ଓଡ଼ିଶାଲାଇଭ୍ ବ୍ୟୁରୋ

ହସଖୁସିରେ ବାହାରି ଥିଲେ ଶ୍ରୀକ୍ଷେତ୍ରରେ ପହଞ୍ଚି ସ୍ନାନ ପୂର୍ଣ୍ଣିମାରେ କାଳିଆକୁ ଦର୍ଶନ କରିବେ, ହେଲେ ଅଧାବାଟରେ ସବୁକିଛି ଓଲଟପାଲଟ ହେଇଗଲା। କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ଯୋଗୁଁ ମଉଳିଗଲା ବାଲେଶ୍ୱରର ଦେବକୀ ପାତ୍ରଙ୍କର ସବୁ ଆଶା।

ବାଲେଶ୍ୱର ଷ୍ଟେସନରୁ ଜୁନ ୨ ତାରିଖ ସନ୍ଧ୍ୟାରେ କରମଣ୍ଡଳ ଏକ୍ସପ୍ରେସରେ ଚଢ଼ିଥିଲେ ବାଲେଶ୍ୱରର ଦେବକୀ ପାତ୍ର, ତାଙ୍କ ସ୍ୱାମୀ ଓ ଦୁଇ ପୁଅ। ଯୋଜନା ଥିଲା ଖୋର୍ଦ୍ଧାରେ ଓହ୍ଲାଇ ପୁରୀ ଯିବେ ଏବଂ ସ୍ନାନ ପୂର୍ଣ୍ଣିମାରେ ଜଗାକୁ ଦେଖିବେ। କିନ୍ତୁ କିଛି କ୍ଷଣ ଭିତରେ ସବୁକିଛି ଓଲଟପାଲଟ ହୋଇଯାଇଥିଲା।

କରମଣ୍ଡଳ ଏକ୍ସପ୍ରେସ ବାଲେଶ୍ୱର ଷ୍ଟେସନ ଛାଡ଼ିବାର ମାତ୍ର କିଛି ସମୟ ଭିତରେ ଭୟଙ୍କର ଦୁର୍ଘଟଣା ଘଟିଥିଲା। କେହି କିଛି ବୁଝିବା ଆଗରୁ ଚାଲି ଯାଇଥିଲା ଅନେକ ଯାତ୍ରୀଙ୍କ ଜୀବନ। ଏହି ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିଲେ ଦେବକୀ ଏବଂ ସାଙ୍ଗରେ ଯାଇଥିବା ତାଙ୍କ ପୂରା ପରିବାର।

“ସମସ୍ତେ ବାଲେଶ୍ୱର ଷ୍ଟେସନରେ ଚଢ଼ିଲୁ। କିଛି ସମୟ ପରେ ହଠାକ୍ ପ୍ରଚଣ୍ଡ ଶବ୍ଦ ହେଲା। କିଛି ବୁଝି ହେଲାନି। ବଗି ଭିତରେ ଲୋକଙ୍କ ଚିତ୍କାର ଶୁଣାଗଲା। ଦେଖିଲାବେଳକୁ ଆମେ ବସିଥିବା ବଗିଟି ଓଲଟି ପଡ଼ିଥିଲା। ବହୁ ଚେଷ୍ଟା କରି ସେ ଭିତରୁ ବାହାରକୁ ବାହାରିଲି, ଦୁଇ ପୁଅକୁ ବାହାର କଲି। ତା’ ପରେ କ’ଣ ହେଲା କିଛି ଜାଣିନି”, କହିଛନ୍ତି ବାହାନଗା ଟ୍ରେନ ଦୁର୍ଘଟଣାରେ ଆହତ ହୋଇଥିବା ଦେବକୀ ପାତ୍ର।

ବାହାନଗା ଟ୍ରେନ ଦୁର୍ଘଟଣାରେ ୨୮୮ ଜଣଙ୍କର ମୃତ୍ୟୁ ହେଲା, ୧,୨୦୦ରୁ ଅଧିକ ଯାତ୍ରୀ ଆହତ ହେଲେ। କରମଣ୍ଡଳ ପାଇଁ ହେଇପାରି ଲାନି ଦେବକୀଙ୍କ କାଳିଆ ଦର୍ଶନ।

Tags: #BahanagaTrainTragedy #TrainAccident #DebakiPatra

Comment