ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଏବେ ମୌସୁମୀ ପ୍ରଭାବରେ ବର୍ଷା ଜାରି ରହିଛି। ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ମାଧ୍ୟମରୁ ଅତି ପ୍ରବଳ ବର୍ଷା ହୋଇଛି। ଏବେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ପ୍ରଭାବରେ ମଙ୍ଗଳବାରରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ। ଏନେଇ ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ମଙ୍ଗଳବାର ବର୍ଷା ପାଇଁ ୨୦ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ ଓ ଯାଜପୁର ସାମିଲ ରହିଛନ୍ତି।

ସେହିପରି ସୋମବାର କୋରାପୁଟ ଜିଲ୍ଲାର ସେମେଳିଗୁଡ଼ାରେ ୧୧୨ ମିଲିମିଟର ସହ ରାଜ୍ୟର ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ସେହିପରି କୋଟପାଡ଼ରେ ୮୭, କେନ୍ଦ୍ରାପଡ଼ାରେ ୫୫, ବୁଗୁଡ଼ାରେ ୫୩ ମିଲିମିଟର ବର୍ଷା ରେକର୍ଡ ହୋଇଛି।

ଚଳିତ ମୌସୁମୀ ଋତୁରେ ଓଡ଼ିଶାର ଦେବଗଡ଼ ଜିଲ୍ଲାରେ ସର୍ବାଧିକ ବର୍ଷା ୩୩୧.୮ ମିଲିମିଟର ବର୍ଷା ରେକର୍ଡ ହୋଇଛି ଯାହା ସ୍ୱାଭାବିକଠାରୁ ୪୧ ପ୍ରତିଶତ ଅଧିକ ରହିଛି। ଅନ୍ୟପଟେ ରାୟଗଡ଼ା ଜିଲ୍ଲାରେ ସର୍ବନିମ୍ନ ୫୬.୭ ମିଲିମିଟର ବର୍ଷା ରେକର୍ଡ ହୋଇଛି ଯାହା ସ୍ୱାଭାବିକ ତୁଳନାରେ ୭୩ ପ୍ରତିଶତ କମ।

ସେହିପରି ଓଡ଼ିଶାରେ ଜୁନ ପହିଲାରୁ ଏ ଯାଏଁ ୧୭୧.୭ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୨୪୭.୪ ମିମି ତୁଳନାରେ ୩୧ ପ୍ରତିଶତ କମ ରହିଛି। ଜୁନ ମାସରେ କମ ବର୍ଷା ହୋଇଥିବାବେଳେ ଜୁଲାଇ ମାସରେ ସ୍ଵାଭାବିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Tags: #Monsoon #Rain #LowPressure #MCBBSR #IMD

 

Comment