ଓଡ଼ିଶାଲାଇଭ୍ ବ୍ୟୁରୋ

ରାଉଲକେଲା ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମଠାରେ ଆୟୋଜିତ ହୋଇଯାଇଛି ଗ୍ରାସରୁଟ୍ ହକି ଡେଭଲପମେଣ୍ଟ ପ୍ରୋଗ୍ରାମ। ଜେଏସପି ଫାଉଣ୍ଡେସନ ଏବଂ ଦିଲ୍ଲୀପ ତିକ୍ରୀ ସ୍ପୋର୍ଟସ  ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାର ପ୍ରାୟ ୨୧୫ଟି ଗାଁର ୧୫ ବର୍ଷରୁ କମ୍ ବୟସ ବର୍ଗର ୫୦୦୦ରୁ ଊର୍ଦ୍ଧ୍ଵ ହକିପ୍ରେମୀ ସାମିଲ ହୋଇଥିଲେ। ସମସ୍ତଙ୍କୁ ହକିଷ୍ଟିକ, ବଲ୍ ଏବଂ ଜର୍ସି ପ୍ରଦାନ କରାଯାଇଥିଲା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓ ମେସେଜ ଜରିଆରେ ଗ୍ରାସରୁଟ ହକି ଡେଭେଲପମେଣ୍ଟ ପ୍ରୋଗ୍ରାମର ଶୁଭାରମ୍ଭ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଜେଏସପି ଫାଉଣ୍ଡେସନ ଓ ଦିଲ୍ଲୀପ ତିର୍କୀ ଫାଉଣ୍ଡେସର ଏହି ଉଦ୍ୟମକୁ ପ୍ରଶଂସା କରିବା ସହିତ ଗ୍ରାସରୁଟ ହକିକୁ ଏହି କାର୍ଯ୍ୟକ୍ରମ ଆହୁରି ସୁଦୃଢ଼ କରିବ ବୋଲି କହିଥିଲେ।

“ହକି ଆଜି ଓଡ଼ିଶାକୁ ବିଶ୍ଵ ଦରବାରରେ ସ୍ଵତନ୍ତ୍ର ପରିଚୟ ଦେଇଛି। ହକି ପାଇଁ ସ୍ପୋର୍ଟସ କ୍ୟାପିଟାଲର ମାନ୍ୟତା ପାଇଛି ଓଡ଼ିଶା। ଓଡ଼ିଶା ପ୍ରତି ବିଶ୍ଵବାସୀଙ୍କର ଦୃଷ୍ଟିଭଙ୍ଗୀ ବଦଳିଯାଇଛି। ଉପଯୁକ୍ତ ତାଲିମ ପାଇଲେ ଅନେକ ହକି ତାରକା ସୃଷ୍ଟି ହୋଇପାରିବେ”, କହିଛନ୍ତି ଦିଲ୍ଲୀପ ତିର୍କୀ ସ୍ପୋର୍ଟସ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ହକି ତାରକା ଦିଲ୍ଲୀପ ତିର୍କୀ।

ହକିର ଅନ୍ତୁଡ଼ିଶାଳ କୁହାଯାଉଥିବା ସୁନ୍ଦରଗଡ଼ ଜିଲ୍ଲା ଓଡ଼ିଶାକୁ ଦେଇଛି ଅନେକ ହକି ତାରକା। ଏଠାରେ ଅନେକ କ୍ରୀଡ଼ା ପ୍ରତିଭା ରହିଛନ୍ତି। ସେହି ପ୍ରତିଭାମାନଙ୍କୁ ଖୋଜି ସେମାନଙ୍କ ଦକ୍ଷତାକୁ ଆହୁରି ଶାଣିତ କରିବା ପାଇଁ ଆଗେଇ ଆସିଛନ୍ତି ଜେଏସଫାଉଣ୍ଡେସନ ଏବଂ ଦିଲ୍ଲୀପ ତିର୍କୀ ସ୍ପୋର୍ଟସ ଫାଉଣ୍ଡେସନ।

ଏହି ଅବସରରେ ଜେଏସପି ଫାଉଣ୍ଡେସନର ଅଧ୍ୟକ୍ଷା ସାଲୁ ଜିନ୍ଦଲ ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଗଦେଇ କହିଥିଲେ ଯେ, “ଯଦି ସଠିକ୍ ବୟସରେ ପିଲାମାନଙ୍କୁ ଖେଳିବା ପାଇଁ ସଠିକ୍ ପ୍ରଶିକ୍ଷଣ ସହ ଉପଯୁକ୍ତ ପରିବେଶ ଯୋଗାଇ ଦିଆଯିବ ତେବେ ଓଡ଼ିଶା ହକି ଆହୁରି ଆଗକୁ ବଢ଼ିବ। ଏହା ମୋ ପାଇଁ କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ଏହା ହେଉଛି ହକି କ୍ଷେତ୍ରରେ ବିରାଟ ପରିବର୍ତ୍ତନର ପ୍ରାରମ୍ଭ। ଏହି କାର୍ଯ୍ୟକ୍ରମ ଜାତୀୟ ତଥା ଆନ୍ତର୍ଜତୀୟ ସ୍ତରର ଅନେକ ଖେଳାଳି ତିଆରି କରିପାରିବ।”

ସେହିଭଳି ଜେଏସପିର ଅଧ୍ୟକ୍ଷ ନବୀନ ଜିନ୍ଦଲ ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ କ୍ରୀଡ଼ା, ଗୃହରାଷ୍ଟ୍ର, ଆଇଟି ବିଭାଗ ମନ୍ତ୍ରୀ ତୁଷାର କାନ୍ତି ବେହେରା, ଶ୍ରମ ବିଭାଗ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଓ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ ଯୋଗ ଦେଇ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପିଲାମାନଙ୍କୁ ଉତ୍ସାହିତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ସୁବ୍ରତ ତରାଇ, ବିନୟ ଟପ୍ପୋ ଓ ମଙ୍ଗଳା କିଷାନଙ୍କ ସମେତ ଅଲମ୍ପିୟାନ ଅଶୋକ ଧ୍ୟାନଚାନ୍ଦ ଓ ପୂର୍ବତନ ହକି କୋଚ ଅଜୟ ବଂଶଲ୍ ଓ ଅନେକ କ୍ରୀଡାବିତ୍ ଯୋଗ ଦେଇଥିଲେ।

ଜିନ୍ଦଲ ଷ୍ଟିଲ ଓ ପାୱାରର କର୍ପୋରେଟ୍ ସାମାଜିକ ଦାୟିତ୍ଵର ପ୍ରମୁଖ ପ୍ରଶାନ୍ତ ହୋତା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଡିଜିଏମ୍  ସିଏସଆର ଭର୍ଜିଲ ଲାକ୍ରା, ରାକେଶ ମହାନ୍ତି ଓ ରାଜୁ ମହାନ୍ତି କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Tags: #Sports #GrassrootHockeyDevelopmentProgramme #Rourkela #JSPFoundation #DilipTirkeySportsFoundation

Comment