ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ସମସ୍ତ ପୌରାଞ୍ଚଳରେ ଥିବା ୩୪ ଜିଲ୍ଲା ଆହାର ସମିତି ଓ ସିଟି ଆହାର ସମିତିକୁ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୧୧ କୋଟି ୧୭ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ୨୦୨୩–୨୪ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ପାଇଁ ଏହି ଅର୍ଥରାଶି ଦିଆଯାଇଛି।

ଏହି ପାଣ୍ଠି ଜରିଆରେ ରାଜ୍ୟର ୧୬୭ ଆହାର କେନ୍ଦ୍ର ମାଧ୍ୟମରେ ଲୋକମାନଙ୍କୁ ଗୁଣାତ୍ମକ ଖାଦ୍ୟ ବଣ୍ଟନ କରାଯିବା ନେଇ ନୋଡାଲ ଅଧିକାରୀ ସାରଦା ପ୍ରସାଦ ପଣ୍ଡା କହିଛନ୍ତି।ନାଗରିକମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ଏକ ଫ୍ଲାଗସିପ୍ କାର୍ଯ୍ୟକ୍ରମ ହେଉଛି ‘ଆହାର’। ପ୍ରଥମକରି ରାଜ୍ୟର ୫ଟି ମହାନଗର ନିଗମରେ ୨୧ଟି ‘ଆହାର’ କେନ୍ଦ୍ର ଖୋଲାଯାଇଥିଲା। ପରବର୍ତ୍ତୀ ସମୟରେ ରାଜ୍ୟର ସମସ୍ତ ସହରକୁ ଏହା ବ୍ୟାପକ ହେବାପରେ ଏବେ ରାଜ୍ୟରେ ମୋଟ ୧୬୭ଟି ‘ଆହାର’ କେନ୍ଦ୍ର ରହିଛି। ପ୍ରତ୍ୟେକ ଦିନ ଏହି ସମସ୍ତ କେନ୍ଦ୍ରଗୁଡ଼ିକ ଜରିଆରେ ପ୍ରାୟ ଏକ ଲକ୍ଷ ଗରିବ ଲୋକ ଉପକୃତ ହେଉଛନ୍ତି।

ସାମୁହିକ ଭାଗିଦାରୀକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ‘ଆହାର’ କାର୍ଯ୍ୟକ୍ରମରେ ଶେଷ ପର୍ଯ୍ୟନ୍ତ ମିଶନ ଶକ୍ତି ଜରିଆରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ସାମିଲ କରାଇଛନ୍ତି। ସମସ୍ତ ୧୬୭ଟି ଆହାର କେନ୍ଦ୍ର ଓ ୨୭ଟି ଆହାର ରୋଷେଇ ଘର ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀକୁ ଦିଆଯାଇଛି।

Tags: #Aahar #Odisha #ଆହାର

Comment