନୀୟ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରେ ପରେ ଦୁର୍ଘଟଣାର ସ୍ଥିତି ପରିଖିବାକୁ ବାହାନଗାରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କେବଳ ସେତିକି ନୁହେଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି।

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହା ସହ ରାଜ୍ୟର ଅନେକ ମନ୍ତ୍ରୀ, ବିଧାୟକ, ବିରୋଧୀ ବିଜେପି ଏବଂ କଂଗ୍ରେସ ଦଳର ବରିଷ୍ଠ ନେତାମାନେ ଶୁକ୍ରବାର ରାତିଠାରୁ ବାହାନଗାରେ ରହିଛନ୍ତି। ଦୁର୍ଘଟଣାସ୍ଥଳକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ପହଞ୍ଚୁଛନ୍ତି।

ସବୁଠୁ ଗୁରୁତ୍ଵପୂର୍ଣ୍ଣ ଏତେ ବଡ଼ ଟ୍ରେନ ଟ୍ରଜେଡି ପାଇଁ ବାହାନଗାରେ ଏକ ପ୍ରକାର ଜାରୁରୀ ପରିସ୍ଥିତି ସୃଷ୍ଟି ହୋଇଛି। ମୃତାହତଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଟ୍ରାକରୁ ଏଣେ ତେଣେ ପଡ଼ିଥିବା ବଗିଗୁଡ଼ିକୁ ହଟାଇ ରେଳଧାରଣା ସଜାଡ଼ି ଟ୍ରେନ ଚଳାଚଳକୁ ସ୍ଵାଭାବିକ କରିବାକୁ ଉଦ୍ୟମ ଜାରି ରହିଛି। ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଭଳି ବହୁ ଗୁରୁତ୍ଵପୂର୍ଣ୍ଣ ବ୍ୟକ୍ତିତ୍ଵ ବାହାନଗା ଗସ୍ତରେ ଆସୁଥିବାରୁ ସ୍ଥାନୀୟ ପ୍ରଶାସନ ପାଇଁ ବର୍ତ୍ତମାନର ପରିସ୍ଥିତି ଏକ ଚ୍ୟାଲେଞ୍ଜ ସଦୃଶ ହୋଇଥିବା କୁହାଯାଉଛି। ଭିଭିଆଇପିଙ୍କ ଗସ୍ତ ପାଇଁ ବାହାନଗା ଯିବାକୁ ଥିବା ରାସ୍ତାରେ ଯାତାୟତ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଥିଲା।

ଗୋଟିଏ ନୁହେଁ ଦୁଇଟି ଯାତ୍ରୀବାହୀ ଟ୍ରେନ ହୋଇଥିଲା ଦୁର୍ଘଟଣାଗ୍ରସ୍ତ

ଶୁକ୍ରବାର ସାନ୍ଧ୍ୟା ୭ଟା ବେଳେ ବାଲେଶ୍ଵର ଜିଲ୍ଲା ବାହାନଗା ରେଳ ଷ୍ଟେସନ ନିକଟରେ ଗୋଟିଏ ନୁହେଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଦୁଇଟି ଯାତ୍ରୀବାହୀ ଟ୍ରେନ। ହାୱଡ଼ାରୁ ଚେନ୍ନାଇ ଯାଉଥିବା ୧୨୮୪୧ କରମଣ୍ଡଳ ଏକ୍ସପ୍ରେସ ଟ୍ରାକରେ ଛିଡ଼ା ହୋଇଥିବା ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା। ଦୁର୍ଘଟଣା ସମୟରେ ଟ୍ରେନଟିର ଘଣ୍ଟା ପ୍ରତି ବେଗ ୧୩୦ କିଲୋମିଟରରୁ ଅଧିକ ରହିଥିଲା। କରମଣ୍ଡଳ ଏକ୍ସପ୍ରେସର ପ୍ରାୟ ୧୭ଟି ବଗି ଲାଇନଚ୍ୟୁତ ହୋଇଯାଇଥିଲା। ଏଥିରୁ କିଛି ବଗି ପାଖ ରେଳ ଲାଇନରେ ପଡ଼ିରହିଛି।

ସେହି ସମୟରେ ଅନ୍ୟ ଲାଇନରେ ଆସୁଥିବା ୧୨୮୬୪ ଯଶବନ୍ତପୁର-ହାୱଡ଼ା ଏକ୍ସପ୍ରେସର କରମଣ୍ଡଳ ଏକ୍ସପ୍ରେସର ବଗି ସହ ଧକ୍କା ହୋଇଥିଲା। ଫଳରେ ଏହି ଟ୍ରେନଟି ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

କଟକ ଏସିବିକୁ ସ୍ଥାନାନ୍ତର ହେଉଛନ୍ତି ଗୁରୁତର

ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୨୮୮ ଜଣ ପ୍ରାଣ ହରାଇଥିବାବେଳେ ୧୦୦୦ରୁ ଅଧିକ ଆହତ ଯାତ୍ରୀ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ନିମନ୍ତେ ବାଲେଶ୍ଵର, ଭଦ୍ରକ, ସୋର, ଖଣ୍ଟାପଡ଼ା ଏବଂ ଗୋପାଳପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହା ସହିତ ଗୁରୁତର ଅହତ ଯାତ୍ରୀଙ୍କୁ କଟକ ସ୍ଥିତ ଏସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି।

ବାହାନଗା ଟ୍ରେନ ଟ୍ରାଜେଡିକୁ ଶତାବ୍ଦୀର ବଡ଼ ଦୁର୍ଘଟଣା ବୋଲି କୁହାଯାଉଛି। ଏଭଳି ଦୁର୍ଘଟଣାକୁ ଭାରତୀୟ ରେଳ ଇତିହାସର ସବୁଠୁ ବଡ଼ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ବୋଲି କୁହାଯାଉଛି।

Tags: #Train #TrainAccident #deadBody #CoromandelExpressTragedy #BalasoreBahanaga

Comment