ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବୁଧବାରଠାରୁ ମାଟ୍ରିକ ସାର୍ଟିଫିକେଟ ତ୍ରୁଟି ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି। ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାସ କରିଥିବା ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟରେ ଯଦି କୌଣସି ତ୍ରୁଟିଥାଏ, ତାହେଲେ ସେଗୁଡ଼ିକୁ ସଂଶୋଧନ କରାଯିବ। ଜୁଲାଇ ୧୪ ତାରିଖ ଯାଏଁ ଏହି ସଂଶୋଧନ ପ୍ରକ୍ରିୟା ଚାଲିବ।

ଛାତ୍ରଛାତ୍ରୀଙ୍କ ମାଟ୍ରିକ ସାର୍ଟିଫିକେଟରେ ତ୍ରୁଟି ଥିଲେ ଏହାର ସଂଶୋଧନ ପାଇଁ ପ୍ରଥମେ ସେମାନେ ନିଜ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ନିକଟରେ ଆବେଦନ କରିବେ। ବିଦ୍ୟାଳୟ ସ୍ତରରେ ଆବେଦନ ପରେ ସେମାନେ ଉକ୍ତ ଆବେଦନ ପତ୍ରକୁ କଟକ ସ୍ଥିତ ବୋର୍ଡ ମୁଖ୍ୟ କାର୍ଯ୍ୟଳୟରେ ଦାଖଲ କରିବେ।

ସେହିପରି ଛାତ୍ରଛାତ୍ରୀମାନେ ଓଡ଼ିଶାର ଭୁବନେଶ୍ୱର, ବାଲେଶ୍ୱର, ବ୍ରହ୍ମପୁର, ଜୟପୁର ଆଦି ସହରରେ ଥିବା ବୋର୍ଡର ଜୋନ ଅଫିସରେ ମଧ୍ୟ ଆବେଦନ କରିପାରିବେ। ଏହାପରେ ସବୁ ଆବେଦନକୁ ବୋର୍ଡ ମୁଖ୍ୟ କାର୍ଯ୍ୟଳୟକୁ ପଠାଯାଇ, ସେଥିରେ ଆବଶ୍ୟକୀୟ ସଂଶୋଧନ କରାଯିବ।

ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାସ କରିଥିବା କିଛି ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟରେ ତ୍ରୁଟି ଥିବା ଅଭିଯୋଗ ହୋଇଥିଲା। ଫଳରେ ଯୁକ୍ତ ଦୁଇ ନାମଲେଖା ପାଇଁ ସେମାନେ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏହାକୁ ନଜରରେ ରଖି ବୋର୍ଡ ପକ୍ଷରୁ ମାଟ୍ରିକ ସାର୍ଟିଫିକେଟ୍ ତ୍ରୁଟି ସଂଶୋଧନ ଲାଗି ବ୍ୟବସ୍ଥା କରାଯାଇଛି।

Tags: #MatricExam #MatricCertificate #Education #BSEOdisha

 

Comment