ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାହାନଗା ଗସ୍ତ ପୂର୍ବରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଡାକ୍ତରଖାନା ଯାଇ ଆହତମାନଙ୍କୁ ଭେଟିଥିଲେ। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ମୃତାହତ ହୋଇଛନ୍ତି ପଶ୍ଚିମବଙ୍ଗର ଅନେକ ଯାତ୍ରୀ।

ଏହି ଅବସରରେ ମମତା କହିଥିଲେ ଓଡ଼ିଶାକୁ ସହଯୋଗର ହାତ ବଢ଼ାଇବାକୁ ପଶ୍ଚିମବଙ୍ଗ ସବୁବେଳେ ଆଗେଇ ଆସିବ। ପରେ ଦୁର୍ଘଟଣାସ୍ଥଳରୁ ସେ ଡାକ୍ତରଖାନାରେ ପହଞ୍ଚି ଆହତମାନଙ୍କୁ ଭେଟିଥିଲେ।

ଶୁକ୍ରବାର ସାନ୍ଧ୍ୟା ୭ଟା ବେଳେ ବାଲେଶ୍ଵର ଜିଲ୍ଲା ବାହାନଗା ରେଳ ଷ୍ଟେସନ ନିକଟରେ ହାୱଡ଼ାରୁ ଚେନ୍ନାଇ ଯାଉଥିବା ୧୨୮୪୧ କରମଣ୍ଡଳ ଏକ୍ସପ୍ରେସ ଟ୍ରାକରେ ଛିଡ଼ା ହୋଇଥିବା ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା। ଦୁର୍ଘଟଣା ସମୟରେ ଟ୍ରେନଟିର ଘାଣ୍ଟା ପ୍ରତି ବେଗ ୧୩୦ କିଲୋମିଟରରୁ ଅଧିକ ରହିଥିଲା। କରମଣ୍ଡଳ ଏକ୍ସପ୍ରେସର ପ୍ରାୟ ୧୭ଟି ବଗି ଲାଇନଚ୍ୟୁତ ହୋଇଯାଇଥିଲା। ଏଥିରୁ କିଛି ବଗି ପାଖ ରେଳ ଲାଇନରେ ପଡ଼ିରହିଛି।

ସେହି ସମୟରେ ଅନ୍ୟ ଲାଇନରେ ଆସୁଥିବା ୧୨୮୬୪ ଯଶବନ୍ତପୁର-ହାୱଡ଼ା ଏକ୍ସପ୍ରେସର କରମଣ୍ଡଳ ଏକ୍ସପ୍ରେସର ବଗି ସହ ଧକ୍କା ହୋଇଥିଲା। ଫଳରେ ଏହି ଟ୍ରେନଟି ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୨୮୮ ଜଣ ପ୍ରାଣ ହରାଇଥିବାବେଳେ ୧୦୦୦ରୁ ଅଧିକ ଆହତ ଯାତ୍ରୀ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ନିମନ୍ତେ ବାଲେଶ୍ଵର, ଭଦ୍ରକ, ସୋର, ଖଣ୍ଟାପଡ଼ା ଏବଂ ଗୋପାଳପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହା ସହିତ ଗୁରୁତର ଅହତ ଯାତ୍ରୀଙ୍କୁ କଟକ ସ୍ଥିତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି।

Tags: #Train #TrainAccident #death #CoromandelExpressTragedy #Death #Accident #BalasoreBahanaga #RescueOperation

Comment