ଓଡ଼ିଶାଲାଇଭ୍ ବ୍ୟୁରୋ

(ଢେଙ୍କାନାଳ): ଢେଙ୍କାନାଳସ୍ଥିତ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି)ର ଚଳିତ ଶିକ୍ଷାବର୍ଷର ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମ ଛାତ୍ର ସତ୍ୟବ୍ରତ ପାଣିଗ୍ରାହୀଙ୍କୁ ‘ରାଧାନାଥ ରଥ ସ୍ମାରକୀ’ ଫେଲୋସିପ୍‍ ଓ ଇଂରାଜୀ ସାମ୍ବାଦିକତା ପାଠ୍ୟକ୍ରମ ଛାତ୍ରୀ ଅପୂର୍ବା ଶୁକ୍ଳାଙ୍କୁ ‘ସତ୍ୟ ମହାପାତ୍ର ସ୍ମାରକୀ’ ଫେଲୋସିପ୍‍ ପ୍ରଦାନ କରାଯାଇଛି। ଫେଲୋସିପ୍‍ ବାବଦକୁ ଉଭୟଙ୍କୁ ମାନପତ୍ର ସହ ୧୦ ହଜାର ଟଙ୍କା ଲେଖାଏଁ  ଆର୍ଥିକ ରାଶି ପ୍ରଦାନ କରାଯାଇଛି।

ଆଇଆଇଏମ୍‍ସିର ସମ୍ମିଳନୀ କକ୍ଷଠାରେ ଗୁରୁବାର ଦିନ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ଫେଲୋସିପ୍‍ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଓଡ଼ିଶାର ଏକ ଅଗ୍ରଣୀ ଡିଜିଟାଲ୍‍ ମେଡିଆ ପ୍ଲାଟ୍‍ଫର୍ମ ‘ଓଡ଼ିଶାଲାଇଭ୍’ର ମୁଖ୍ୟ ସମ୍ପାଦକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନୀଳାମ୍ବର ରଥ ଉଭୟ ଶିକ୍ଷାର୍ଥୀଙ୍କୁ ଫେଲୋସିପ୍‍ ପ୍ରଦାନ କରିଥିଲେ।

ପ୍ରାରମ୍ଭରେ ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ମୃଣାଳ ଚାଟାର୍ଜୀ ସାମ୍ବାଦିକତା କ୍ଷେତ୍ରରେ ରାଧାନାଥ ରଥ ଓ ସତ୍ୟ ମହାପାତ୍ରଙ୍କ ଅବଦାନ ସମ୍ପର୍କରେ ଉଲ୍ଲେଖ କରିଥିଲେ।

“ଜଣେ ଖ୍ୟାତିସମ୍ପନ୍ନ ସାମ୍ବାଦିକ ରାଧାନାଥ ରଥଙ୍କ ନାମରେ ନାମିତ ଫେଲୋସିପ୍‍ ପାଇବା ମୋ ପାଇଁ ଅତ୍ୟନ୍ତ ଗୌରବର କଥା। ସାମ୍ବାଦିକତା କ୍ଷେତ୍ରରେ ଆଗକୁ ଯିବା ପାଇଁ ଏହା ବେଶ୍‍ ପ୍ରେରଣା ଯୋଗାଇବ”, କହିଛନ୍ତି ସତ୍ୟବ୍ରତ ପାଣିଗ୍ରାହୀ।

ଏହି ଫେଲୋସିପ ମିଳିବା ସୌଭାଗ୍ୟର କଥା। ଏହା ପଛରେ ସଂସ୍ଥାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକାଙ୍କ ପ୍ରେରଣା ରହିଥିବା କହିଛନ୍ତି ଅପୂର୍ବା ଶୁକ୍ଳା।

କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ପ୍ଲସ୍‍ ନେଟ୍‍ୱର୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ରଥ, ଆଇଆଇଏମ୍‍ସିର ଆସୋସିଏଟ୍‍ ଆଡ୍‍ମିନ୍‍ ଆଣ୍ଡ୍ ଆକାଉଣ୍ଟସ କେଦାରନାଥ ଜେନା, ସହକାରୀ ପ୍ରଫେସର ଭାବନା ଆଚାର୍ଯ୍ୟ, ଡକ୍ଟର ହରିକୃଷ୍ଣ ବେହେରା, ଶିକ୍ଷା ସଂଯୋଜକ ଜିତେନ୍ଦ୍ର ପତି, ବୈଷୟିକ ସଂଯୋଜକ ବଦ୍ରିନାଥ ଜେନା, ଗ୍ରନ୍ଥାଗାରିକା ଶୁଭଙ୍କରୀ ଦାସ, ଷ୍ଟେନୋଗ୍ରାଫର ଲକ୍ଷ୍ମୀନାରାୟଣ ମିଶ୍ର ଓ ଆକାଡେମିକ ଆସିଷ୍ଟାଣ୍ଟ ସୌମ୍ୟ ରଞ୍ଜନ ବିହାରା ପ୍ରମୁଖ ଯୋଗ ଦେଇଥିଲେ।

୨୦୦୨-୦୩ ଶିକ୍ଷାବର୍ଷଠାରୁ ଢେଙ୍କାନାଳସ୍ଥିତ ଆଇଆଇଏମ୍‍ସିରେ ରାଧାନାଥ ରଥ ସ୍ମାରକୀ ଫେଲୋସିପ୍‍ ପ୍ରଦାନ କରାଯାଉଛି। ରାଧାନାଥ ରଥଙ୍କ ପରଲୋକ ପରେ ତାଙ୍କ ପୁଅ ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ନୀଳକଣ୍ଠ ରଥ ଏହି ଫେଲୋସିପ୍‍ ପ୍ରଦାନ କରୁଛନ୍ତି।

ସେହିପରି ‘ଦିନଲିପି’ ସମ୍ପାଦକ ଥିବା ସତ୍ୟ ମହାପାତ୍ରଙ୍କ ଦେହାନ୍ତ ପରେ ତାଙ୍କ ପରିବାର ପକ୍ଷରୁ ୨୦୧୬-୧୭ ଶିକ୍ଷାବର୍ଷଠାରୁ ‘ସତ୍ୟ ମହାପାତ୍ର ସ୍ମାରକୀ’ ଫେଲୋସିପ ପ୍ରଦାନ କରାଯାଉଛି।

ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମରେ ଉତ୍କର୍ଷ ପାଇଁ ପ୍ରତିବର୍ଷ ଏହି ଫେଲୋସିପ ପ୍ରଦାନ କରାଯାଉଛି।

Tags: #IIMCDhenkanal #Fellowship #SatyaMohapatraMemorialFellowship #DrRadhanathRathMemorialFellowship #Education #Journalism

Comment