ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବୁଧବାରଠାରୁ ଆରମ୍ଭ ହୋଇଛି ବିଶ୍ଵ ଟେଷ୍ଟ ଚାମ୍ପିୟନସିପର (ଡବ୍ଲୁଟିସି) ଫାଇନାଲ୍ ମୁକବିଲା। ଟେଷ୍ଟ କ୍ରିକେଟର ବିଶ୍ଵ ବିଜେତା ହେବା ଲକ୍ଷ୍ୟରେ ଏହି ମ୍ୟାଚରେ ଉଭୟ ଦଳ ମଇଦାନକୁ ଓହ୍ଲାଇଛନ୍ତି। ଏଥିରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଇଂଲଣ୍ଡର ଓଭଲ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମୁକାବିଲାଟି ଜୁନ୍ ୧୨ ତାରିଖ ଯାଏଁ ଖେଳାଯିବ।

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପ ଫାଇନାଲ୍ ମ୍ୟାଚରେ ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ଵରେ ଖେଳୁଛି। ଅନ୍ୟପଟେ ଅଷ୍ଟ୍ରେଲିଆ ଟିମ୍ ପ୍ୟାଟ୍ କମିନ୍ସଙ୍କ ନେତୃତ୍ଵରେ ମୁକାବିଲା କରୁଛି।

ଡବ୍ଲୁଟିସି ଫାଇନଲରେ ଭାରତୀୟ ଦଳରେ ବିରାଟ କୋହଲୀ, ଶୁଭମନ ଗିଲ, ଚେତେଶ୍ଵର ପୂଜାରା, ଅଜିଙ୍କ୍ୟ ରାହାଣେ, ଶ୍ରୀକର ଭରତ, ରବୀନ୍ଦ୍ର ଜାଡେଜା, ଶାର୍ଦୁଲ ଠାକୁର, ଉମେଶ ଯାଦବ, ମହମ୍ମଦ ଶାମି ଓ ମହମ୍ମଦ ସିରାଜ ସାମିଲ ଅଛନ୍ତି।

ଅନ୍ୟପଟେ ଅଷ୍ଟ୍ରେଲିଆ ଦଳରେ ପ୍ୟାଟ୍ କମିନ୍ସଙ୍କ ବ୍ୟତୀତ ଡେଭିଡ୍ ୱାର୍ଣ୍ଣର, ଉସମାନ ଖ୍ଵାଜା, ମାରନସ ଲାବୁସେନ, ସ୍ଟିଭ ସ୍ମିଥ, ଟ୍ରାଭରିସ ହେଡ, କ୍ୟାମରନ ଗ୍ରିନ, ଅଲେକ୍ସ କ୍ୟାରି, ମିଚଲ୍ ଷ୍ଟାର୍କ, ନାଥାନ ଲାୟନ ଓ ସ୍କଟ ବୋଲାଣ୍ଡ ରହିଛନ୍ତି।

ବୁଧବାର ମ୍ୟାଚର ପ୍ରଥମ ଦିନରେ ଭାରତ ଟସ ଜିତି ବୋଲିଂ କରୁଥିବାରୁ ବ୍ୟଟିଂ କରିବାକୁ ଓହ୍ଲାଇଛି ଅଷ୍ଟ୍ରେଲିଆ। ଦଳ ପକ୍ଷରୁ ଡେଭିଡ୍ ୱାର୍ଣ୍ଣର, ଉସମାନ ଖ୍ଵାଜା ଓପନିଂ କରୁଛନ୍ତି। ଏ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ୨୯ କରି ଗୋଟିଏ ୱିକେଟ ହରାଇଛି। ଭାରତ ପକ୍ଷରୁ ମହମ୍ମଦ ସିରାଜ ଗୋଟିଏ ୱିକେଟ ନେଇଛନ୍ତି।

ଦୀର୍ଘ ୨ ବର୍ଷ ଧରି ଚାଲିଥିବା ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପ ୨୦୨୧-୨୩ରେ ମୋଟ ୯ଟି ଦେଶ ମୁକାବିଲା କରିଥିଲେ। ଏହି ସମୟରେ ଦେଶ ଗୁଡ଼ିକ ମଧ୍ୟରେ ହୋଇଥିବା ବିଭିନ୍ନ ଟେଷ୍ଟ ସିରିଜର ପରିଣାମକୁ ଆଧାର କରି ଦଳମାନଙ୍କୁ ପଏଣ୍ଟ ମିଳିଥିଲା। ୨୦୨୩ ଫେବ୍ରୁଆରି ମାସରେ ଭାରତ ଓ ଅଷ୍ଟ୍ରେଲିଆ ଡବ୍ଲୁଟିସି ଫାଇନାଲ ଖେଳିବା ଲାଗି ଯୋଗ୍ୟତା ହାସଲ କରିଥିଲେ।

Tags: #ICCWorldTestChampionship #FinalMatch #IndiavsAustralia #TestCricket #BCCI

Comment