ଓଡ଼ିଶାଲାଇଭ୍ ବ୍ୟୁରୋ

ଜର୍ମାନୀର ବର୍ଲିନଠାରେ ଅନୁଷ୍ଠିତ ହୋଇଥିବା ସ୍ପେଶାଲ ଅଲିମ୍ପିକ ଗେମ୍ସ ୨୦୨୩ରେ ଓଡ଼ିଶାର ଖେଳାଳିମାନେ ଉତ୍ତମ ପ୍ରଦର୍ଶନ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଭାରତ ପକ୍ଷରୁ ପ୍ରତିନିଧିତ୍ଵ କରି ପ୍ରଥମଥର ପାଇଁ ଏହି ପ୍ରତିଯୋଗିତାରେ ରାଜ୍ୟର ଖେଳାଳିମାନେ ୮ଟି ପଦକ ଜିତିବାରେ ସଫଳ ହୋଇଛନ୍ତି।

ଏହି ପ୍ରତିଯୋଗିତାରେ ଭୁବନେଶ୍ଵର ସ୍ଥିତ ଓପନ ଲର୍ଣ୍ଣିଂ ସ୍କୁଲ (ଓଏଲଏସ)ର ଛାତ୍ରୀ ଆରିଦିତା ଚକ୍ରବର୍ତ୍ତୀ ୪୦୦ ମିଟର ଦୌଡରେ ରୌପ୍ୟ ଏବଂ ସଟପୁଟ୍‌ରେ କାଂସ୍ୟ ପଦକ ଜିତିଥିଲେ। ସେହିପରି ବଲାଙ୍ଗୀର ଜିଲ୍ଲାର ସାଇଁତଳା ସ୍ଥିତ ‘ଆରଏସଡି’ର ବୈଷ୍ଣବ ରାଜପାଲିଆ ସଟପୁଟ୍‌ରେ ରୌପ୍ୟ ପଦକ ଓ ଆଠଗଡ଼ର କଳ୍ପନା ଦାସ ସାଇକ୍ଲିଂରେ ରୌପ୍ୟ ପଦକ ଜିତିଥିଲେ।

ସେହିପରି ସ୍ପେଶାଲ ଅଲିମ୍ପିକର ୟୁନିଫାଏଡ ବିଚ୍‌ ଭଲିବଲ୍‌ ଖେଳରେ କାଂସ୍ୟ ପଦକ ବିଜେତା ଭାରତୀୟ ଦଳରେ ଓଡ଼ିଶାର ୩ ଜଣ ସାମିଲ ଥିଲେ। ଏଥିରେ ନିମାପଡ଼ାର ଜ୍ୟୋତିରଂଜନ ଓଝା ଏବଂ କିଟ ବିଶ୍ଵବିଦ୍ୟାଳୟର ଶିବାନୀ ପ୍ରିୟଦର୍ଶିନୀ ଓ ମାମାଲି ନାଗ କାଂସ୍ୟ ପଦକ ଜିତିଥିଲେ।

“ସ୍ପେଶାଲ ଅଲିମ୍ପିକରେ ଓଡ଼ିଶାର ଖେଳାଳିମାନେ ଭଲ ପ୍ରଦର୍ଶନ କରି ପଦକ ଜିତିବା ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ। ସେମାନଙ୍କ ପ୍ରଦର୍ଶନ ଆଗକୁ ଯାଇ ରାଜ୍ୟ ତଥା ଦେଶର ଅନ୍ୟ ଖେଳାଳିମାନଙ୍କୁ ପ୍ରେରଣା ଦେବ। ଏବେ ସ୍ପେଶାଲ ଅଲିମ୍ପିକ ପାଇଁ ପ୍ରସ୍ତୁତି କରୁଥିବା ଅନ୍ୟ ଖେଳାଳିଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଦିଆଯାଉଥିବା ପ୍ରୋତ୍ସାହନକୁ ଆହୁରି ବ୍ୟାପକ କରାଯିବ”, କହିଛନ୍ତି ଓଡ଼ିଶା ସ୍ପେଶାଲ ଅଲିମ୍ପିକ ବୋର୍ଡର ସଭାପତି କସ୍ତୁରୀ ମହାପାତ୍ର।

ଏହି ପ୍ରତିଯୋଗିତାରେ ଓଡ଼ିଶାର କଟକ ସ୍ଥିତ ସହାୟ ସଂସ୍ଥାର ସସ୍ମିତା ରାଉତରାୟ ରୌପ୍ୟ ପଦକ ବିଜେତା ମହିଳା ବାସ୍କେଟବଲ୍‌ ଦଳର ପ୍ରଶିକ୍ଷକ ରହିଥିଲେ। ଅନ୍ୟପଟେ ବରଗଡ଼ ଜିଲ୍ଲାର ବରପାଲି ସ୍ଥିତ ସରସ୍ଵତୀ ସଂଘର ଖେଳାଳି ସଚିନ ବାରିକ ଫୁଟସଲ୍ ପ୍ରତିଯୋଗିତାରେ ଚତୁର୍ଥ ସ୍ଥାନରେ ରହି ପଦକରୁ ବଞ୍ଚିତ ହୋଇଥିଲେ।

ଚଳିତବର୍ଷ ଜୁନ ମାସ ୧୭ରୁ ୨୫ ତାରିଖ ଯାଏଁ ଜର୍ମାନୀର ରାଜଧାନୀ ବର୍ଲିନଠାରେ ସ୍ପେଶାଲ ଅଲିମ୍ପିକ ଗେମ୍ସ ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତର ୧୭୬ ଜଣ ଖେଳାଳି ଭାଗ ନେଇଥିଲେ। ଏହି ପ୍ରତିଯୋଗିତାରେ ଭାରତୀୟ ଖେଳାଳିମାନେ ୭୬ଟି ସ୍ଵର୍ଣ୍ଣ, ୭୫ଟି ରୌପ୍ୟ ଓ ୫୧ଟି ବ୍ରୋଞ୍ଜ ପଦକ ସହ ମୋଟ ୨୦୨ଟି ପଦକ ଜିତିବାରେ ସଫଳ ହୋଇଥିଲେ।

Tags: #SpecialOlympicGames2023 #OdishaAthletes #Medals #Sports

 

Comment